ଅଳସୀ ଫୁଲର ହଳଦିଆ କ୍ଷେତ । କ୍ଷେତ ଧାରେ ଧାରେ ଶୀତ ଗାଏ ଗୀତ । କୁହୁଡି- କାକର ଲେଖୁଛନ୍ତି କୋରାପୁଟିଆ ଶୀତର କାହାଣୀ…

254

ତମେ ତ ଗାଉଛ ପ୍ରୀତିର ସଙ୍ଗୀତ
ମୁଁ ବଜାଏ ଏଠି ବଂଶୀ
ଯୁଗଳବନ୍ଦୀରେ ନାଚୁଥାଏ ଫୁଲ
ନାଁ ଟା ତାର ‘ଅଳସୀ’…

ଅଳସୀ ଫୁଲର ଉପତ୍ୟକା: ଏଠି କୁହୁଡି ଆଉ କାକରର ଭେଟ ହୁଏ, ମାଟି ଆଉ ମେଘର ମିଳନ ପାଇଁ ଶେଯ ସଜଡା ହୁଏ । କିଆରି କିଆରି ହସର ହାଟରେ ପବନ ପ୍ରେମର ଫରଫ୍ୟୁମ୍ ମାରେ, କୁଞ୍ଚୁ କୁଞ୍ଚିଆ ପାହାଡ କଡେ କଡେ ଶୀତ ସହ ସନ୍ଧି କରି କାକର ଫୁଲେଇ ଫୁଲ ସହ ପରକୀୟା ପ୍ରୀତି ମାତେ, ରାତି ଗାଢ ହୁଏ, ମାଟି ଓଦା ହୁଏ, ଛାତି ବତୁରିଯାଏ । ଆଉ ସକାଳ ହେଲା ବେଳକୁ ସବୁ ଲୁଚାଛୁପା ପ୍ରେମ ଫର୍ଚ୍ଚା ଆଲୁଅରେ ଧରାପଡେ । ନୀଳ ଆକାଶ ତଳେ ନିଶାପ ହୁଏ, କାକର ପାଇଁ କଙ୍ଗାରୁକୋର୍ଟ ବସେ । ନିଶ୍ୱାସ- ବିଶ୍ୱାସର ଖେଳ ଭିତରେ କାକର କାରାବନ୍ଦୀ ହୁଏ । ଅଳସୀକୁ କଳଙ୍କହୀନା ବୋଲି ଘୋଷଣା କରାଯାଏ । ରାତିର ରୋମାଞ୍ଚ- ପାପ ନା ପ୍ରେମ ? ନିଜକୁ ପଚାରି ପଚାରି ଅଳସୀ ପୁଣି ଆଖିରେ କଜଳ ମାଖେ । ଆଉ ବାଟୋଇଙ୍କୁ ଆକର୍ଷିତ କରିବାକୁ ଇସାରା ଦିଏ ।

ଶୀତ ଆଉ ଅଳସୀ ଫୁଲର ଏକ ଅପୂର୍ବ ସଂଯୋଗ । ଜଣେ ଆସିଲେ, ଆଉ ଜଣେ ଫୁଟେ, ବାସେ, ମହକି ଯାଏ । ସେଇଥିପାଇଁ ତ କୋରାପୁଟର ହଳଦୀ ରଙ୍ଗର ଫୁଲ ଲୋକଙ୍କୁ ହାତ ଠାରି ଡାକିଲାଣି । ଶୀତ ସକାଳର ସଜ ସଜ ଉଇଁଥିବା ସୂର୍ଯ୍ୟଙ୍କ ସୁନେଲୀ କିରଣ ପଡି ଆହୁରି ସୁନ୍ଦର ଦିଶେ ଅଳସୀ । ଏକର ଏକର ଜମିରେ ଅଳସୀ ଫୁଲର ସମ୍ଭାର ପ୍ରକୃତି ପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରେ, ବିଭୋର କରେ ।

କୋରାପୁଟର ସକାଳ କାଳେ ଭାରି ରୋମାଣ୍ଟିକ ଅନ୍ୟ ସ୍ଥାନର ସକାଳ ପରି । ଯିଏ ଯାଇଛି ସେ ଜାଣିଥିବ । ସେମିଳିଗୁଡା, ସୁନାବେଡା, ଦାମନଯୋଡି ଆଦି ଅଞ୍ଚଳରେ ସକାଳେ କୁକୁଡିର କୁହୁକ ଦେଖିବାକୁ ମିଳୁଛି । ରାସ୍ତା ଘାଟରେ କୁକୁଡିମାନେ କବିତା ପଢୁଥିବା ବେଳେ ଶୀତୁଆ ଓଠ ଉଷୁମ ଚା କପ ଖୋଜେ । ଦିନ ସାରା କୋହଲା ପାଗର ଅନୁଭବ ମନକୁ ରୋମାଞ୍ଚିତ କରେ । ଆଉ ଲୋକେ ଶୀତର ଅତିଥି ଅଳସୀ ସହ ନିରୋଳାରେ ସମୟ ବିତେଇବାକୁ ଧାଇଁ ଯାଆନ୍ତି ନିଛାଟିଆ ବିଲ ଗହୀରକୁ, ଯେଉଁଠି କଳଙ୍କିତର ଟ୍ୟାଗ ମୁଣ୍ଡେଇ ବଦନାମ ହୋଇଥିବା ପ୍ରେମିକ କାକରର ଅପେକ୍ଷାରେ ଥାଏ ଅଳସୀ ଫୁଲ… ଯିଏ ଉପରେ ହସୁଥାଏ କିନ୍ତୁ ଭିତରେ ଭିତରେ ଶୀତ ଜୁଡୁବୁଡୁ ରାତିକୁ ଭାରି ଖୋଜୁଯାଏ ।