ନିଲାମ ହେଲା ଆଇନଷ୍ଟାଇନଙ୍କ ହାତ ଲେଖା । ଇ ଇକ୍ୱାଲ ଟୁ ଏମସି ସ୍କୋୟାର ଲେଖା ଥିବା ଚିଠି ୧.୨ ମିଲିୟନ ଡଲାରରେ ହେଲା ନିଲାମ

129

କନକ ବ୍ୟୁରୋ: ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ହାତ ଲେଖା ନିଲାମି ହୋଇଛି । କେତେ ଟଙ୍କାରେ ଏହା ନିଲାମ ହୋଇଛି ଜାଣିଛନ୍ତି । ୧.୨ ମିଲିୟନ ଡଲାରରେ ଇ ଇକ୍ୱାଲଟୁ ଏମସି ସ୍କୋୟାରର ହାତ ଲେଖା ନିଲାମ ହୋଇଛି । ଆଇନ ଷ୍ଟାଇନଙ୍କ ନାଁ ବିଶ୍ୱରେ କିଏ ଜାଣିନି । ଏହି ମହାନ ବୈଜ୍ଞାନିକଙ୍କ ନାଁ ଧରିଲେ ତାଙ୍କର ଗୋଟିଏ ଗାଣିତିକ ସୂତ୍ର ସମସ୍ତଙ୍କୁ ମନକୁ ଆସିଥାଏ ।

ଇ ଇକ୍ୱାଲ ଟୁ ଏମସି ସ୍କୋୟାର । ଆଇନଷ୍ଟାଇନଙ୍କ ଏହି ଗୋଟିଏ ଫର୍ମୁଲା ପୁରା ଫିଜିକ୍ସ ବା ଭୌତିକ ବିଜ୍ଞାନ ଜଗତକୁ ସେତେବେଳେ ଚକିତ କରି ଦେଇଥିଲା । ଆଇନଷ୍ଟାଇନଙ୍କ ହାତ ଲେଖା ଥିବା ଏହି ଗାଣିତିକ ସୂତ୍ରର ଚିଠି ନିଲାମ ହୋଇଛି ।

ବୋଷ୍ଟନ ସ୍ଥିତ ଆରଆର ସଂସ୍ଥା ଏହି ନିଲାମ ଆୟୋଜନ କରିଥିଲା । ସଂସ୍ଥା ସୂଚନା ଅନୁସାରେ ଆଇନଷ୍ଟାଇନଙ୍କ ହାତ ଲେଖା ଗାଣିତିକ ସୂତ୍ରଟି ୧.୨ ମିଲିୟନ ଡଲାରରେ ନିଲାମ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଆଇନଷ୍ଟାଇନଙ୍କ ହାତ ଲେଖା ପୁରୁଣା ଚିଠିର ବେସ୍ ପ୍ରାଇସ ରହିଥିଲା ୪ ଲକ୍ଷ ଡଲାର । ତେବେ ଏହା ୧.୨ ମିଲିୟନ ଡଲାରରୁ ଅଧିକରେ ନିଲାମ ହେବା ସମସ୍ତଙ୍କୁ ଚକିତ କରିଛି । ମୋଟ୍ ଉପରେ ଏହି ନିଲାମିରେ ୫ ଜଣ ଅଂଶଗ୍ରହଣ କରିଥିଲେ । ଆଉ ସର୍ବାଧିକ ୧.୨ମିଲିୟନରୁ ଅଧିକ ଡଲାରରେ ଏହା ନିଲାମ ହୋଇଯାଇଥିଲ।। ଗତ ମେ ୧୩ ତାରିଖରେ ଏହି ନିଲାମ ଆରମ୍ଭ ହୋଇ ଗତ ଗୁରୁବାର ଶେଷ ହୋଇଥିଲା ।

୧୯୪୬ ମସିହା ଅକ୍ଟୋବର ୨୬ ତାରିଖରେ ଆଇନଷ୍ଟାଇନ ଏହି ଚିଠି ଟିକୁ ଆମେରିକାର ଭୈାତିକ ବିଜ୍ଞାନୀ ଲଡୱିକ୍ ସିଲଭଲଷ୍ଟେଇନଙ୍କୁ ଲେଖିଥିଲେ । ସେତେବେଳେ ଲଡୱିକ୍ ସିଲଭଲଷ୍ଟେଇନ, ଆଇନଷ୍ଟାଇନଙ୍କ ସୂତ୍ର ଗୁଡିକର ବଡ ସମାଲୋଚକ ଥିଲେ । ତେଣୁ ତାଙ୍କୁ ଆଇନଷ୍ଟାଇନ ଏହି ଚିଠି ଲେଖି କହିଥିଲେ ତୁମ ପ୍ରଶ୍ନର ଉତର ଏହି ସୂତ୍ରରେ ରହିଛି ।

ଆଇନଷ୍ଟାଇନଙ୍କ ଏହି ହାତ ଲେଖା ଚିଠିଟିକୁ ଜଣେ ବ୍ୟକ୍ତିଗତ ଭାବେ ପାଖରେ ରଖିଥିଲେ । ତେବେ କାଲିଫର୍ଣ୍ଣି ଇନଷ୍ଟିଚୁଟ୍ ଅଫ୍ ଟେକ୍ନଲଜିର ଆଇନଷ୍ଟାଇନ ପେପର ପ୍ରୋଜେକ୍ଟରେ କାମ କରୁଥିବା ସଂଗ୍ରାହତଙ୍କ ସୂଚନା ଅନୁସାରେ ମୋଟ୍ ଉପରେ ଆଇନଷ୍ଟାଇନଙ୍କ ଏପରି ହାତ ଲେଖା ଥିବା ଗାଣିତିକ ସୂତ୍ର ର ୩ଟି ଚିଠି ରହିଛି ।