କନକ ବ୍ୟୁରୋ: ଆଇପିଏଲର ୧୬ଶ ସଂସ୍କରଣ ପାଇଁ କୋଚିରେ ଖେଳାଳିଙ୍କ ମିନି ନିଲାମୀ ହେବ । ସମସ୍ତ ୧୦ଟି ଯାକ ଫ୍ରାଂଚାଇଜି ୪୦୫ ଜଣ ଖେଳାଳିଙ୍କ ପାଇଁ ନିଲାମ ଡାକିବେ । ସେଥିମଧ୍ୟରୁ ୨୭୩ ଜଣ ଭାରତୀୟ ଖେଳାଳି ଏବଂ ୧୨୩ ଜଣ ବିଦେଶୀ ଖେଳାଳି ରହିଛନ୍ତି । ୧୨୩ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ୪ଜଣ ଆସୋସିଏଟ୍ ଦେଶର ରହିଛନ୍ତି । ମୋଟ ୧୧୯ ଜଣ କ୍ୟାପ୍ଡ ଏବଂ ୨୮୨ ଜଣ ଅନକ୍ୟାପ୍ଡ ଖେଳାଳି ନିଲାମରେ ସାମିଲ ହେବେ । ନିଲାମରେ ସବୁ ଟିମ୍ ମୋଟ ୮୭ ଜଣ ଖେଳାଳିଙ୍କୁ କିଣିପାରିବେ । ଆଫଗାନିସ୍ତାନର ଆଲ୍ଲା ମହମ୍ମଦ ଗଜନଫର ସବୁଠାରୁ କନିଷ୍ଠ କ୍ରିକେଟର ଭାବେ ନିଲାମରେ ସାମିଲ ହେବେ । ସେହିପରି ୪୦ ବର୍ଷୀୟ ଅମିତ୍ ମିଶ୍ରା ସବୁଠାରୁ ବୟୋଜ୍ୟେଷ୍ଠ କ୍ରିକେଟର୍ ଭାବେ ନିଲାମ ପ୍ରକ୍ରିୟାରେ ସାମିଲ ହେବେ ।
ଅମିତ୍ ମିଶ୍ରା ପୂର୍ବରୁ ଦିଲ୍ଲୀ ଡେୟାରଡେଭିଲ୍ସ, ଡେକାନ ଚାର୍ଜର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳି ହ୍ୟାଟ୍ରିକ ସଫଳତା ପାଇଥିଲେ । ହ୍ୟୁଜ୍ ଏଡମିଡ୍ସ ପୁଣିଥରେ ନିଲାମ ଦାୟିତ୍ୱ ସମ୍ଭାଳିବେ । ୨୦୨୨ରେ ମେଗା ନିଲାମରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କ ସ୍ଥାନରେ ଚାରୁ ଶର୍ମା ଦାୟିତ୍ୱ ତୁଲାଇଥିଲେ । ନିଲାମ ଶେଷରେ ପ୍ରତି ଟିମ୍ ପାଖରେ ଅତିକମରେ ୧୮ ଖେଳାଳି ଏବଂ ସର୍ବାଧିକ ୨୫ ଖେଳାଳି ରହିପାରିବେ । ପ୍ରତି ଟିମରେ ସର୍ବାଧିକ ୮ଜଣ ବିଦେଶୀ ଖେଳାଳି ରହିବେ । ସନରାଇଜର୍ସ ହାଇଦ୍ରାବାଦ ପର୍ସରେ ସର୍ବାଧିକ ୪୨ କୋଟି ୨୫ ଲକ୍ଷ ଟଙ୍କା ରହିଛି । ସେହିପରି ପଞ୍ଜାବ କିଙ୍ଗସ୍ ପର୍ସରେ ୩୨ କୋଟି ୨୦ ଲକ୍ଷ, ଲକ୍ଷେ୍ନø ସୁପରଜାଏଂଟସ ପର୍ସରେ ୨୩ କୋଟି ୩୫ଲକ୍ଷ ଟଙ୍କା, ମୁମ୍ବାଇ ଇଣ୍ଡିଆନ୍ସ ପର୍ସରେ ୨୦ କୋଟି ୫୫ ଲକ୍ଷ ଟଙ୍କା ଅଛି । କୋଲକାତା ନାଇଟ୍ ରାଇଡର୍ସ ପର୍ସରେ ସର୍ବନିମ୍ନ ୭ କୋଟି ୫ଲକ୍ଷ ଟଙ୍କା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/ipl.jpg)