ଭାଲୁ ମଣିଷ ଲଢ଼େଇ, ଜୀବନ ନେଲା ଭାଲୁ । ପାଲଟା ଆକ୍ରମଣ କରି ଭାଲୁକୁ ମାରିଦେଲେ ଲୋକେ ।

248

କନକ ବ୍ୟୁରୋ: ଭାଲୁ-ମଣିଷ ଲଢେଇ । ଭାଲୁ ସହ ୪୦ ମିନିଟ୍ ଲଢିଲେ ଠିକାଦାର । ଆଉ ହିଂସ୍ର ଜଙ୍ଗଲୀ ଭାଲୁ ଆକ୍ରମଣରୁ ବର୍ତି ନପାରି ଚାଲିଗଲା ଜୀବନ । ଏପରି ଏକ ଛାତିଥରା ଘଟଣା ଘଟିଛି ନବରଙ୍ଗପୁର ଭତରାସିଉନି ସ୍ଥିତ ଠିକାସଂସ୍ଥାର ଅସ୍ଥାୟୀ କ୍ୟାମ୍ପରେ । ଅନ୍ୟ ଦୁଇ ଜଣଙ୍କୁ ଆକ୍ରମଣ କଲା ବେଳେ ଭାଲୁକୁ ପିଟି ମାରିଦେଲେ ଲୋକେ ।

ପ୍ରଥମେ ଠିକାଦାରଙ୍କୁ ମାରିବା ପରେ ରକ୍ତମୁଖା ଭାଲୁ ଅନ୍ୟମାନଙ୍କୁ ଆକ୍ରମଣ କରିବାକୁ ଆସିଥିଲା । ଏହି ସମୟରେ ଶତାଧିକ ଲୋକ ଏକାଠି ହୋଇ ଭାଲୁକୁ ପିଟି ପିଟି ମାରିଦେଇଥିଲେ । ମୃତ ଠିକାଦାର ହେଉଛନ୍ତି ମଧ୍ୟପ୍ରଦେଶ ସତନା ଜିଲ୍ଲା ମହିହାର ଗାଁର ବ୍ରିଜେଶ ଦିୱେଦି । ସେ ଶନିବାର ଭୋରରୁ ଶୌଚ ପାଇଁ ଯାଉଥିବା ବେଳେ ଭାଲୁ ମୁହଁରେ ପଡିଯାଇଥିଲେ । ବ୍ରିଜେଶଙ୍କ ଚିତ୍କାର ଶୁଣି କ୍ୟାମ୍ପର ଶ୍ରମିକ ଓ ଗାଁଲୋକେ ଭାଲୁକୁ ଘଉଡାଇ ଦେଇଥିଲେ । ସେତେବେଳକୁ ବ୍ରିଜେଶଙ୍କ ମୃତ୍ୟୁ ହୋଇଯାଇଥିଲା । ଅପରାହ୍ଣ ଭାଲୁ ପୁଣି ଗାଁର ୨ ଜଣଙ୍କୁ ଆକ୍ରମଣ ପାଇଁ ଗୋଡାଉ ଥିବା ବେଳେ ଲୋକେ ପିଟି ପିଟି ମାରିଦେଇଥିଲେ ।