ପଛରେ ପଡ଼ିଲେ ଟ୍ରମ୍ପ, ବିଜୟର ଦ୍ୱାର ଦେଶରେ ବାଇଡେନ୍ । ୨୬୪ ଆସନ ସହ ଆଗରେ ଜୋ ବାଇଡେନ୍

311

କନକ ବ୍ୟୁରୋ : ଏବେ ବି ଜାରି ରହିଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି । କିଏ ଜିତିବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନା ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ୍ , ତା ଉପରେ ରହିଛି ସାରା ବିଶ୍ୱର ନଜର । ଏସବୁ ଭିତରେ ଶେଷ ହୋଇଥିବା ଗଣତି ଅନୁସାରେ ଢ଼େର ଆଗୁଆ ଅଛନ୍ତି ଡେମୋକ୍ରାଟ ଦଳର ପ୍ରାର୍ଥୀ ଜୋ ବାଇଡେନ । ବାଇଡେନଙ୍କୁ ୨୬୪ ଇଲେକ୍ଟୋରାଲ୍ ଭୋଟ୍ ମିଳିଛି । ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୧୪ ଇଲେକ୍ଟୋରାଲ୍ ଭୋଟ୍ ପାଇଛନ୍ତି । ଅର୍ଥାତ ବହୁମତ ଛୁଇଁବା ପାଇଁ ବାଇଡେନଙ୍କୁ ମାତ୍ର ୬ଟି ଆସନ ଆବଶ୍ୟକ ହେଉଥିବାବେଳେ ଟ୍ରମ୍ପ ବହୁ ଦୂରରେ ରହିଛନ୍ତି ।

ଆମେରିକାରେ ରାଷ୍ଟ୍ରପତି ଚୟନ ହେବା ପାଇଁ ଅତିକମରେ ଆବଶ୍ୟକ ୨୭୦ ଇଲେକ୍ଟୋରାଲ ଭୋଟ ଆବଶ୍ୟକ । ପ୍ରାୟ ୧୦ କୋଟି ଭୋଟ୍ ପୋଷ୍ଟାଲ ବାଲଟ ଓ ଇ ବାଲଟରେ ଆସିଥିବାରୁ ଏହାର ଗଣତି ପ୍ରକ୍ରିୟାରେ ବିଳମ୍ୱ ହୋଇଛି । ତେଣୁ କିଏ ରାଷ୍ଟ୍ରପତି ହେବ ସେ ନେଇ ସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ବାଇଡେନ୍ ଆଗୁଆ ଅଛନ୍ତି ।

ଅନ୍ୟପଟେ ଫଳାଫଳକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କିଛି ରାଜ୍ୟରେ ଭୋଟିଂରେ ଗଡବଡ ହୋଇଥିବା ଅଭିଯୋଗ ଆଣିଛନ୍ତି । ୱିସକିନସନ୍ରେ ରି-କାଉଁଟିଂ ଦାବି କରିଛନ୍ତି । ଟ୍ରମ୍ପ ଦାବି କରିଛନ୍ତି ପ୍ରଥମେ ସେ ଆଗରେ ଚାଲିଥିଲେ । କିନ୍ତୁ ଅଚାନକ ଜୋ ବାଇଡେନ୍ ଙ୍କ ସପକ୍ଷରେ ଚାଲି ଯାଇଛି ଫଳାଫଳ ।

ସେପଟେ ନିର୍ବାଚନ ପରିଣାମକୁ ନେଇ ଆମେରିକାର ଅନେକ ସହରରେ ବିକ୍ଷୋଭ ଓ ପ୍ରତିବାଦ ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ଗଣତି ବନ୍ଦ କରିବାକୁ ଦାବି କରି ପ୍ରତିବାଦ କରିଥିବାବେଳେ ତାଙ୍କ ବିରୋଧରେ ବହୁ ସଂଖ୍ୟାରେ ଗୋଷ୍ଠି ବାହାରେ ବିକ୍ଷୋଭ କରିଛନ୍ତି ।