କନକ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସସ୍ଥିତ ହଷ୍ଟେଲରୁ ଅଣଛାତ୍ରଙ୍କୁ ହଟାଇବାକୁ ଯାଇ ହଟହଟା ହୋଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଙ୍କ ପାଲଟା ପ୍ରଶ୍ନରେ ହଡ଼ବଡ଼େଇ ଯାଇଥିଲେ ଉଚ୍ଛେଦକାରୀ ଟିମ୍‌। ପରିସ୍ଥିତି ଏମିତି ହୋଇଥିଲା ଯେ ସେମାନେ ହଷ୍ଟେଲ୍‌ ଭିତରକୁ ପଶି ନପାରି ଫେରିଯାଇଥିଲେ। ଏହି ଘଟଣାଟି ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ଗତ ରବିବାର ଦିନ ପିଜି କାଉନସିଲ୍‌ ହଲରେ ଏକ ସେମିନାରକୁ ନେଇ କ୍ୟାମ୍ପସରେ ଉତ୍ତେଜନା ସ୍ଥିତି ସୃଷ୍ଟି ହେବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ହଷ୍ଟେଲରୁ ଅଣଛାତ୍ର ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଆଉ କୁଳପତିଙ୍କ ନିର୍ଦ୍ଦେଶ ପରେ ହଷ୍ଟେଲଗୁଡ଼ିକରେ ନୋଟିସ୍‌ ମଧ୍ୟ ଜାରି କରାଯାଇଥିଲା। ତୁରନ୍ତ ହଷ୍ଟେଲ୍‌ ଖାଲି କରିବାକୁ ଚେତାବନୀ ଦିଆଯାଇଥିଲା। ୧୬ ତାରିଖ ସନ୍ଧ୍ୟା ୭ଟାରେ ପୁଲିସ, ସିକ୍ୟୁରିଟି ଗାର୍ଡ ଏବଂ କର୍ତ୍ତୃପକ୍ଷଙ୍କୁ‌ ନେଇ ଗଠିତ ଟିମ୍‌ ହଷ୍ଟେଲ୍‌ ବୁଲିବେ ଏବଂ ଯେଉଁମାନେ ଅଣଛାତ୍ର ଥିବେ ସେମାନଙ୍କୁ ତଡ଼ାଯିବା ସହ ଜିନିଷପତ୍ର ଫୋପାଡ଼ି ଦିଆଯିବ ବୋଲି ନୋଟିସରେ ‌କଡ଼ାକଡ଼ି ଦର୍ଶାଯାଇଥିଲା। ହଷ୍ଟେଲ୍‌ ଦାୟିତ୍ୱରେ ଥିବା ସୁପରିଟେଣ୍ଡେଣ୍ଟ ବୁଲି ବୁଲି ଛାତ୍ରବାସରେ ତାଗିଦ୍‌ କରିଥିଲେ।

ବିଜ୍ଞପ୍ତି ଅନୁସାରେ ସନ୍ଧ୍ୟା ସମୟରେ ପୁଲିସ, ସିକ୍ୟୁରିଟିଗାର୍ଡ ଧରି ଏକ ଟିମ୍‌ ଗୋପବନ୍ଧୁ ଓ ମଧୁସୂଦନ ହଷ୍ଟେଲ୍‌ ନିକଟରେ ପହଞ୍ଚିଥିଲେ। ଏହା ପୂର୍ବରୁ ସେଠାରେ ମେଳି କରିଥିବା ଶହ ଶହ ଛାତ୍ର ଟିମକୁ ଦେଖି ବିରୋଧ କରିଥିଲେ। ଗେଟରେ ତାଲା ପକାଇ କାହାରିକୁ ହଷ୍ଟେଲ୍‌ ଭିତରକୁ ପଶିବାକୁ ଦେଇନଥିଲେ। ପାଲଟା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଗହି ଖୋଳିଥିଲେ। ଛାତ୍ରମାନେ କହିଥିଲେ ଯେ, କାହା ସ୍ୱାର୍ଥରେ କ୍ବାର୍ଟସକୁ ଭଡ଼ାରେ ଲଗାଇଛ। ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଲାଗିଥିବା ସୋଲାର୍‌ ଲାଇଟ୍‌ ନଷ୍ଟ ହୋଇଗଲାଣି। ଅଧାରୁ ଅଧିକ ଜଳୁନି। ଛାତ୍ରଛାତ୍ରୀ ଅନ୍ଧାରରେ ଯିବା ଆସିବା କରୁଛନ୍ତି। ଏଥିରେ ବଡ଼ଧରଣର ସ୍କାମ୍‌ ହୋଇଛି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅ।

କ୍ୟାମ୍ପସରେ ବସ୍ତି ବଢ଼ିଚାଲିଥିବାରୁ ଛାତ୍ରମାନେ ଅଧିକ ଉଦବେଗ ପ୍ରକାଶ କରିଥିଲେ। ସେମାନେ କହିଥିଲେ, ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ବସ୍ତି କରିସାରିଲଣି। ସେଠାରେ ଗୁଣ୍ଡା, ଅପରାଧୀ ପୋଷିଛ। ହଷ୍ଟେଲରୁ ବାରମ୍ବାର ଚୋରି ହେଉଛି। ବସ୍ତିରେ ବେଧଡ଼କ ନିଶା କାରବାର ଚାଲିଛି। ଏହାର ପ୍ରଭାବରେ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ଛାତ୍ରଛାତ୍ରୀ ଭୟଭୀତ ହୋଇ ରହୁଛନ୍ତି। ଏହା ଉପରେ କେବେ ତ କାର୍ଯ୍ୟାନୁଷ୍ଠାନ ନେଉନ। ନା ଅପରାଧୀଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରୁଛ ନା ବସ୍ତି ହଟାଉଛ। ବର୍ଷ ବର୍ଷ ବିତିଗଲେ ବି ବସ୍ତି ହଟାଇବା ତ ଦୂରର କଥା ଥରଟିଏ ବି ସାହସ କରିନାହଁ। ସେମାନଙ୍କ ଯାତାୟତ ପାଇଁ ଗଳାବାଟ ଖୋଲିଦେଇଛ। କେତେ ଥର ବସ୍ତି ଉଠାଇବାକୁ ଗଲଣି? କେତେ ଘର ଉଠାଇଲଣି? ପ୍ରଥମେ କ୍ୟାମ୍ପସକୁ ବସ୍ତିମୁକ୍ତ କର। ପରେ ଆମ କଥା ଚିନ୍ତା କରିବ। ବହୁ ସମୟ ଧରି କର୍ତ୍ତୃପକ୍ଷ ଓ ଛାତ୍ରଙ୍କ ମଧ୍ୟରେ ଏଭଳି ଛକାପଞ୍ଝା ଲାଗିରହିଥିଲେ ମଧ୍ୟ ଛାତ୍ରମାନେ କାହାକୁ ଭିତରକୁ ପଶିବାକୁ ଦେଇନଥିଲେ। ଶେଷରେ ବାଧ୍ୟ ହୋଇ ଟିମ୍‌ ଫେରିଯାଇଥିଲା।