ନୟାଗଡ଼ ପରୀ ମୃତ୍ୟୁ ପ୍ରସଙ୍ଗରେ ଆଜି ବି ଆରମ୍ଭରୁ ଚାଲିପାରିଲାନି ବିଧାନସଭା : ଏସଆଇଟି ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କମ୍ପିଲା ଗୃହ

ଗୃହ ମଧ୍ୟଭାଗରେ ବିରୋଧୀ ବିଜେପି-କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ, ସାରା ରାଜ୍ୟରେ ପ୍ରତିବାଦ କରିବ ବିଜେପି;ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିବ ଯୁବ କଂଗ୍ରେସ

214

କନକ ବ୍ୟୁରୋ : ଗତତିନିଦିନ ହେଲା ବିଧାନସଭାକୁ ଅଚଳ କରି ରଖିଛି ନୟାଗଡ଼ରେ ୫ବର୍ଷର ଶିଶୁ ପରୀ ମୃତ୍ୟୁ ଘଟଣା । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ହୋହାଲ୍ଲା କରିଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ । ଘଟଣାର ଏସଆଇଟି ତଦନ୍ତ ସହ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ପାଟିତୁଣ୍ଡ କରିଛନ୍ତି ବିରୋଧି ବିଧାୟକ । ଫଳରେ ଗୃହକୁ ୩୦ମିନିଟ ପାଇଁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡ଼କାଇଥିଲେ ବାଚସ୍ପତି ।

ଏହି ପ୍ରସଙ୍ଗରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ଉଠିବା ପରଠାରୁ ସରକାରଙ୍କ ଉପରେ ବେଶ ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି ବିରୋଧି । ବିଜେପି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପରୀ ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରୁଛି । ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଏକ ରାଲି ବିଧାନସଭା ଅଭିମୁଖେ ବାହାରିଛି । ସେହିପରି ଭୁବନେଶ୍ୱର ଲୋୟର ପିଏମଜିରେ ଯୁବ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କାର୍ଯ୍ୟକ୍ରମ ରହିଛି ।