ଅପରାହ୍ନରେ ଅଧିବେଶନ ଆରମ୍ଭ ହେବା ପରେ ବିରୋଧୀଙ୍କ ହଙ୍ଗାମା । ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ ।

45

କନକ ବ୍ୟୁରୋ: ସୋମବାର ଯାଏଁ ମୁଲତବୀ ହେଲା ବିଧାନସଭା । ଆଜି ଅପରାହ୍ନରେ ବିଧାନସଭା ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳର ସଦସ୍ୟମାନେ ହଙ୍ଗାମା ଆରମ୍ଭ କରିଦେଇଥିଲେ । ଗୃହରେ ଉଭୟ ବିଜେପି ଓ କଂଗ୍ରେସ ଦଳର ସଦସ୍ୟ ମାନେ ହଟ୍ଟଗୋଳ କରିବା ସହିତ ପ୍ରତିବାଦ କରିଥିଲେ । ଯାହାକୁ ଦେଖିବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୋମବାର ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି । ସୋମବାର ସକାଳ ସାଢେ ୧୦ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ବିଧାନସଭାରେ ଆଜି ବି ଦେଖିବାକୁ ମିଳିଛି ଦିବ୍ୟଶଙ୍କର ଝଡ । ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଆଜି ବି ବିଧାନସଭାରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଗୃହରେ ଘଣ୍ଟ ବାଡେଇ ପ୍ରତିବାଦ କରିଛନ୍ତି କଂଗ୍ରେସ ବିଧାୟକ । ବିଧାୟକ ତାରାବହିନୀ ପତି ପୂଜକ ବେଶରେ ବିଧାନସଭା ଗୃହରେ ଗଙ୍ଗା ଜଳ ଛିଞ୍ଚି ପ୍ରତିବାଦ ଜଣାଇଥିଲେ । ସେହିପରି କଂଗ୍ରେସର ଅନ୍ୟ ବିଧାୟକମାନେ ହାତରେ ପ୍ଲାକାର୍ଡ ଧରି ଗୃହରେ ପ୍ରତିବାଦ କରିଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ । ସେହିପରି ବିଜେପି ବିଧାୟକମାନେ ଆଜି ବି ପ୍ରତିବାଦ କରିଛନ୍ତି । ସିବିଆଇ ତଦନ୍ତ ଦାବି କରି ସେମାନେ ପ୍ରତିବାଦ କରିଛନ୍ତି ।