‘ମୋ ସାଇକେଲ୍‌’ ପଛରେ ବଡ଼ କେଳେଙ୍କାରୀ : ଗୋଟାକୁ ୨୫ହଜାର; ୫କୋଟି ଟଙ୍କାର ସାଇକେଲ୍‌ ଖତ ଖାଉଛି, ବର୍ଷକୁ ମରାମତି ଖର୍ଚ୍ଚ କୋଟିଏ

505

କନକ ବ୍ୟୁରୋ : ରାଜଧାନୀ ରାସ୍ତାରେ ବିଭିନ୍ନ ଛକ, ବସ୍‌ କ୍ୟୁ ସେଲ୍‌ଟର ନିକଟରେ ଯେଉଁ ‘ମୋ ସାଇକେଲ୍‌’ ରଖାଯାଇଛି ତାହାର ଦାମ୍‌ କେତେ ଜାଣିଛନ୍ତି ? ଆଶ୍ଚର୍ଯ୍ୟର ବିଷୟ ଏହି ସାଇକେଲ୍‌ର ଦାମ୍‌ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ୍‌)ର ମାତ୍ର କିଛି ହାତଗଣତି ଅଧିକାରୀଙ୍କୁ ଛାଡ଼ିଦେଲେ କେହି ଜାଣିନାହାନ୍ତି। ଜାଣିବେ ବା କାହିଁକି ? ମୋ ସାଇକେଲ୍‌ ରାଜଧାନୀରେ ଗଡ଼ିବା ଦିନରୁ କୁହାଯାଇଛି ଯେ, ତିନିଟି ଘରୋଇ ସଂସ୍ଥା ହେକ୍ସି, ୟୋନୋ, ୟୁଲୁ ନିଜ ଖର୍ଚ୍ଚରେ ସାଇକେଲ୍‌ କିଣିକି ଚଲାଇବେ। ଯାହା ଭଡ଼ା ପାଇବେ ତାହା ତାଙ୍କର ରୋଜଗାର। ଅସଲରେ ଏହି ‘ମୋ ସାଇକେଲ୍‌’କୁ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ କିଣିଛନ୍ତି । ସାଇକେଲ୍‌ ଦାମ୍‌ ଶୁଣିଲେ ଅପାଣଙ୍କ ହାଲକ୍‌ ଶୁଖିଯିବ। ସାଇକେଲ୍‌ ଗୋଟାକୁ ୫ହଜାର କି ୧୦ହଜାର ନୁହେଁ। ଗୋଟିଏ ସାଇ‌କେଲ୍‌ ପିଛା ଘରୋଇ ସଂସ୍ଥାକୁ ୨୫ହଜାର ଟଙ୍କା ଲେଖାଏଁ ଦେଇଛନ୍ତି । ଅର୍ଥାତ୍‌ ରାଜଧାନୀରେ ଯେଉଁ ୨ହଜାର ‘ମୋ ସାଇକେଲ୍‌’ ଚଲାଇବାକୁ ଆସିଥିଲା ତାକୁ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ୫କୋଟି ଟଙ୍କା ଦେଇ କିଣିଛନ୍ତି । ତିନି ଘରୋଇ ସଂସ୍ଥା ଯଥା ହେକ୍ସିକୁ ହଜାରେ ସାଇକେଲ୍‌ ପାଇଁ ଅଢେଇ କୋଟି, ୟୋନୋକୁ ୫୦୦ ସାଇକେଲ୍‌ ପାଇଁ ୧କୋଟି ୨୫ଲକ୍ଷ ଏବଂ ୟୁଲୁକୁ ୫୦୦ ସାଇକେଲ୍‌ ପାଇଁ ୧କୋଟି ୨୫ ଲକ୍ଷ ଲେଖାଏଁ ଦେଇ ସାଇକେଲ୍‌ କିଣିଛନ୍ତି ।

ଆଶ୍ଚର୍ଯ୍ୟର ବିଷୟ ଏହି ସାଇକେଲ୍‌ ଗୋଟିକର ଦାମ୍‌ ୨୫ହଜାର ଟଙ୍କା ହୋଇଥିଲେ ହେଁ ଏଥିରେ ସେହିପରି କୌଣସି ଅତ୍ୟାଧୁନିକ ସୁବିଧା ନାହିଁ ଯେଉଁଥିରେ ଜଣେ ଏହାକୁ ସହଜରେ ଚଲାଇପାରିବେ। ବରଂ ଥରେ ଏହି ସାଇକେଲ୍‌ ଚଲାଇଲେ ଏମିତି ଗୋଡ ହାତ ବିନ୍ଧା ହେଉଛି ଯେ, ଏହାକୁ ଚଲାଇବାକୁ କେହି ଦ୍ବିତୀୟ ଥର ରାଜି ହେଉନାହାନ୍ତି। କାହାର ହ୍ୟାଣ୍ଡେଲ ସିଟ୍‌ ଠାରୁ ବହୁତ ଉଚ୍ଚା ତ କାହାର ପେଡାଲ୍‌ ଭଲଭାବେ ବୁଲୁନି। ରାଜଧାନୀର ଉଠାଣିଆ ରାସ୍ତା ପାଇଁ ଏହି ସାଇକେଲ୍‌ଗୁଡ଼ିକ ସଂପୂର୍ଣ୍ଣ ଅନୁପଯୁକ୍ତ ହୋଇଥିଲେ ବି କର୍ତ୍ତୃପକ୍ଷ ଏହାକୁ ୨୫ହଜାର ଲେଖାଏଁ ଦେଇ କିଣିବାବେଳେ କୌଣସି ପ୍ରକାରର ସର୍ଭେ କଲେନି କି ଉଠାଣିଆ ଓ ସମତୁଲ ରାସ୍ତା ପାଇଁ ମିଳୁଥିବା ସ୍ବତନ୍ତ୍ର ସାଇକେଲ୍‌ କିଣିଲେନି। ଯେଉଁଥିପାଇଁ ଆରମ୍ଭରୁ ଧକେଇ ଧକେଇ ଚାଲିଥିବା ଏହି ‘ମୋ ସାଇକେଲ୍‌’ ପ୍ରକଳ୍ପ ଏବେ ମୁହଁ ମାଡ଼ି ପଡ଼ିଛି ।

କେବଳ ଗୋଟିଏ ସାଇକେଲ୍‌କୁ ୨୫ହଜାର ଟଙ୍କା ହିସାବରେ ୨୦୦୦ ସାଇକେଲ୍‌ ପାଇଁ ୫କୋଟି ଦେଇନାହାନ୍ତି। ଗୋଟିଏ ସାଇକେଲ୍‌ର ବାର୍ଷିକ ମରାମତି ପାଇଁ ୫ହଜାର ଟଙ୍କା ଦେବେ ବୋଲି ଘରୋଇ ସଂସ୍ଥା ସହ ଚୁକ୍ତି କରିଛନ୍ତି। ଏହିପରି ବର୍ଷକୁ କୋଟିଏ ଟଙ୍କା କେବଳ ମରାମତି ବାବଦକୁ ଦେ‌ବେ। ଘରୋଇ ସଂସ୍ଥାକୁ ସାଇକେଲ୍‌ ପିଛା ୨୫ହଜାର ଦେବା ପରେ ଏହି ୫ହଜାର ଟଙ୍କା କ’ଣ ଆବଶ୍ୟକ ଥିଲା? ଯଦି ସାଇକେଲ୍‌ ମରାମତି ପାଇଁ ବର୍ଷକୁ ୫ହଜାର ଟଙ୍କା ଖର୍ଚ୍ଚ ହେବ ତେବେ ସେ ସାଇକେଲ୍‌ ଚଲାଇବାକୁ କେତେ ଉପଯୋଗୀ ହେବ ତାହା ସହଜେ ଅନୁମେୟ। ଏହି ସାଇକେଲ୍‌ର ଚକା ଲିକ୍‌ ହେବା ଭଳି ଟାୟାର ଟ୍ୟୁବ୍‌ର ନଥିଲା ଯେ, ବାରମ୍ବାର ଚକା ଟ୍ୟୁବ୍‌, ଟାୟାର ବଦଳାଇବାକୁ ଅଧିକ ଖର୍ଚ୍ଚ ହେବ। ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷଙ୍କ ମୋ ସାଇକେଲ୍‌ ନେଇ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ଭୁଲ୍‌ ପ୍ରମାଣିତ ହୋଇ ଚାଲିଛି।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ମୋ ସାଇକେଲ୍‌ ପାଇଁ ୫କୋଟି ପୁଞ୍ଜିନିବେଶ କରିବା ପରେ ବି ଏହାର ରୋଜଗାରର ସବୁ ପ୍ରାପ୍ୟ ଘରୋଇ ସଂସ୍ଥା ହାତକୁ ଟେକିଦେଲେ। ଅର୍ଥାତ୍‌ ଯେଉଁ ସଂସ୍ଥା ମୋ ସାଇକେଲ୍‌ ଚଲାଇବ ସେ ଲୋକଙ୍କ ଠାରୁ ସଦସ୍ୟତା ବାବଦକୁ ଯେ‌ତିକି ଟଙ୍କା ପାଇବ, ଭଡ଼ା ବାବଦକୁ ଯେତିକି ଟଙ୍କା ପାଇବ ବା ‌କୌଣସି ସଂସ୍ଥାକୁ ମୋ ସାଇକେଲ୍‌ ଭଡ଼ା ଦେଇ ଯେଉଁ ଟଙ୍କା ପାଇବ ତାହା ସେ ନେବ। ଏମିତି ଚୁକ୍ତି କଲେ ଯେ, ନିଜ ଖାତାକୁ ଟଙ୍କାଟେ ଆସିବାର ବାଟ ନାହିଁ। ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମୋ ସାଇକେଲ୍‌ କିଣିଲେ ଅଥଚ ସେଗୁଡ଼ିକ କେଉଁଠି ଡ୍ରେନ୍‌ ଭିତରେ ଗଡ଼ିଲା ତ କେଉଁଠି ଅଳିଆ ଗଦାରେ ପଡ଼ିଥିବା ଦେଖିବାକୁ ମିଳିଲା। ଏପରିକି କିଏ ସିଟ୍‌ ଖୋଲି ନେଇଗଲେ ତ କିଏ ବେଲ୍‌ ଖୋଲି ନେଇଗଲେ। କିନ୍ତୁ କର୍ତ୍ତୃପକ୍ଷ ଚୁପ୍‌ ବସିଲେ। ଯାହାର ଫାଇଦା ନେଇ ଘରୋଇ ସଂସ୍ଥା ନିଜ ଇଚ୍ଛାରେ ସାଇକେଲ୍‌ ଚଳାଉଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ୫କୋଟି ଟଙ୍କା ଖର୍ଚ୍ଚ କରି ସାଇକେଲ୍‌ କିଣିବା ପରେ ଏମିତି କ’ଣ ହେଲା ଯେ, ତାହାକୁ ଆଡ଼ ଆଖିରେ ଚାହିଁଲେ ନାହିଁ। ଯେଉଁ ବାବୁମାନେ ଟଙ୍କା ଦେଇଥିଲେ ସେମାନଙ୍କୁ ‘ମୋ ସାଇକେଲ୍‌’ ଅବସ୍ଥା ଦେଖି ଟିକିଏ ବି କଷ୍ଟ ଲାଗିଲାନି। ରାଜଧାନୀରେ ‘ମୋ ସାଇକେଲ୍‌’ ପରିଚାଳନା ଦାୟିତ୍ବରେ ଥିବା କ୍ରୁଟ୍‌ କର୍ତ୍ତୃପକ୍ଷ କ’ଣ ‘ମୋ ବସ୍‌’ ଯୋଜନାକୁ ସଫଳ କରିବା ଭଳି ଏହି ଯୋଜନାକୁ ସଫଳ କରିପାରିନଥାନ୍ତେ। ଏହି ପ୍ରଶ୍ନର ଉତ୍ତର ବି ଅଛି ।

ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ‘ମୋ ସାଇକେଲ୍‌’ କିଣିଥିଲେ ବି ଏହାର ପରିଚାଳନା ଦାୟିତ୍ବ କ୍ରୁଟ୍‌ ବା କ୍ୟାପିଟାଲ ରିଜିଅନ୍ ଅର୍ବାନ୍‌ ଟ୍ରାନ୍ସପୋର୍ଟକୁ ଦେଇଦେଲେ। କ୍ରୁଟ୍‌କୁ ଏମିତି ଢଙ୍ଗରେ ଦାୟିତ୍ବ ହସ୍ତାନ୍ତର କରାଗଲା ଯେ, ନା ଏହି ସଂସ୍ଥା ତାଗିଦ୍‌ କରିପାରିବ ନା ଯେଉଁ ସଂସ୍ଥା ଖରାପ ସେବା ଯୋଗାଇବ ତା’ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବ। କ୍ରୁଟ୍‌ କେବଳ ଘରୋଇ ସଂସ୍ଥା ସହ ମିଶି ରାଜଧାନୀରେ ‘ମୋ ସାଇକେଲ୍‌’ କିପରି ଚାଲିବ, କେଉଁଠି ଡକିଂ ସେଣ୍ଟର ହେବ ସେ କାର୍ଯ୍ୟ କରିବ। ‘ମୋ ସାଇକେଲ୍‌’ରୁ କେତେ ଟଙ୍କା ମିଳିଲା, କେତେ ଦିଆଗଲା ସେ ହିସାବ କିଛି ରଖିବନି। ଚୁକ୍ତି ଠାରୁ ଆରମ୍ଭ କରି ଗାଇଡଲାଇନ୍ ପର୍ଯ୍ୟନ୍ତ ସବୁ ବିଏସ୍‌ସିଏଲ୍‌ କରିଥିବାବେଳେ କ୍ରୁଟ୍‌କୁ କିପରି ସାଇକେଲ୍‌ ଗଡ଼ିବ ତାହାକୁ ତଦାରଖ କରିବାକୁ ଦିଆଯାଇଛି। ଜଣଙ୍କର ଦୁଇ ଗୋଡ଼ ବାନ୍ଧି ଦଉଡ଼ିବାକୁ କହିବା ଯାହା କ୍ରୁଟ୍‌କୁ କିଛି କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ନଦେଇ ପରିଚାଳନା ଦାୟିତ୍ବ ଦେବା ସେହି ସଙ୍ଗେ ସମାନ। ଆସନ୍ତା ନଭେମ୍ବରକୁ ରାଜଧାନୀରେ ମୋ ସାଇକେଲ୍‌ ଗଡ଼ିବାର ଦୁଇବର୍ଷ ବିତିବ। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ୍‌)ର ଅନ୍ୟତମ ବିଫଳ ପ୍ରକଳ୍ପ ପାଲଟିଥିବା ମୋ ସାଇକେଲ୍‌ ପଛରେ କେତେ ବଡ଼ କେଳେଙ୍କାରୀ ଚପି ରହିଥିଲା ତାହା ଏବେ ଜଣାପଡ଼ିଛି ।