ଏକବିଂଶ ଶତବ୍ଦୀର ସବୁଠୁ ବଡ ଦୁର୍ଘଟଣା। ଗଲାଣି ୨୮୮ ଲୋକଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ଅଧିକ ଥିବା କହିଲେ ପ୍ରତ୍ୟକ୍ଷଦର୍ଶୀ

770

କନକ ବ୍ୟୁରୋ: ବାଲେଶ୍ୱର ବାହାନଗାରେ ଏକବିଂଶ ଶତାବ୍ଦିର ସବୁଠାରୁ ବଡ ଟ୍ରେନ୍ ଦୁର୍ଘଟଣା ଘଟିଛି । ଯେଉଁ ଦୁର୍ଘଟଣା ସାରାଦେଶକୁ ସ୍ତବ୍ଧ କରିଦେଇଛି । କିନ୍ତୁ ଏହି ଦୁର୍ଘଟଣାରେ ପ୍ରକୃତରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ଗୋଟିଏ ପଟେ ସରକାରୀ ତଥ୍ୟ, ଆଉ ଗୋଟିଏ ପଟେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି ।

ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଦିନ ୨ଟା ସୁଦ୍ଧା ୨୮୮ରୁ ଜଣଙ୍କର ମୃତ୍ୟୁ ହୋଇଛି । ୫୬ ଗୁରୁତର ଆହତ ହୋଇଛନ୍ତି । ୭୪୭ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତି କରାଯାଇଛି । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି ।

କିନ୍ତୁ ଯେଉଁମାନେ ଟ୍ରେନ୍ ଦୁର୍ଘଟଣା ପରର ଦୃଶ୍ୟକୁ ଅତି ନିକଟରୁ ଦେଖିଛନ୍ତି । ଯେଉଁମାନେ ନିଜ ହାତରେ ମୃତଦେହକୁ ଉଠାଇଛନ୍ତି । ସେମାନେ ଭିନ୍ନ କଥା କହୁଛନ୍ତିି । ସରକାର ଦେଉଥିବା ତଥ୍ୟଠାରୁ ମୃତ୍ୟୁ ସଂଖ୍ୟା ଢ଼େର ଅଧିକ ହେବ ବୋଲି କହୁଛନ୍ତିି । କିଏ କହୁଛନ୍ତିି ମୃତ୍ୟୁ ସଂଖ୍ୟା ୩ଶହରୁ ୪ଶହ ଟପିଯାଇପାରେ । ଆଉ କେହି କେହି କହୁଛନ୍ତି, ମୃତ୍ୟୁ ସଂଖ୍ୟା ୫ଶହରୁ ଅଧିକ ହୋଇପାରେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦୁର୍ଘଟଣାସ୍ଥଳରୁ ଉଦ୍ଧାର ସମୟର ଯେଉଁଭଳି ଦୃଶ୍ୟ ସାମନାକୁ ଆସିଛି, ଯେଉଁଭଳି କୁଢ଼ କୁଢ଼ ଶବ ଗଦା ହୋଇଛି ସେତେବେଳେ ମୃତ୍ୟୁ ସଂଖ୍ୟାକୁ ନେଇ ସାଧାରଣରେ ସନ୍ଦେହ ହେବା ସ୍ୱାଭାବିକ । ତେବେ ଖୁବଶୀଘ୍ର ସରକାରଙ୍କ ପକ୍ଷରୁ ପ୍ରକୃତ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ କରାଯିବ ବୋଲି ଆଶା କରାଯାଉଛି ।