ବାବ୍ରୀ ମସଜିଦ ଭଙ୍ଗାର ବଡ ରାୟ : ବାବ୍ରୀ ମସଜିଦ ଭଙ୍ଗା ମାମଲାର ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ ; ରାୟ ଶୁଣାଇଲେ ଲକ୍ଷ୍ନୌ ସିବିଆଇ ସ୍ୱତନ୍ତ୍ର କୋର୍ଟ

932
କନକ ବ୍ୟୁରୋ : ଦୀର୍ଘ ୨୮ବର୍ଷ ଅପେକ୍ଷାର ଅନ୍ତ ଘଟିଲା । ଆସିଲା ବହୁ ପ୍ରତୀକ୍ଷିତ ବାବ୍ରୀ ମସଜିଦ୍ ଭଙ୍ଗାର ରାୟ ।  ମାମଲାରେ ଅଭିଯୁକ୍ତ ଥିବା ଲାଲକୃଷ୍ଣ ଆଡଭାନୀ, ମୁରଲି ମନୋହର ଯୋଶୀ, ଉମାଭାରତୀ, କଲ୍ୟାଣସିଂଙ୍କ ସମେତ ୩୨ ଜଣଙ୍କୁ ଦୋଷ ମୁକ୍ତ କରିଛନ୍ତି କୋର୍ଟ । ଆଜି ଏହି ମାମଲାର ରାୟ ଶୁଣାଇଥିଲେ ଲକ୍ଷ୍ନୌ ସିବିଆଇ ସ୍ପେଶାଲ କୋର୍ଟ । ବାବ୍ରୀ ଭଙ୍ଗା ମାମଲାରେ ସିବିଆଇ ସ୍ପେଶାଲ କୋର୍ଟର ବିଚାରପତି ଏସକେ ଯାଦବ କହିଛନ୍ତି , ଭିଏଚପି ନେତା ଅଶୋକ ସିଂହଲଙ୍କ ବିରୋଧରେ କୌଣସି ସାକ୍ଷ୍ୟ ପ୍ରମାଣ ନାହିଁ । ମାମଲାକୁ ନେଇ ଯେଉଁ ଫଟୋ, ଭିଡିଓ ଏବଂ ଫଟୋ କପି ପ୍ରଦାନ କରାଯାଇଥିଲା ସେଥିରୁ କିଛି ମଧ୍ୟ ସ୍ପଷ୍ଟ ହୋଇପାରୁନାହିଁ ।
ଏହାକୁ ନେଇ କିଛି ପ୍ରମାଣ କରାଯାଇପାରିବ ନାହିଁ । ସାକ୍ଷ୍ୟ ପ୍ରମାଣ ଅଭାବରୁ ସିବିଆଇ ସ୍ପେଶାଲ କୋର୍ଟ ଆଜି ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ ବୋଲି ରାୟ ଦେଇଛନ୍ତି । ଫଳରେ ୨୮ ବର୍ଷ ପରେ ବାବ୍ରି ମାମଲାର ରାୟ ବିଶ୍ୱହିନ୍ଦୁ ପରିଷଦ ତଥା ବିଜେପି ନେତାଙ୍କୁ ଆଶ୍ୱସ୍ତି ଦେଇଛି । ୬ ଡିସେମ୍ୱର ୧୯୯୨ ମସିହାରେ ବାବ୍ରି ମସଜିଦକୁ କରସେବକମାନେ ଭାଙ୍ଗି ଦେଇଥିଲେ । ଏହାକୁ ନେଇ ମୋଟ୍ ୪୯ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା । ଏହା ମଧ୍ୟରୁ ୧୭ ଅଭିଯୁକ୍ତଙ୍କର ପରଲୋକ ଘଟିସାରିଛି । ବାକିଥିବା ୩୨ ଅଭିଯୁକ୍ତଙ୍କୁ ଆଜି ଲକ୍ଷ୍ନୌର ସିବିଆଇ ସ୍ପେଶାଲ କୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ମୋଟ୍ ୩୨ ଅଭିଯୁକ୍ତଙ୍କ ମଧ୍ୟରୁ ୨୬ ଜଣ କୋର୍ଟରେ ଉପସ୍ଥିତ ହୋଇଥିଲେ ।

ଭିଡିଓକନଫରେନ୍ସିଂରେ ଲାଲକୃଷ୍ଣ ଆଡଭାନୀ, ମୁରଲି ମନୋହର ଯୋଶୀ , ଉମାଭାରତୀ , ସତୀଶ ପ୍ରଧାନ, ମହନ୍ତ ନୃତ୍ୟ ଗୋପାଳ ଦାଶ ଏବଂ କଲ୍ୟାଣ ସିଂ ଶୁଣାଣିରେ ସାମିଲ ହୋଇଥିଲେ । ଏହି ମାମଲାରେ ପ୍ରାୟ ୩ ଶହ ସାକ୍ଷୀଙ୍କ ସାକ୍ଷ୍ୟଗ୍ରହଣ ନିଆଯାଇଥିଲା । ୬ ଶହ ଦସ୍ତାବିଜ୍ ମଧ୍ୟ ଦାଖଲ ହୋଇଥିଲା । ଏସବୁକୁ ଦେଖିବା ପରେ ଆଜି ଲଖନୌ କୋର୍ଟ ଶୁଣାଣି କରି ସମସ୍ତଙ୍କୁ ଦୋଷ ମୁକ୍ତ କରିଛନ୍ତି । ପୂର୍ବରୁ ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ଏହା ସହିତ କାଏମ ରଖିଛନ୍ତି ସିବିଆଇ ସ୍ପେଶାଲ କୋର୍ଟ ।