କନକ ବ୍ୟୁରୋ: ମହାପ୍ରଭୁଙ୍କ ବନକଲାଗି ବିବାଦ ସମାଧାନ ହେବା ବଦଳରେ ଆହୁରି ବଢ଼ିବାରେ ଲାଗିଛି । ଶ୍ରୀମନ୍ଦିର ପ୍ରଶାସନର ଚେତବାନୀ ସତ୍ୱେ, ଆଜି ବି ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରିନି । ଜିଦରେ ଅଟଳ ରହିଛନ୍ତି ଦତ୍ତ ମହାପାତ୍ର ସେବାୟତ । ପ୍ରଶାସନ ଆଜି ମହାପ୍ରଭୁଙ୍କ ବନକଲାଗି କରିବାକୁ ଦତ୍ତ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ ବି, ସେମାନେ ପ୍ରସ୍ତୁତ ନଥିବା ଆଳ ଦେଖାଇଛନ୍ତି । ରେକର୍ଡ ଅଫ୍ ରାଇଟ୍ସ ଆଧାରରେ ଗୁରୁବାର ବନକଲାଗି କରିବା ଜିଦରେ ଅଟଳ ରହିଛନ୍ତି । ଏବଂ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଲେ ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି କରିବେ ।

Advertisment

ବନକଲାଗି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ବି ଦତ୍ତମହାପାତ୍ର ସେବାୟତ ପାଳନ କରିନଥିବାରୁ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଜଗନ୍ନାଥ ମନ୍ଦିର ରେକର୍ଡ ଅଫ୍ ରାଇଟ୍ସର ଧାରା ୩୩ ଅନୁଯାୟୀ, ସେବାରୁ ହଟିବେ ଦତ୍ତମହାପାତ୍ର ସେବାୟତ ।

ମହାପ୍ରଭୁଙ୍କ ନୀତିରେ ଏଭଳି ବିବାଦକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ । ଉଭୟ ପକ୍ଷ ଆତ୍ମବଡିମା, ଅହଙ୍କାର ଓ ଜିଦ୍ ଛାଡି, ସମାଧାନର ବାଟ ବାହାର କରନ୍ତୁ ବୋଲି ଦାବି କରିଛନ୍ତି ଶ୍ରଦ୍ଧାଳୁ । ଅନ୍ୟପଟେ ବିବାଦର ସମାଧାନ ବାଟ ବାହାରିବ ବୋଲି ଏବେ ବି ଆଶା ରଖିଛନ୍ତି ପରିଚାଳନା କମିଟି ସଦସ୍ୟ ।

ମହାପ୍ରଭୁଙ୍କ ନୀଳାଦ୍ରି ବିଜେର ୨୬ ଦିନ ପରେ ବି ମହାପ୍ରଭୁଙ୍କ ନୀତି ସମ୍ପନ୍ନ ହୋଇପାରିନି ।
ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଏଭଳି ଅନିଶ୍ଚିତତା ଦେଖା ଦେଇଛି । ତେବେ ଏଭଳି ଜିଦଖୋର ମନୋଭାବ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି ।