କନକ ବ୍ୟୁରୋ: ବାଣୀବିହାରରେ ସେମିନାର ଚାଲିଥିବାବେଳେ ଖଣ୍ଡଯୁଦ୍ଧକୁ ନେଇ  ସରଗରମ ହୋଇଛି ଛାତ୍ର ରାଜନୀତି । ହିଂସାକାଣ୍ଡକୁ ନେଇ ଛାତ୍ର ବିଜେଡି, ଛାତ୍ର କଂଗ୍ରେସ ଓ ଏଆଇଏସଏଫ ପକ୍ଷରୁ ନିନ୍ଦା କରାଯିବା ବଢ଼ିବାରେ ଲାଗିଛି ଉତ୍ତେଜନା ।

Advertisment

ଉତ୍କଳ ବିଶ୍ୱବିଦ୍ୟାଳୟରେ ସିଟିଜେନ ଫୋରମ ପକ୍ଷରୁ ଆୟୋଜିତ ସେମିନାରରେ ଜେଏନୟୁ ପ୍ରଫେସରଙ୍କ ଲେକଚରକୁ ଏବିଭିପି ସଦସ୍ୟ ବିରୋଧ କରିବା ପରେ ପୁଣି ଥରେ ବାଣୀବିହାରରେ ଉତ୍ତେଜନା ଦେଖିବାକୁ ମିଳିଛି । ଅତିଥିଙ୍କୁ ଆକ୍ରମଣ କରାଯିବାକୁ ନିନ୍ଦା କରିବା ସହ ଆକ୍ରମଣକାରୀଙ୍କ ବିରୋଧରେ ବିଜେଡି ଓ ଏଆଇଏସଏଫ ଛାତ୍ର ସଂଗଠନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆଉ ତା ପରେ ପାଲଟା ଚେତାବନୀ ଦେଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜ୍ୟର ଛାମୁଆ ଛାତ୍ର ସଂଗଠନର ନେତା ।

ବାଣୀବିହାରରେ ରବିବାର ଯାହା ଘଟିଛି ତାହା ବୋଧହୁଏ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ସେମିନାରରେ ଭାଗ ନେବାକୁ ଆସିଥିବା କୌଣସି ପ୍ରଫେସରଙ୍କୁ ଏମିତି କେବେ ଅସମ୍ମାନ କରାଯାଇଥିବାର ନଜିର ନାହିଁ । ଭାରତୀୟ ସମ୍ବିଧାନ ସମସ୍ତଙ୍କୁ କହିବାର ଅଧିକାର ଦେଇଥିବାରୁ ଅତିଥିମାନେ ଆଲୋଚନା ଚକ୍ରରେ ନିଜ ନିଜର ମତ ରଖୁଥିଲେ । କିନ୍ତୁ ଏହାକୁ ବିରୋଧ କରିବା ଆଉ ଅତିଥିମାନଙ୍କୁ ମାଡ ମାରିବାକୁ ନିନ୍ଦା କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସିଟିଜେନ ଫୋରମ । ତେବେ ଦେଶ ବିରୋଧରେ ଯିଏ ବି ଏଭଳି ମନ୍ତବ୍ୟ ରଖିବ ତାକୁ ବିରୋଧ କରାଯିବ ବୋଲି କହିଛନ୍ତି ଅଭିଯୁକ୍ତ ।

ଛାତ୍ର ଅଶାନ୍ତି ତେଜୁଥିବାବେଳେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବିଭିପି କର୍ମୀ । ପୋଲିସ ଶାସକ ଦଳର ପ୍ରରୋଚନାରେ ସେମାନଙ୍କୁ ରାତି ଅଧରେ ଗୋଡେଇ ମାଡ ମାରିଥିବା ଅଭିଯୋଗ କରିଛନ୍ତି । ବାଣୀବିହାରରେ ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ପରେ ଏବିଭିପି ସଦସ୍ୟମାନେ ବିଶ୍ୱବିଦ୍ୟାଳୟ ଗେଟ୍ ସାମ୍ନାରେ ଟାୟାର ଜାଳି ପ୍ରତିବାଦ କରିଥିଲେ । ଆଉ ଏବେ ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୁକ୍ତ ଏବିଭିପି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପ୍ରତିବାଦ କରାଯାଇଛି । ଯାହା ବାଣୀବିହାରକୁ ପୁଣି ଥରେ ଉଷ୍ମ କରିଛି ।