ସରପଞ୍ଚ ପଦ ନିଲାମ ନେଇ ତନାଘନା । ସାମନାକୁ ଆସିଲା ରୋଚକ ତଥ୍ୟ । ୨୧ ଲକ୍ଷରୁ ଆରମ୍ଭ ହୋଇଥିଲା ନିଲାମ ଡାକ

270

କନକ ବ୍ୟୁରୋ: ଗଣତନ୍ତ୍ରର ଧଜିଆ ଉଡାଇ ବଲାଙ୍ଗୀରରେ ସରପଞ୍ଚ ପଦ ନିଲାମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହେବା ପରେ ତନାଘନା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ୍ ବିଲେଇସର୍ଡା ଗାଁକୁ ଯାଇ ନିଲାମ ପଛର ସତ କଣ ତାହା ଖୋଜିବା ଆରମ୍ଭ କରିଛନ୍ତି । ଗାଁର ଲୋକମାନଙ୍କୁ ପଚରାଉଚୁରା କରିଛନ୍ତି । ଅନ୍ୟପଟେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

ସରପଞ୍ଚ ପଦ ନିଲାମ । ୨୧ଲକ୍ଷରୁ ଆରମ୍ଭ ୪୪ଲକ୍ଷରେ ଶେଷ । ବଲାଙ୍ଗୀର ବିଲେଇସର୍ଡା ପଞ୍ଚାୟତରେ ନିର୍ବାଚନ ନକରି ସରପଞ୍ଚ ପଦ ନିଲାମ କରିବା ପାଇଁ ଗାଁରେ ବସିଥିଲା ବୈଠକ । ବୈଠକରେ ଆଶାୟୀ ପ୍ରାର୍ଥୀମାନଙ୍କୁ ଗାଁ ମନ୍ଦିରକୁ କିଏ କେତେ ଟଙ୍କା ଦେଇପାରିବ ସେଥିପାଇଁ ନିଲାମ ଡାକିବାକୁ କୁହାଯାଇଥିଲା । ଯିଏ ସର୍ବାଧିକ ନିଲାମ ଡାକି ପାରିବ ସେ ହିଁ ସରପଞ୍ଚ ହେବ ବୋଲି କୁହାଯାଇଥିଲା । ଆଉ ତା ପରେ ଆରମ୍ଭ ହୋଇଯାଇଥିଲା ନିଲାମ ଡାକ ।

ପ୍ରଥମ ଆଶାୟୀ ପ୍ରାର୍ଥୀ ନିଲାମ ଡାକିଥିଲେ ୨୧ଲକ୍ଷ ଟଙ୍କା । ତାପରେ ଦ୍ୱିତୀୟ ଆଶାୟୀ ପ୍ରାର୍ଥୀ ନିଲାମ ଡାକିଥିଲେ ୪୨ଲକ୍ଷ ଟଙ୍କା । ତେବେ ଏହାର କିଛି ସମୟ ଭିତରେ ତୃତୀୟ ଆଶାୟୀ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ ନିଲାମ ଡାକିଥିଲେ ୪୪ଲକ୍ଷ ୧୦ ହଜାର ଟଙ୍କା । ସୁଶାନ୍ତ ଛତ୍ରିଆ ଏତେ ଟଙ୍କା ନିଲାମ ଡାକିବା ପରେ ଅନ୍ୟ ଅଶାୟୀ ପ୍ରାର୍ଥୀ ଆଉ ନିଲାମ ଡାକିବାକୁ ସାହାସ କରି ପାରି ନଥିଲେ । ସର୍ବାଧିକ ନିଲାମ ଡାକିଥିବାରୁ ସୁଶାନ୍ତଙ୍କୁ ସରପଞ୍ଚ ଘୋଷଣା କରାଯାଇଥିଲା ଓ ଅନ୍ୟମାନଙ୍କୁ ନାମାଙ୍କନ ନକରିବାକୁ ଗାଁର ମୁରବୀ ମାନେ କହିଥିଲେ ବୋଲି ଅଭିଯୋଗ କରିଛନ୍ତି ସେହି ବୈଠକରେ ଥିବା ଜଣେ ଗ୍ରାମବାସୀ ।

ବିଲେଇସର୍ଡା ପଞ୍ଚାୟତରେ ୧୫ଟି ୱାର୍ଡ ରହିଥିବାବେଳେ କେବଳ ଏହି ଗାଁରେ ରହିଛି ୧୨ଟି ୱାର୍ଡ । ତେଣୁ ବିଲେଇସର୍ଡା ପଞ୍ଚାୟତ ନିର୍ବାଚନରେ କିଏ ଜିତିବ କିଏ ହାରିବ, ଏହି ଗାଁର ଲୋକମାନେ ହିଁ ସ୍ଥିର କରିଥାନ୍ତି । ଅଧିକ ଭୋଟର ହୋଇଥିବାରୁ ଅଗଣତାନ୍ତ୍ରିକ ଭାବେ ଏମିତି କରିଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତରେ ଥିବା ଅନ୍ୟ ଗାଁର ଭୋଟର । ତେବେ ୪୪ଲକ୍ଷ ଟଙ୍କାରେ ସରପଞ୍ଚ ପଦ ନିଲାମ ହେବା ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ବିଜୟୀ ଘୋଷିତ ହୋଇଥିବା ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଗାଁ ମନ୍ଦିରକୁ ୪୪ ହଜାର ଟଙ୍କା ଦେବାକୁ କହିଥିଲେ ବୋଲି ସେ ମାନିଛନ୍ତି ।

ଅନ୍ୟପଟେ ମନ୍ଦିର କମିଟି ସଦସ୍ୟ ଓ ଗ୍ରାମବାସୀ ମଧ୍ୟ ସରପଞ୍ଚ ପଦ ନିଲାମ କଥାକୁ ଖଣ୍ଡନ କରିଛନ୍ତି । କହିଛନ୍ତି, କୋଭିଡ୍ ଯୋଗୁଁ ଇଲେକ୍ସନ ନକରି ସିଲେକ୍ସନ କରିବାକୁ ନିଷ୍ପତ୍ତି ହୋଇଥିଲା । ଗାଁ ବୈଠକରେ ସୁଶାନ୍ତ ଛତ୍ରିଆଙ୍କୁ ପରବର୍ତ୍ତୀ ସରପଞ୍ଚ କରିବାକୁ ନିଷ୍ପତି ହେବା ପରେ ସେ ଖୁସିରେ ମନ୍ଦିରକୁ ୪୪ ହଜାର ଟଙ୍କା ଦେବାକୁ କହିଥିଲେ । ତେବେ ପଞ୍ଚାୟତ ନିର୍ବାଚନ ପାଇଁ ସାରାରାଜ୍ୟରେ ନାମାଙ୍କନ ପ୍ରକ୍ରିୟା ଜାରି ରହିଥିବାବେଳେ କିଛି ମୁଷ୍ଟିମେୟ ଲୋକ କେମିତି ସାଧାରଣ ଲୋକଙ୍କୁ ପ୍ରଭାବିତ କରି ଏହିଭଳି ଏକ ନିଷ୍ପତ୍ତି ନେଇପାରିଲେ ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।