ପରୀ, ପିହୁ ଓ ସ୍ୱାତୀ ପରି ଶିଶୁକନ୍ୟାଙ୍କ ପରେ ରାଜ୍ୟରେ ଶିଶୁପୁତ୍ର ବି ହେଉଛନ୍ତି ନିଖୋଜ । ନିଖୋଜର ୨୪ ଘଂଟା ପରେ ଢେଙ୍କାନାଳରୁ ଉଦ୍ଧାର ହେଲା ୩ ବର୍ଷ ଶିଶୁପୁତ୍ରର ମୃତଦେହ 

89

କନକ ବ୍ୟୁରୋ : ପରୀ, ପିହୁ ଓ ସ୍ୱାତୀ ଭଳି ଶିଶୁକନ୍ୟାଙ୍କ ପରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିଶୁପୁତ୍ର ନିଖୋଜ ଖବର ସାମ୍ନାକୁ ଆସିବାରେ ଲାଗିଛି । ଗଜପତି ଜିଲ୍ଲାରେ ଜଣେ ୭ବର୍ଷର ଶିଶୁକୁ ଅପହରଣ କରାଯାଇଥିବା ନେଇ କାଶୀନଗର ଥାନାରେ ଅଭିଯୋଗ ହୋଇଛି । ସେପଟେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁରୁ ନିଖୋଜ ୩ ବର୍ଷ ଶିଶୁର ୨୪ ଘଂଟା ପରେ ମିଳିଛି ମୃତଦେହ । ସାରାରାଜ୍ୟରୁ ଆସୁଥିବା ଏହିଭଳି ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ ଘଟଣା, ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଏପଟେ ଗାଁ ଦାଣ୍ଡରେ ମଲା ପୁଅର ପଂଚନାମା କରୁଛି ପୋଲିସ । ଆଉ ସେପଟେ ରାହା ଧରି କାନ୍ଦୁଛନ୍ତି ପରିବାର ଲୋକ । ନିଖୋଜ ହେବାର ୨୪ ଘଂଟା ପରେ ମିଳିଛି ମୃତଦେହ । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଖଙ୍କିରା ଗାଁର ଜୟନ୍ତ ସାହୁଙ୍କ ୩ ବର୍ଷର ପୁଅ ଆୟୁଷ, ଗାଁ ଦାଣ୍ଡରେ ଜେଜେ ମାଆ ସହ ଖେଳିଲାବେଳେ ହଠାତ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି ପରି ପୁଅର ପତା ନମିଲିବାରୁ ନିହଲପ୍ରସାଦ ଥାନାରେ ନିଖୋଜ ମାମଲା କରିଥିଲେ । ହେଲେ ଅଚାନକ ଆଜି ପୁଅର ମୃତଦେହ ପାଖ ଗାଁର ଏକ କୂଅରେ ଭାସୁଥିବା ଦେଖିବାକୁ ପାଇଲେ । ପୋଲିସ ପହଂଚି ମୃତଦେହକୁ ଉଦ୍ଧାର କରିଛି । ତା ମୁଣ୍ଡରେ କ୍ଷତ ଚିହ୍ନ ଥିବାରୁ କେହି ତାକୁ ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରୁଛନ୍ତି ପରିବାର ଲୋକ ।

ରାଜ୍ୟରେ ଏକପ୍ରକାର ଲମ୍ବି ଚାଲିଛି ଶିଶୁ ନିଖୋଜ ତାଲିକା । ପ୍ରାୟ ପ୍ରତିଦିନ ଶିଶୁ ନିଖୋଜ ଖବର ସାମ୍ନାକୁ ଆସୁଛି । ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ଏକ ୭ ବର୍ଷର ଶିଶୁ ପୁତ୍ର ନିଖୋଜ ଅଭିଯୋଗ ହୋଇଛି । ଗତକାଲି ସଂଧ୍ୟାରେ ଶିଶୁଟି ଖେଳୁଥିବା ବେଳେ ଦୁଇ ଜଣ ଦୁର୍ବୃତ ବାଇକ୍ରେ ଆସି ପିଲାଟିକୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ନିଜ ଘର ଠାରୁ ୫୦ ମିଟର ଦୂର ଏକ ବେକେରି ଦୋକାନ ନିକଟରେ ଖେଳୁଥିଲା କାଶୀନଗରର ଝାମି ଗୋପିଙ୍କ ପୁଅ ଝାମି ହାର୍ଦ୍ଧିକ । ଖେଳୁଥିବା ବେଳେ ତାକୁ କେହି ଅପହରଣ କରି ନେଇଥିବା ପରିବାର ଲୋକ କାଶୀନଗର ଥାନାରେ ଅଭିଯୋଗ କରିଛନ୍ତି । ଏହାପରେ ୪ଟି ସ୍ୱତନ୍ତ୍ର ଟିମ୍ ତକି ଛାନଭିନ୍ ଆରମ୍ଭ କରିଛି ପୋଲିସ ।

ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ ଖବର ସାମ୍ନାକୁ ଆସିବାରେ ଲାଗିଛି । ସେପଟେ ସମ୍ବଲପୁର ସଦର ହସ୍ପିଟାଲରୁ ଶିଶୁ ଚୋରୀ ଘଟଣାକୁ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିଯାଏ କୌଣସି ଟେର ପାଉନି ପୋଲିସ । ୨୦୧୭ ମାର୍ଚ୍ଚ ୧୪ ତାରିଖରେ ସମ୍ବଲପୁର ଯୁଜୁମୁରା ଅଂଚଳର ଗୀତାଞ୍ଜଳୀ ମାଝୀ ସମ୍ବଲପୁର ସଦର ମେଡିକାଲରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଜଣେ ଅଜଣା ମହିଳା ଶିଶୁଟିକୁ ଚୋରୀ କରିନେଇଥିବା ସନ୍ଦେହରେ ଫଟୋ ଜାରି କରିବା ସହିତ ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ସହାୟତା ପାଇଁ ଅନୁରୋଧ କରିଥିଲା ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ ସତ୍ୱେ ଆଜିଯାଏ ପୋଲିସର ହାତ ଖାଲି ରହିଛି ।

ଜାତୀୟ ଅପରାଧ ବ୍ୟୁରୋରର ରିପୋର୍ଟ ଅନୁସାରେ ଶଶୁନିଖୋଜ ମାମଲାରେ ଦେଶରେ ତୃତୟ ଓଡିଶା । ପ୍ରତିଦିନ ଆମ ରାଜ୍ୟରେ ହାରାହାରି ୧୨ରୁ ଅଧିକ ଶିଶୁ ନିଖୋଜ ହେଉଛନ୍ତି ଏବଂ ପ୍ରତିବର୍ଷ ଏହି ସଂଖ୍ୟା ୪ ହଜାର ପାର କରିଯାଉଛି ।