ନିଲାମ ହେଉନି ଫେରିଘାଟ । ଗମନାଗମନ ପାଇଁ ସମସ୍ୟା ଭୋଗୁଛନ୍ତି ଦ୍ୱିପାଂଚଳର ଲୋକ ।

78

କନକ ବ୍ୟୁରୋ: ଫେରିଘାଟ ନିଲାମ ନହେବାରୁ ନଦୀ ପଠାରେ ଖତ ଖାଉଛି ଡଙ୍ଗା । ଘାଟ ବନ୍ଦ ହୋଇଯିବାରୁ ଯାତାୟତରେ ସମସ୍ୟା ଭୋଗୁଛନ୍ତି ହଜାର ହଜାର ଲୋକ । ସ୍କୁଲ କଲେଜ ହାଟବଜାର ସହିତ ଜରୁରୀ କାର୍ଯ୍ୟରେ ବାହାରିଲେ ନଦୀ ବନ୍ଧ ରାସ୍ତାରେ ଯିବାକୁ ପଡୁଛି ମାଇଲ ମାଇଲ ବାଟ । ଘାଟ ନିଲାମ କରିବା ସହ ସେତୁ ନିର୍ମାଣ ପାଇଁ ପ୍ରଶାସନ ପାଖରେ ଦାବି କରିଛନ୍ତି ସ୍ଥାନିୟ ବାସିନ୍ଦା ।

କେନ୍ଦ୍ରାପଡା ମର୍ଶାଘାଈ ବ୍ଲକ ପିକିରାଳି ଗ୍ରାମ ନିକଟ ଦେଇ ବହିଯାଉଛି ଚିତ୍ରୋତ୍ପଳା ନଦୀ । ନଦୀର ଫେରିଘାଟ ନିଲାମ ନହେବାରୁ ୯ ମାସ ହେବ ଘାଟରେ ନୌକା ଯାତ୍ରା ବନ୍ଦ ରହିଛି । ନଦୀ ପଠାରେ ପଡି ନଷ୍ଟ ହେଉଛି ଡଙ୍ଗା । ସମସ୍ୟା ଭୋଗୁଛନ୍ତି ଡଙ୍ଗା ଯୋଗେ ନଦୀ ପାରି ହେଉଥିବା ପରକୁଳା ଏବଂ ରାଘବପୁର ପଂଚାୟତର ହଜାର ହଜାର ଲୋକେ ।

ଲୁଣା କରାଣ୍ଡିଆ ଏବଂ ଚିତ୍ରୋତ୍ପଳା ଦ୍ୱୀପାଚଂଳରେ ଅବସ୍ଥିତ ଏହି ୨ ପଂଚାୟତ । ଏଠାରେ ଭଲ ରାସ୍ତା ନଥିବାରୁ ଲୋକେ ଡଙ୍ଗା ଯୋଗେ ନଦୀ ପାରି ହୋଇ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି । କିନ୍ତୁ ପିକିରାଳି ଫେରିଘାଟ ଦୀର୍ଘ ୯ ମାସ ହେବ ନିଲାମ ହୋଇନାହିଁ । ତେଣୁ ଡଙ୍ଗା ଚଳାଚଳ ବନ୍ଦ ରହିଛି । ଫଳରେ ଛାତ୍ରଛାତ୍ରୀ ନଦୀ ବନ୍ଧରେ ୧୧ କିଲୋମିଟର ରାସ୍ତା ଅତିକ୍ରମ କରି ନଦୀ ଆରପଟେ ଥିବା କପିଳମୁନି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯା’ଆସ କରୁଛନ୍ତି । ଏହାସହ ବଜାରହାଟ, ଡାକ୍ତରଖାନା ଓ ବିଭିନ୍ନ ସରକାରୀ ଅଫିସକୁ ଯିବା ପାଇଁ ଲୋକେ ନାକେଦମ୍ ହେଉଛନ୍ତି ।

ପିକରାଳି ଫେରିଘାଟ ବନ୍ଦ ହୋଇଯିବା ଫଳରେ ଯାତାୟତରେ ସମସ୍ୟା ଭୋଗୁଥିବା ସ୍ଥାନିୟ ଲୋକଙ୍କ ସମସ୍ୟା ସମାଧାନ କରିବା ସହିତ ଏଠାରେ ଏକ ସେତୁ ନିର୍ମାଣ କରିବା ପାଇଁ ଦାବି ହୋଇଛି ।