ଓଡିଶାରେ ପହଞ୍ଚିଲା ଭାରତ ଯୋଡୋ ନ୍ୟାୟ ଯାତ୍ରା । ସିନ୍ଦୁର ଲଗାଇ ରାହୁଲଙ୍କୁ ବନ୍ଦାପନା କଲେ ମହିଳା । କହିଲେ, ଶୁଣିବାକୁ ଆସିଛନ୍ତି ଓଡିଶା ଲୋକଙ୍କ କଥା

233

କନକ ବ୍ୟୁରୋ: ମଣିପୁରରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା, ଓଡିଶାରେ ପହଞ୍ଚିଛି । ଝାଡଖଣ୍ଡ ସୀମା ଅତିକ୍ରମ କରି ସୁନ୍ଦରଗଡ ବୀରମିତ୍ରପୁରଠାରେ ଓଡିଶାରେ ପ୍ରବେଶ କରିଛନ୍ତି କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀ । ଆଉ ଓଡିଶା ମାଟିରେ ପାଦ ଦେବା ପରେ ରାହୁଲଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ହଜାର ହଜାର କଂଗ୍ରେସ ନେତା ଓ କର୍ମୀ ରାହୁଲଙ୍କୁ ସ୍ୱାଗତ କରିଛନ୍ତି ।

  • ଓଡିଶାରେ ରାହୁଲ ଗାନ୍ଧୀ
  • ଓଡିଶାରେ ପଞ୍ଚିଲା ନ୍ୟାୟ ଯାତ୍ରା
  • ରାହୁଲଙ୍କୁ ଭବ୍ୟ ସ୍ୱାଗତ

ବୀରମିତ୍ରପୁରଠାରେ ଓଡିଶା କଂଗ୍ରେସ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯିବା ପରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ପତାକା ରାଜ୍ୟ କଂଗ୍ରେସକୁ ହସ୍ତାନ୍ତର କରାଯାଇଛି । ଆୟୋଜିତ ସଭାରେ ରାହୁଲ ଗାନ୍ଧୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଆଉ ଓଡିଶାବାସୀଙ୍କ କଥା ଶୁଣିବାକୁ ଆସିଥିବା କହିଛନ୍ତି । ପତାକା ହସ୍ତାନ୍ତର ପରେ ବୀରମିତ୍ରପୁରରୁ ନ୍ୟାୟଯାତ୍ରା ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧୀ । ୧୧ କିଲୋମିଟର ଯାତ୍ରା କରିବା ପରେ ରାମପାଲ ଛକରେ ଏକ ସଭାରେ ଯୋଗଦେବେ । ତା ପରେ ଆଜି ରାତି ସେହିଠାରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି ।

ବୁଧବାର ସକାଳୁ ରାଉରକେଲାରୁ ପୁଣି ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ । ରାଉରକେଲା ବିର୍ସାମୁଣ୍ଡା ଛକରୁ ପାନପୋଷ ଛକ ଯାଏଁ ଯାତ୍ରା ପରେ ସେଠାରେ ସାଧାରଣ ସଭା କରିବେ । ରାଣୀବନ୍ଧରୁ ଯାତ୍ରା, କୁତ୍ରା, ବଡଗାଁରେ ଦେବେ ଉଦବୋଧନ । ସୁନ୍ଦରଗଡରେ ପଦଯାତ୍ରା ଓ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ୮ ତାରିଖରେ ଝାରୁସୁଗୁଡା ମହାତ୍ମା ଗାନ୍ଧୀ ଛକରୁ ପୁଣି ଯାତ୍ରାରେ ବାହାରିବେ । ଅପରାହ୍ନ ୩ଟା ୪୫ରେ ଓଡିଶା-ଛତିଶଗଡ ସୀମା ଅତିକ୍ରମ କରିବାର କାର୍ଯ୍ୟକ୍ରମ ରହିଛି ।