ଗୋଟିଏ ପରେ ଗୋଟିଏ ଦେଶରେ ବ୍ୟାନ ହେଉଛି ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକା । ରକ୍ତ ଜମାଟ ବାନ୍ଧୁଥିବା ଭଳି ପାଶ୍ୱର୍ ପ୍ରତିକ୍ରିୟା ନେଇ ଆସୁୁଛି ଅଭିଯୋଗ । 

192

କନକ ବ୍ୟୁରୋ: ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କୋଭିଡ ଟିକା ଯୋଗୁଁ ରକ୍ତ ଜମାଟ ବାନ୍ଧୁଥିବା ଭଳି ପାଶ୍ୱର୍ ପ୍ରତିକ୍ରିୟା ଖବର ସାମ୍ନାକୁ ଆସିଛି । ଏହା ପରେ ଗୋଟିଏ ପରେ ଗୋଟିଏ ଦେଶ ଏହି ଟିକା ଉପରେ କଟକଣା ଲଗାଉଛନ୍ତି । ଜର୍ମାନୀ, ଇଟାଲି, ଫ୍ରାନ୍ସ, ଆର୍ୟଲ୍ୟାଣ୍ଡ ଓ ନେଦରଲ୍ୟାଣ୍ଡ ଏହି ଟିକାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଅନ୍ୟପଟେ ଟିକା ନେବା ସହିତ ରକ୍ତ ଜମାଟ ବାନ୍ଧିବାର କୌଣସି ସର୍ମ୍ପକ ନାହିଁ ବୋଲି ଅକ୍ସଫୋର୍ଡ ଭ୍ୟାକସିନ ଗ୍ରୁପର ଭ୍ୟାକସିନୋଲୋଜିଷ୍ଟ ପ୍ରଫେସର ଆଣ୍ଡ୍ର୍ୟୁ ପୋଲାର୍ଡ କହିଛନ୍ତି ।

ଏକ ରିପୋର୍ଟକୁ ଉଲ୍ଲେଖ କରି ପୋଲାର୍ଡ କହିଛନ୍ତି, ବ୍ରିଟେନରେ ପ୍ରତିମାସ ହାରାହାରି ୩ହଜାର ଲୋକଙ୍କ ଠାରେ ରକ୍ତ ଜମାଟ ବାନ୍ଧିବା ଭଳି ମାମଲା ସାମ୍ନାକୁ ଆସିଥାଏ । ଟିକାକରଣ ମଧ୍ୟରେ ବି ଏହିଭଳି ମାମଲା ସାମ୍ନାକୁ ଆସୁଛି, ଯାହାକୁ ଟିକାକରଣ ସହିତ ଯୋଡାଯାଉଛି । ସେପଟେ ଆଷ୍ଟ୍ରାଜେନେକା ପକ୍ଷରୁ କୁହାଯାଇଛି ଯେ, ଟିକା ସୁରକ୍ଷିତ ଥିବା  ନେଇ ଆଷ୍ଟ୍ରାଜେନେକା ଓ ବିଶ୍ୱ ସ୍ତରୀୟ ଅଧିକାରୀ ମାନେ ଦାବି କରିଛନ୍ତି । ଅପରପକ୍ଷରେ ଲୋକମାନେ ବିନା କୌଣସି ଭୟରେ ଟିକା ନେବାକୁ ବ୍ରିଟେନର ଔଷଧ ନିୟନ୍ତ୍ରଣ ସଂସ୍ଥା ପକ୍ଷରୁ କୁହାଯାଇଛି ।

ଆଷ୍ଟ୍ରାଜେନିକା କରୋନା ଟିକା ନେବା ପରେ ରକ୍ତ ଜମାଟ ପରି ସମସ୍ୟା ଦେଖା ଦେଉଥିବା ଅଭିଯୋଗ ଆସିବା ପରେ ଏନେଇ ଗଭୀର ଅନୁଧ୍ୟାନ କରିବ ଭାରତ । ବର୍ତମାନ ଭାରତରେ କରୋନା ଟିକାକରଣର ପାଶ୍ୱର୍ ପ୍ରତିକ୍ରିୟା ଦିଗ ପ୍ରତି ଅଧିକ ଯତ୍ନବାନ ହୋଇ ଚଳିତ ସପ୍ତାହରୁ ଏନେଇ ଅନୁଧ୍ୟାନ ଆରମ୍ଭ କରାଯିବ ବୋଲି କୁହାଯାଇଛି ।

ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା କୋଭିଡ ଟିକା ନେଇ ପ୍ରାଶ୍ୱର୍ ପ୍ରତିକ୍ରିୟା ନେଇ ଖବର ଆସିବା ପରେ ଏନେଇ ପ୍ରତିକ୍ରିୟା ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଟିକା ନେବା ପରେ ରକ୍ତ ଜମାଟ ବାନ୍ଧିବା ନେଇ କୌଣସି ପ୍ରମାଣ ମିଳିନାହିଁ ତେଣୁ ଲୋକେ ଭୟଭିତ ହେବା ଅନୁଚିତ ବୋଲି କହିଛି ଡବ୍ଲୁଏଚଓ ।

ଆଷ୍ଟ୍ରାଜେନିକା ଟିକା ନେବା ପରେ ଦେହରେ ରକ୍ତ ଜମାଟ ହେବା ପରି ସମସ୍ୟା ଦେଖା ଦେଉଥିବା ଅଭିଯୋଗ ପରେ, ଡେନମାର୍କ, ନରୱେ, ଆଇସଲ୍ୟାଣ୍ଡ ଏବଂ ଥାଇଲାଣ୍ଡ ପରି ରାଷ୍ଟ୍ର ସାମୟିକ ଭାବେ , ଟିକାକରଣ ଉପରେ ରୋକ୍ ଲାଗିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ କୋଭିଡ ୧୯ ନାସନାଲ ଟାସ୍କ ଫୋର୍ସ , ଭାରତରେ କରୋନା ଟିକାକରଣ ନେଇ ଅଧିକ ସତର୍କ ହୋଇଛି । ବର୍ତମାନ ସୁଦ୍ଧା ଭାରତରେ ସେଭଳି ଟିକାକରଣ ପରେ କୌଣସି ବଡ ଧରଣର ସମସ୍ୟା ଦେଖିବାକୁ ମିଳିନି ।