ଟ୍ରମ୍ପଙ୍କ ଅଭେଦ୍ୟ ସୁରକ୍ଷାକବଚ ‘ଦ ବିଷ୍ଟ’ । ଯାହା ଆକ୍ରମଣ ସମୟରେ ୧୮୦ ଡିଗ୍ରୀରେ ବୁଲିପାରିବ, ସହଜରେ ଫାଟିବନି ଚକା, ବିସ୍ଫୋରଣରୁ ରାଷ୍ଟ୍ରପତିଙ୍କୁ କରିବ ରକ୍ଷା । ଜାଣନ୍ତୁ ଆମେରିକା ରାଷ୍ଟ୍ରପତିଙ୍କ କାର ‘ବିଷ୍ଟ’ ସମ୍ପର୍କରେ କିଛି ।

922

କନକ ବ୍ୟୁରୋ : ଆସନ୍ତା ୨୪ରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଉ ଏଥିପାଇଁ ଏବେଠୁ ଜୋରଦାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ଖାସକରି ଟ୍ରମ୍ପଙ୍କ ସୁରକ୍ଷା ଉପରେ ଜୋର ଦିଆଯାଇଛି । ଟ୍ରମ୍ପ ଯିବାକୁ ଥିବା ରାସ୍ତାକୁ କଡା ସୁରକ୍ଷାବଳୟ ମଧ୍ୟରେ ରଖାଯିବା ସଭାସ୍ଥଳରେ ଉଭୟ ଭାରତୀୟ ଓ ଆମେରିକା ସୁରକ୍ଷାକର୍ମୀ ଟ୍ରମ୍ପଙ୍କ ପାଇଁ ସୁରକ୍ଷାକବଚ ହୋଇ ଛିଡା ହେବେ । ଏହାବାଦ ଟ୍ରମ୍ପଙ୍କ ପାଇଁ ଆଉ ଏକ ସୁରକ୍ଷାକବଚ ହେଉଛି ତାଙ୍କ କାର ଦ ବିଷ୍ଟ । ଯେଉଁ କାରରେ ବସି ଟ୍ରମ୍ପ ସର୍ଦ୍ଦାର ପଟେଲ ଷ୍ଟାଡିୟମକୁ ଆସିବେ । ଦ ବିଷ୍ଟକୁ ସୁରକ୍ଷାକବଚ କୁହାଯିବା ପଛର ବଡ କାରଣ ହେଉଛି ଏହି କାରର ସୁରକ୍ଷାବ୍ୟବସ୍ଥା । ଏହି ଅତ୍ୟାଧୁନିକ କାରର ସୁରକ୍ଷା ବ୍ୟବସ୍ଥା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ।

ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପ ବ୍ୟବହାର କରୁଥିବା ଦ ବିଷ୍ଟ ଗାଡି ସମ୍ପୂର୍ଣ୍ଣ ଭାବେ ବୁଲେଟପ୍ରୁଫ୍ । ୧୮ ଫୁଟ ଲମ୍ବା, ସାଢେ ସାତ ଟନ୍ ବିଶିଷ୍ଟ ବିଷ୍ଟର ବଡି ଆଠ ଇଞ୍ଚ ଓ ବୁଲେଟପ୍ରୁଫ୍ କାଚ ୫ ଇଞ୍ଚ ମୋଟେଇରେ ନିର୍ମିତ ହୋଇଛି । ଏଥିରେ ଷ୍ଟିଲ୍, ଟାଇଟାନିଅମ, ଆଲୁମିନିୟମ ଓ ସେରାମିକ ବ୍ୟବହାର କରାଯାଇଛି । ଯେଉଁଥିପାଇଁ ଏହାର ଦ୍ୱାର ବୋଇଙ୍ଗ ୭୪୭ ବିମାନର ଦ୍ୱାର ଭଳି ମଜବୁତ । ସବୁଠୁ ବଡ କଥା ହେଲା ଏହି କାର ଘଣ୍ଟାପ୍ରତି ୬୦ ମାଇଲ ବେଗରେ ଗତି କରିବ । ଆମେରିକା ରାଷ୍ଟ୍ରପତିଙ୍କ ପାଇଁ କାଡିଲେକ କମ୍ପାନି ଲିମୋଜିନ ମଡେଲର ଏହି କାର ନିର୍ମାଣ କରିଛି ।

ଜରୁରୀକାଳୀନ ସ୍ଥିତିରେ ଯୋଗାଯୋଗ କରିବା ପାଇଁ ଏହି କାରରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଯେପରିକି ଜରୁରୀକାଳୀନ ସ୍ଥିତିରେ ଯୋଗାଯୋଗ କରିବା ପାଇଁ ସମ୍ମୁଖ ଭାଗ ସିଟରେ ଏକ ସାଟେଲାଇଟ ଫୋନ ରହିଛି । ଯାହା ସାହାଯ୍ୟରେ ସିଧାସଳଖ ଉପରାଷ୍ଟ୍ରପତି ଓ ପେଣ୍ଟାଗନ ସହ ଯୋଗାଯୋଗ କରାଯାଇପାରିବ । ଏହାଛଡା ଯଦି କୌଣସି ଆକ୍ରମଣ ହୁଏ ତେବେ ଏହି କାରର ବିଶେଷ କ୍ଷତି ହେବ ନାହିଁ । ଏପରିକି ଭିତରେ ଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିପାରିବ । କୌଣସି ଆକ୍ରମଣକୁ ଘଉଡାଇବା ପାଇଁ ଏହି କାର ଚାଲୁଥିବା ସମୟରେ ୧୮୦ ଡିଗ୍ରୀରେ ବୁଲିପାରିବ । ଏଥିରେ ଏଭଳି ଷ୍ଟିଲ ପ୍ଲେଟ ଲାଗିଛି ଯାହା ବମ୍ ବିସ୍ପୋରଣରୁ କାରକୁ ରକ୍ଷା କରିପାରିବ ।ଏହାବାଦ୍ ଏଥିରେ ଲୁହବୁହା ଗ୍ୟାସ୍ ଥିବା ଭରି ରହିଥିବା ବେଳେ ଗ୍ରେନେଡ ଲଞ୍ଚର ଓ ନାଇଟ୍ ଭିଜନ କ୍ୟାମେରା ମଧ୍ୟ ଲାଗିଛି । ଏହାଛଡା ଏଥିରେ ଇଣ୍ଟରନେଟ ବ୍ୟବସ୍ଥା ସହ ଜିପିଏସ ଟ୍ରାକିଂ ସେଣ୍ଟର ମଧ୍ୟ ରହିଛି ।

ବିଷ୍ଟ ସମ୍ପୂର୍ଣ୍ଣ ଭାବେ ଏଥିପାଇଁ ସୁରକ୍ଷିତ କାରଣ ଏହି କାରର ଚକା ଫାଟିବାର ସମ୍ଭାବନା ନଥାଏ । କାରର ଚକା ସିନ୍ଥେଟିକ୍ ଫାଇବରରେ ଆବୃତ ହୋଇଥାଏ । ଯଦି ଟାୟାର ଫାଟିଯାଏ ତେବେ ମଧ୍ୟ ଏହି କାର ରିମ୍ ସାହାଯ୍ୟରେ ଗଡିପାରିବ । ଏହି କାରରେ ସର୍ବଦା ରାଷ୍ଟ୍ରପତିଙ୍କ ବ୍ଲଡ ଗ୍ରୁପ ଅନୁଯାୟୀ ୨ ୟୁନିଟ୍ ବ୍ଲଡ ରଖଯାଇଥାଏ । ଯଦି କୌଣସି କାରଣରୁ ରାଷ୍ଟ୍ରପତିଙ୍କ ଦେହରେ ଗୁଳି ବାଜେ ତେବେ ଗାଡି ଭିତରେ ହିଁ ରକ୍ତ ଦିଆଯାଇପାରିବ । ଏପରିକି ଗାଡିରେ ଅମ୍ଲଜାନ ସପ୍ଲାଇର ବ୍ୟବସ୍ଥା ମଧ୍ୟ ରହିଛି । ଯେଉଁଥିପାଇଁ ଏହି କାରର ମୂଲ୍ୟ ୧୦ କୋଟି ଟଙ୍କାରୁ ଅଧିକ ରହିଛି ।

ସେହିଭଳି ରାଷ୍ଟ୍ରପତିଙ୍କ ସହ କାରକେଡରେ ଆସୁଥିବା ଗାଡି ଗୁଡିକ ମଧ୍ୟ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଗାଡି । ଯେଉଁ ଗାଡି ଗୁଡିକ ମଧ୍ୟରୁ କିଛି ଗାଡିରେ ସୁରକ୍ଷା ଅଧିକାରୀ ଆସୁଥିବା ବେଳେ ଅନ୍ୟ କିଛି ଗାଡିରେ ଜାମର ଲାଗିଥାଏ । ଯାହା କୌଣସି ପ୍ରକାର ଆକ୍ରମଣର ଆଗୁଆ ସୂଚନା ଦେଇଥାଏ । ତେଣୁ ବିଷ୍ଟକୁ ଟ୍ରମ୍ପଙ୍କ ସୁରକ୍ଷାକବଚ ବୋଲି କୁହାଯାଇଥାଏ ।