ଆଜି ବି ଚାଲିପାରିଲାନି ବିଧାନସଭା । ଗୃହ ବାହାରେ ଗଙ୍ଗାଜଳ ଛିଞ୍ଚିଲେ ବିଜେପି ବିଧାୟକ । ସେପଟେ ଗ୍ୟାସ ଦର ବୃଦ୍ଧି ନେଇ ଗର୍ଜିଲା ବିଜେଡି 

89

କନକ ବ୍ୟୁରୋ: ଆଜି ବିଧାନସଭା ଭିତରେ ଓ ବାହାରେ ଡ୍ରାମା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାକୁ ଅପବିତ୍ର କରିଥିବା ଦର୍ଶାଇ ଗଙ୍ଗା ପାଣି ଓ ଗୋବର ପାଣି ଛିଞ୍ଚିଛନ୍ତି ବିଜେପି ସଦସ୍ୟ । ସେପଟେ ବିଧାନସଭା ବାହାରେ ରୋଷେଇ ଗ୍ୟାସର ଦରବୃଦ୍ଧିକୁ ବିରୋଧ କରି ରାସ୍ତା ଉପରେ ଚୁଲି ଜାଳିଛନ୍ତି ବିଜେଡି ନେତା ।

ମମିତା ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ ବୋଲି ଅଡିବସିଛନ୍ତି ବିରୋଧୀ । ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁଁ ଶୁକ୍ରବାର ଦିନ ବି ଚାଲିପାରିନି ବିଧାନସଭା । ପ୍ରମୁଖ ବିରୋଧୀ ଦଳ ବିଜେପି ଗୃହ ବାହାରେ ନିଆରା ପ୍ରତିବାଦ କରିଛି । ଦଳର ବିଧାୟକମାନେ ବିଧାନସଭା ଚାରିପଟେ ଗଙ୍ଗାଜଳ ଓ ଗୋବରପାଣି ଛିଞ୍ଚିଥିଲେ ।  ସେପଟେ ବିଜେପିକୁ କାଣ୍ଟଣ୍ଟର କରିଛି ବିଜେଡି । ଦଳ କହିଛି, ବିଜେପି ପ୍ରଥମେ ଲୋକସଭା ଓ ୟୁପି ବିଧାନସଭାକୁ ଶୋଧନ କରନ୍ତୁ । ସେଠାରେ ଅନେକ ନରହତ୍ୟା ହୋଇଛି ।

ବିଜେପି ଭଳି କଂଗ୍ରେସ ମଧ୍ୟ ସମାନ ଆଭିମୁଖ୍ୟ କରି ବିଧାନସଭା ଭିତରେ ଓ ବାହାରେ ପ୍ରତିବାଦ କରିଛି । ସରକାରଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ କରିଛି ଦଳ  । ନରସିଂହ ମିଶ୍ର କହିଛନ୍ତି , ମମିତା ମେହେର ହତ୍ୟା ପ୍ରସଙ୍ଗରେ କଂଗ୍ରେସ ହାଇକୋର୍ଟ ଯିବ ।  ବାଚସ୍ପତି ସବୁ ଦଳକୁ ଡାକି ଗୃହକୁ ସ୍ୱାଭାବିକ କରିବାକୁ ସେ ଦାବି କରିଛନ୍ତି ।

ସେପଟେ ଗୃହ ବାହାରେ ରାଜରାସ୍ତାରେ ବିଜେଡିର ଆନ୍ଦୋଳନ ଓ ଧାରଣା ଜାରି ରହିଛି । ଶୁକ୍ରବାର ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାଜଭବନ ସାମ୍ନାରେ ଆନ୍ଦୋଳନ କରିଥିଲା ଦଳ । କିଭଳି ଦରବୃଦ୍ଧି ପାଇଁ ସାଧାରଣ ଖାଉଟି ସମସ୍ୟାର ସାମ୍ନା କରୁଛନ୍ତି ଓ କେନ୍ଦ୍ର ସରକାର ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ବଦଳରେ ଦର ବଢାଇ ଚାଲିଛନ୍ତି, ତା ବିରୋଧରେ ବିଜେଡି ଯୁଦ୍ଧ ଡାକରା ଦେଇଛି । ପରସ୍ପର ବିରୋଧରେ ଶାସକ ବିରୋଧୀଙ୍କ ଆରୋପ ପ୍ରତ୍ୟାରୋପ ଯୋଗୁଁ ବିଧାନସଭା ଅଚଳ ହୋଇଥିବା ବେଳେ ଲୋକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ଆଲୋଚନା ବହୁ ଦୁରକୁ ଚାଲି ଯାଉଛି ।