ୟୁପିଏସସିର ବଡ ନିଷ୍ପତ୍ତି । ନିଜ ଇଚ୍ଛାନୁସାରେ ପରୀକ୍ଷା କେନ୍ଦ୍ର ଚୟନ କରିବେ ସିଭିଲ ସର୍ଭିସ ପରୀକ୍ଷାର୍ଥୀ : ଫାଷ୍ଟ ଆଲର୍ଟ ଫାଷ୍ଟ ଆଲଟ ଭିତିରେ ଦିଆଯିବ ମନପସନ୍ଦ କେନ୍ଦ୍ର

132

କନକ ବ୍ୟୁରୋ : ସିଭିଲ ସର୍ଭିସେସ୍ ପ୍ରିଲିମିନାରୀ ଓ ଭାରତୀୟ ବନସେବା ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ଅକ୍ଟୋବର ୪ ତାରିଖ ରବିବାର ଦିନ ସମଗ୍ର ଦେଶରେ ଅନୁଷ୍ଠିତ ହେବ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିଜ ଇଚ୍ଛାନୁସାରେ ପରୀକ୍ଷା କେନ୍ଦ୍ର ଚୟନ କରିପାରିବେ ପରୀକ୍ଷାର୍ଥୀ । ଏହି ଦୁଇ ପରୀକ୍ଷା ପାଇଁ ଆବେଦନ କରିଥିବା ବହୁ ସଂଖ୍ୟକ ପ୍ରାର୍ଥୀ ସେମାନଙ୍କ ପରୀକ୍ଷା କେନ୍ଦ୍ର ବଦଳାଇବା ପାଇଁ ଅନୁରୋଧ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଲୋକସେବା ଆୟୋଗ ସଂପୃକ୍ତ ପ୍ରାର୍ଥୀମାନଙ୍କୁ ନିଜ ନିଜର ପସନ୍ଦ ଯୋଗ୍ୟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ସୁଯୋଗ ଦେବାକୁ ନିଷ୍ପତି ନେଇଛି ।

ଏଥିପାଇଁ ପ୍ରାର୍ଥୀମାନେ ନିଜ ପସନ୍ଦ ମୁତାବକ କେନ୍ଦ୍ରର ନାମ ଦେବାକୁ କହିଛି ୟୁପିଏସସି । ସଂଶୋଧି୍ତ ପରୀକ୍ଷା କେନ୍ଦ୍ର ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ସେମାନଙ୍କ ପ୍ରସ୍ତାବ ଆୟୋଗର ୱେବସାଇଟରେ ଦାଖଲ କରିପାରିବେ । ଜୁଲାଇ ୬ ରୁ ୧୩ ତାରିଖ ଓ ଜୁଲାଇ ୨୦ରୁ ୨୪ ତାରିଖ ଏହି ଦୁଇ ପର୍ଯ୍ୟାୟରେ ନୂଆ ପରୀକ୍ଷା କେନ୍ଦ୍ର ନେଇ ଆବେଦନ କରିପାରିବେ ପ୍ରାର୍ଥୀ । ଫାଷ୍ଟ ଆଲଟ୍ ଫାଷ୍ଟ ଆଲଟ ଭିତିରେ ମନପସନ୍ଦ କେନ୍ଦ୍ର ପ୍ରଦାନ କରାଯିବ । ଯେଉଁ ଆବେଦନକାରୀ ନିଜ ମନପସନ୍ଦର କେନ୍ଦ୍ର ପାଇ ପାରିବେ ନାହିଁ, ଅବଶିଷ୍ଟ କେନ୍ଦ୍ରରୁ ଗୋଟିଏ କେନ୍ଦ୍ରକୁ ବାଛିବାକୁ ପଡ଼ିବ । ଏହାଛଡ଼ା ପୂର୍ବ ବିଜ୍ଞପ୍ତି ଅନୁସାରେ ପରୀକ୍ଷାର ଅନ୍ୟ ସମସ୍ତ ସର୍ତ ଅପରିବର୍ତିତ ରହିବ ବୋଲି କହିଛି ୟୁପିଏସସି ।