ବ୍ରାଉନ ସୁଗାରର ସନ୍ଧାନ ପାଇ ବାଲେଶ୍ୱରରେ ପହଂଚିଲା ଭୁବନେଶ୍ୱର ଏସଟିଏଫ : କାରବାରରେ ସଂପୃକ୍ତି ଅଭିଯୋଗରେ ବସଷ୍ଟାଣ୍ଡରୁ ଯୁବକକୁ ଉଠାଇ ଆଣିଲା ରାଜଧାନୀ; ଧଳା ଜହର ଜବତ, ଜଣାପଡିନାହିଁ ପରିମାଣ ଓ ମୂଲ୍ୟ 

97

କନକ ବ୍ୟୁରୋ : ବାଲେଶ୍ୱରରେ ବ୍ରାଉନ ସୁଗାର କାରବାରର ସୁରାଗ ପାଇ ପହଂଚିଲା ଭୁବନେଶ୍ୱର ଏସଟିଏଫ । ଟାଉନ ଥାନା ସାମ୍ନାରେ ଗତକାଲି ବିଳମ୍ବିତ ରାତିରେ ଲାଗିଥିଲା ଭୁବନେଶ୍ୱରରୁ ଯାଇଥିବା ପୋଲିସ ଏସଟିଏଫର ଗାଡି । ବେଶ କିଛି ସମୟ ଧରି ଲାଗି ରହିଥିବା ଏହିଭଳି ଗହଳି ଚହଳି ସହ ତନାଘନା । ବୁଝିବାରୁ ଜଣାପଡିଲା ବ୍ରାଉନ ସୁଗାର କାରବାରର ସନ୍ଧାନ ପାଇ ଭୁବନେଶ୍ୱରରୁ ଛୁଟି ଆସିଛି ୬ ଜଣିଆ ସ୍ୱତନ୍ତ୍ର ଟିମ୍ । ବସଷ୍ଟାଣ୍ଡ ଅଂଚଳର ଜଣେ ଯୁବକକୁ ପୋଲିସ କାବୁ କରି ଟାଉନ ଥାନାରେ ହାଜର କରିବା ପରେ ସାଙ୍ଗରେ ଭୁବନେଶ୍ୱର ନେଇଯାଇଥିବା ଜଣାପଡିଛି । ଯୁବକକୁ ଗିରଫ କରିବା ସହ ବ୍ରାଉନ ସୁଗାର ମଧ୍ୟ ଜବତ କରିଛି ଭୁବନେଶ୍ୱର ଏସଟିଏଫ । ହେଲେ କେତେ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି, ତାହା ଜଣା ପଡିନାହିଁ । ବଡକଥା ହେଉଛି ବାଲେଶ୍ୱରରେ ଦୀର୍ଘଦିନ ହେଲା ଏହିଭଳି ଧଳା ଜହର କାରବାର ଚାଲିଛି । ଏଥିରେ ପୋଲିସର ସଂପୃକ୍ତି ଅଭିଯୋଗ ବି ହେଉଛି ।

ନିକଟରେ ଡ୍ରଗ୍ସ ମାଫିଆଙ୍କ ସହ ଫୋନରେ ବାର୍ତାଳାପ ଘଟଣା ଭାଇରାଲ ହେବା ପରେ ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁଙ୍କୁ କାର୍ଯ୍ୟରୁ ନିଲଂବନ କରିଛନ୍ତି ପୋଲିସ ଡିଜି । ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହ ଡ୍ରଗ୍ସ ମାଫିଆଙ୍କ ଜବତ ଗାଡିକୁ ଛାଡିବା ପାଇଁ ମୁଲଚାଲ କରୁଥିବା ନେଇ ଫୋନ ବାର୍ତାଳାପର ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବେ ପୁଣି ଭୁବନେଶ୍ୱରରୁ ପୋଲିସ ଏସଟିଏଫ ଟିମ୍ ବାଲେଶ୍ୱର ଯାଇ ବସଷ୍ଟାଣ୍ଡରୁ ଜଣେ ଡ୍ରଗ୍ସ ବେପାରୀକୁ କାବୁ କରି ଭୁବନେଶ୍ୱର ଆଣିଛି ।

 

Comments are closed.