ପାଣି ସୁଅରେ କଅଁଳା ଶିଶୁ । ଯାଜପୁର ବରୀରେ ମା ସହ ୨ ମାସର ଶିଶୁ କନ୍ୟାକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ଟିମ, ଭଦ୍ରକ ଧୁଷୁରୀରେ ମଧ୍ୟ ବନ୍ୟାପାଣିରେ ୨ ଦିନ ଧରି ଫସିରହିଥିବା ୩ ଶିଶୁ ଉଦ୍ଧାର

167

କନକ ବ୍ୟୁରୋ : ଜଳ ଭିତରେ ଜୀବନ, ଆଉ ପାଦେ ପାଦେ ବିପଦ । କୌଣସି ମୁହୁର୍ତରେ କିଛି ବି ଘଟିପାରେ । ଯାଜପୁର ବରୀ ଅଂଚଳରୁ ଆସିଥିବା ଏହି ଚିତ୍ର ଦ୍ୱାପର ଯୁଗର ଶ୍ରୀକୃଷ୍ଣଙ୍କ ସେହି କାହାଣୀକୁ ମନେ ପକାଇ ଦେଉଛି । ସେଦିନ ଶ୍ରୀକୃଷ୍ଣଙ୍କୁ ମୁଣ୍ଡେଇ ନେଉଥିଲେ ବାସୁଦେବ, ଆଉ ଆଜି ଅଗ୍ନିଶମ କର୍ମଚାରୀ ୨ ମାସର କଅଁଳ ଶିଶୁକୁ ଉଦ୍ଧାର କରୁଛନ୍ତି । ଚାହୁଁ ଚାହୁଁ ବ୍ରାହ୍ମଣୀ ନଦୀର ପାଣି ଗାଁକୁ ମାଡି ଆସିଲା, ଆଉ ପାଣିରେ ସ୍ରୋତରେ ମା’ଙ୍କ ସହ ଫଶି ଯାଇଥିଲା ଏହି ଦୁଇ ମାସର କୁନି ପିଲା ।

(ଭଦ୍ରକ) ଏପଟେ ମୃତ୍ୟୁ ମୁଖରୁ ଫେରିଛି ୩ ନିଷ୍ପାପ ଶିଶୁଙ୍କ ଜୀବନ । ଘଂଟା ଘଂଟା ଧରି ପାଣି ଘେରରେ ଫଶି ରହିଥିବା ୩ କୁନି ପିଲାଙ୍କୁ ଉଦ୍ଧାର କରିଛନ୍ତି ଏନଡିଆରଏଫ୍ ଟିମ ଯବାନ । ଶିଶୁଙ୍କ ବାପା ମାଆ ବଜାରକୁ ଯାଇଥିବା ବେଳେ ଅଚାନକ୍ ମାଡି ଆସିଥିଲା ବନ୍ୟା ପାଣି । ଆଉ ଘରେ ରହି ଯାଇଥିଲେ ଏହି ୩ ଜଣ ଶିଶୁ । ପାଣିର ସ୍ରୋତ ଅଧିକ ଥିବାରୁ ପ୍ରଥମେ ଏନଡିଆରଏଫ୍ ଟିମକୁ ପହଁଚିବା ବେଶ କଷ୍ଟକର ଥିଲା, ହେଲେ ସବୁ ପ୍ରତିଘାତକୁ ପ୍ରତିକ୍ରମ କରି ୩ ଶିଶୁଙ୍କୁ ଉଦ୍ଧାର କରାଯାଇଛି ।

(ବାଲେଶ୍ୱର) ବାଲିଆପାଳରେ ସ୍ଥିତି ଆହୁରୀ ସଂଗୀନ୍ । ପ୍ରାୟ ୨୦ଟି ଗାଁର ଲୋକ ୧୧ ଦିନ ହେଲା ପାଣି ଘେରରେ ଅଛନ୍ତି । ଆଉ ଏଭଳି ସ୍ଥିତିରେ କାଠ ଡଙ୍ଗା ସାହାଯ୍ୟରେ ପର୍ଯ୍ୟାୟକ୍ରମେ ସୁରକ୍ଷିତ ସ୍ଥାନକୁ ଫେରିବାକୁ ଉଦ୍ୟମ କରୁଛନ୍ତି ଲୋକେ । ଲୋକଙ୍କ ପାଖରେ ବିକଳ୍ପ ବି ନାହିଁ । କାରଣ ଏଯାଏଁ ପ୍ରଶାସନ ଏହି ଅଂଚଳକୁ ପହଂଚିପାରିନି । ଖାଇବା କଥା ଛାଡ଼ି ଦିଅନ୍ତୁ, ପିଇବା ପାଣି ମୁନ୍ଦେ ପାଇଁ ବନ୍ୟା ପ୍ରଭାବିତ ଅଂଚଳର ଲୋକଙ୍କୁ ୩ରୁ ୪ କିଲୋମିଟର ଜଳଯାତ୍ରା କରିବାକୁ ପଡୁଛି ।

(ଭଣ୍ଡାରୀପୋଖରୀ) ଆଉ ଏହି ଜଳଯାତ୍ରା ଭିତରେ ରହିଛି ଜଣେ ପ୍ରସୂତୀ ମହିଳାଙ୍କ ଗର୍ଭଯନ୍ତ୍ରଣାର କାହାଣୀ । ଭଣ୍ଡାରୀପୋଖରୀ ଜଳହରି ଗାଁକୁ ବନ୍ୟା ଜଳମାଡ଼ି ଆସିବାରୁ ଏହାରି ଭିତରେ ଫଶି ଯାଇଥିଲେ ଜଣେ ଗର୍ଭବତୀ ମହିଳା । ଆଉ ଏହି ମହିଳାଙ୍କ ପାଖକୁ ଦେବଦୂତ ସାଜି ପହଂଚିଥିଲେ ଏନଡିଆରଏଫ୍ ଯବାନ । ଲାଇଫ ଜ୍ୟାକେଟ ପିନ୍ଧାଇ ମହିଳା ଜଣଙ୍କୁ ସୁରକ୍ଷିତ ଉଦ୍ଧାର ପରେ ତାଙ୍କୁ ମେଡିକାଲକୁ ପଠାଯାଇଛି

(ଭଦ୍ରକ) ଏପଟେ ବନ୍ୟା ଜଳରେ ଦୁଇ ଦିନ ଧରି ଫସିରହିଥିବା ଦୁଇଟି ପରିବାରକୁ ଉଦ୍ଧାର କରିଛି ଏନଡିଆରଏଫ ଟିମ । ପ୍ରତିକୂଳ ସ୍ଥିତିରେ ଦୁଇଟି ପରିବାରର ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ହଠାତ ବନ୍ୟା ଜଳ ମାଡି ଆସିବାରୁ ଦୁଇଟି ପରିବାର ପାଣି ଘେରରେ ଫସିଯାଇଥିଲେ । ଆଉ ସେଠାରୁ ବାହାରିପାରିନଥିଲେ । ଶେଷରେ ବୋଟ ସାହାଯ୍ୟରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି ।

(କେନ୍ଦ୍ରାପଡ଼ା) ଜୀବନ ବଂଚାଇବାର ଏହି ସଂଘର୍ଷ ଭିତରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ଆସିଛି ଏକ କରୁଣ ଚିତ୍ର । ଘରେ ପାଣି ପଶି ଯାଇଥିବା ବେଳେ କଦଳୀ ଭେଳା କରି ଘର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛନ୍ତି ଜଣେ ଯୁବତୀ । ଅଣ୍ଡରା ପଂଚାୟତର  ଦୃଶ୍ୟ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ବିଭିଷିକା କାହାଣୀ ବୟାନ କରୁଛି ।