ଭାରତରେ ଅଷ୍ଟ୍ରାଜେନିକା ଟିକାକୁ ମିଳିପାରେ ଅନୁମତି । ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆର ବୈଠକ ଜାରି । ଭ୍ୟାକସିନ ଟ୍ରାଏଲର ବିସ୍ତୃତ ତଥ୍ୟ ଦେଉଛନ୍ତି ତିନି ଟିକା ନିର୍ମାତା କଂପାନୀ ।

59

କନକ ବ୍ୟୁରୋ : ଭାରତରେ ଅଷ୍ଟ୍ରାଜେନିକା ଓ ଅକ୍ସଫୋର୍ଡ ପ୍ରସ୍ତୁତ କୋଭିଡ୍ ଟିକାକୁ ଆଜି ମିଳିପାରେ ଅନୁମତି । ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆର ସବଜେକ୍ଟ ଏକ୍ସପର୍ଟ କମିଟି ବା ବିଶେଷଜ୍ଞ କମିଟି ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେବା ନେଇ ବୈଠକ ବସିଛି । ଏହି ବୈଠକରେ ଅଷ୍ଟ୍ରେଜେନିକା ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିବ ବୋଲି କୁହାଯାଉଛି ।

ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ଭାରତରେ ଜରୁରୀକାଳିନ ଟିକା ବ୍ୟବହାର ପାଇଁ ଫାଇଜର, ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ଭାରତ ବାୟୋଟେକ୍ ପ୍ରାଇଭେଟ ଲିମିଟେଡ ଆବେଦନ କରିଛନ୍ତି । ସବଜେକ୍ଟ ଏକ୍ସପର୍ଟ କମିଟି ବା ବିଶେଷଜ୍ଞ କମିଟି ପାଖରେ ତିନୋଟି ଟିକା ନିର୍ମାତା କଂପାନୀ ଭ୍ୟାକିସନ ଟ୍ରାଏଲର ତଥ୍ୟ ଦାଖଲ କରିଛନ୍ତି । ଗତ ବୁଧବାର ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ ବସିଥିଲା । ବୈଠକରେ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ଭାରତ ବାୟୋଟେକ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଟିକା ପରୀକ୍ଷଣ ସମୟର ସମସ୍ତ ତଥ୍ୟ ଦାଖଲ କରାଯାଇଥିଲା ।

ତେବେ ପରୀକ୍ଷଣର ତଥ୍ୟ ଦେବାକୁ ଅଧିକ ସମୟ ମାଗିଥିଲା ଫାଇଜର । ଏହାପରେ ଜାନୁୟାରୀ ୧ ତାରିଖ ଅର୍ଥାତ ଆଜି ପୁଣି ବୈଠକ ବସି ନିଷ୍ପତି ନିଆଯିବ ବୋଲି ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଥିଲା । ନୂଆ ବର୍ଷର ପ୍ରଥମ ଦିନରେ କୋଭିଡ ଟିକାକରଣ ପ୍ରସ୍ତାବକୁ ମଂଜୁରୀ ମିଳିବା ପରେ ଔଷଧ ନିୟନ୍ତ୍ରକଙ୍କ ଅନୁମୋଦନ ପାଇଁ ସୁପାରିଶ ପଠାଯିିବ । ଏହା ପରେ ଦେଶରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ ।