ଖାଇବାକୁ ନାହିଁ, ଅନ୍ଧାରରେ ଲୋକ: ପଡୋଶୀ ପାକିସ୍ତାନର ଦେବାଳିଆ ସ୍ଥିତି

162

କନକ ବ୍ୟୁରୋ: ବିଜୁଳି ବଂଚାଇବା ଚକ୍କରରେ ଅନ୍ଧାରରେ ବୁଡିଗଲା ପଡୋଶୀ ପାକିସ୍ତାନ । ଗତ କିଛି ଦିନ ହେଲା ଭୋକ ଓ ଅଟା ସମସ୍ୟା ସହ ଯୁଝୁଥିବା ପାକିସ୍ତାନ ସୋମବାର ହଠାତ୍ ଅନ୍ଧାରରେ ବୁଡିଗଲା । ନେସନାଲ ଇଲେକ୍ଟ୍ରିସିଟି ଗ୍ରୀଡରେ ସମସ୍ୟା ଦେଖାଦେବାରୁ ଅଧା ପାକିସ୍ତାନ ବ୍ଲାକ ଆଉଟ ହୋଇଗଲା, ଆଉ ପାକିସ୍ତାନରେ ବିଜୁଳି ସଂକଟର ଉକ୍ରଟ ରୂପ ସାରା ଦୁନିଆ ଦେଖିଲା । ବିଜୁଳି ନଥିବାରୁ ସ୍ୱାସ୍ଥ୍ୟସେବା, କାରଖାନା, ମେଟ୍ରୋସେବା ଗୁରୁତର ପ୍ରଭାବିତ ହୋଇଛି । ଫଳରେ ପ୍ରାୟ ୭୦ ମିଲିୟନ ଡଲାରର କ୍ଷତି ହୋଇଥିବା ଆକଳନ କରାଯାଇଛି । ମଙ୍ଗଳବାର ସୁଦ୍ଧା କିଛି ଅଂଚଳରେ ମରାମତି ପରେ ବିଜୁଳି ସଂଯୋଗ ସ୍ୱାଭାବିକ ହୋଇଥିବା ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ।

ପୂର୍ବରୁ ଶକ୍ତି ସଂକଟର ମୁକାବିଲା ପାଇଁ ପାକିସ୍ତାନ ସରକାର ରାତି ୮ଟା ପରେ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସୋମବାର ଦେଶର ୩୦ରୁ ଅଧିକ ସହର ଅନ୍ଧାରରେ ଡୁବିଯିବା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ସ୍ଥିତି ଏମିତି ହୋଇଛି ଯେ ପାୱାର ଗ୍ରୀଡର ମରାମତି ପାଇଁ ଶେହବାଜ ସରକାରଙ୍କ ପାଖରେ ଟଙ୍କା ନାହିଁ । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦେଶର ଆର୍ଥିକ ଦୁରାବସ୍ଥା ଏମିତି ସ୍ଥିତିରେ ପହଂଚିଛି ଯେ ରାଜକୋଷରେ କେବଳ ୨ ସପ୍ତାହର ଖର୍ଚ୍ଚ ଉଠାଇବା ପାଇଁ ସମ୍ବଳ ରହିଛି । ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ୪ ଦଶମିକ ୩୪୩ ଅରବ ଡଲାରକୁ ଖସି ଆସିଛି । ଏପରି ସ୍ଥିତିରେ ବିଜୁଳି ସଂକଟ ପାକିସ୍ତାନ ପାଇଁ ବୋଝ ଉପରେ ନଳିତା ବିଡା ଭଳି ହୋଇଛି ।

ପାକିସ୍ତାନ ଗଣମାଧ୍ୟମ ଦ ଡନର ରିପୋର୍ଟ ଅନୁସାରେ ବ୍ୟବସାୟରେ ମାନ୍ଦାବସ୍ଥା ଓ ଉତ୍ପାଦନ କମୁଥିବାରୁ ୨୦୨୩ ସୁଦ୍ଧା ପ୍ରାୟ ୬୨ ଲକ୍ଷ ଲୋକ ରୋଜଗାର ହରାଇବେ । ସେପଟେ ବନ୍ୟା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବାରୁ ଖାଦ୍ୟଅଭାବ ଓ ରାଜକୋଷରେ ସମ୍ବଳ ଅଭାବ ଆଗକୁ ପାକିସ୍ତାନ ପାଇଁ ବଡ ସମସ୍ୟା ସୃଷ୍ଟି କରିବ ।