ସୀମା ବିବାଦକୁ ନେଇ ଆସାମ ଓ ମିଜୋରାମ ପୋଲିସ ମଧ୍ୟରେ ହିଂସାତ୍ମକ ସଂଘର୍ଷ । ୬ ଆସାମ ପୋଲିସ କର୍ମୀ ମୃତ, ଉଭୟ ପଟୁ ୮୦ରୁ ଅଧିକ ସୁରକ୍ଷାକର୍ମୀ ଆହତ ।

100

କନକ ବ୍ୟୁରୋ : ଉତ୍ତର-ପୂର୍ବ ରାଜ୍ୟ ଆସାମ ଓ ମିଜୋରାମରେ ସୀମାକୁ ନେଇ ସଂଘର୍ଷ । ସୀମା ବିବାଦକୁ ନେଇ ଦୁଇ ରାଜ୍ୟର ପୁଲିସ କର୍ମଚାରୀଙ୍କ ମଧ୍ୟରେ ହିଂସାତ୍ମକ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଏଥିରେ ଆସାମର ୬ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ରାଜ୍ୟର ଅନେକ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି ।

ଛାତି ଥରାଇ ଦେବା ଭଳି ଏହି ଘଟଣା ଆତଙ୍କୀ ହମଲାର କି ଅପରାଧୀଙ୍କୁ ଏନକାଉଣ୍ଟରର ନୁହେଁ ବରଂ ଦୁଇ ରାଜ୍ୟର ପୋଲିସ ମଧ୍ୟରେ ହୋଇଥିବା ସଂଘର୍ଷର ଦୃଶ୍ୟ । ଉତ୍ତର ପୂର୍ବ ରାଜ୍ୟ ଆସାମ ଓ ମିଜୋରାମର ପୋଲିସ କର୍ମଚାରୀ ସୀମା ବିବାଦକୁ ନେଇ ହୋଇଛନ୍ତି ମୁହାଁମୁହିଁ । ସୋମବାର ଅପରାହ୍ମରେ ଏଭଳି ଅଘଟଣ ଘଟିଯାଇଛି ।

ସୀମା ବିବାଦର ହିଂସାତ୍ମକ ରୂପ । ୬ ଆସାମ ପୋଲିସ କର୍ମଚାରୀ ମୃତ । ଆସାମ ପୋଲିସ ଅଭିଯୋଗ ମୁତାବକ ତାଙ୍କ ସୀମା ଭିତରେ ଥିବା ଗୁଟଗୁଟି ଗାଁରେ ମିଜୋରାମ ପୁଲିସ ନିଜ ଅସ୍ଥାୟୀ କ୍ୟାମ୍ପ ବନାଇଥିଲା । ମାତ୍ର ମିଜୋରାମ ପୋଲିସର କହିବା କଥା ଏହି ଅଂଚଳ ସେମାନଙ୍କର । ଆଉ ଆସାମ ପୋଲିସ ତାଙ୍କ ଅଂଚଳରେ ଜବର ଦଖଲ କରିବାକୁ ଚେଷ୍ଟା କରୁଛି । ଏହାକୁ ନେଇ ଦୁଇ ରାଜ୍ୟର ପୋଲିସ ମଧ୍ୟରେ ଆରମ୍ଭ ହୋଇଥିଲା ସଂଘର୍ଷ ।

ଏପରିକି ପରସ୍ପର ଉପରକୁ ଗୁଳି ଚାଳନା କରିବାକୁ ମଧ୍ୟ ପଛାଇ ନଥିଲେ ଆସାମ ଓ ମିଜୋରାମ ପୋଲିସ କର୍ମଚାରୀ । ପରିସ୍ଥିତି ଏପରି ସାଂଘାତିକ ହୋଇଥିଲା କି, ୬ ଜଣ ଆସାମ ପୋଲିସ କର୍ମଚାରୀ ଏହି ହିଂସାତ୍ମକ ସଂଘର୍ଷରେ ପ୍ରାଣ ହରାଇଛନ୍ତି । ଆଉ ଦୁଇ ରାଜ୍ୟର ୮୦ରୁ ଅଧିକ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି ।

ଘଟଣାକୁ ନେଇ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ପରସ୍ପରକୁ ଆକ୍ଷେପ କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଓ ମିଜୋରାମ ମୁଖ୍ୟମନ୍ତ୍ରୀ ଜିରୋମଥାଙ୍ଗା ଟ୍ୱିଟ୍ କରି ପରସ୍ପରକୁ ଦୋଷାରୋପ କରିବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସଂଘର୍ଷ ସମୟର ଏକାଧିକ ଭିଡିଓ ସେୟାର କରିଛନ୍ତି । ଆସାନ ପୋଲିସ କର୍ମଚାରୀଙ୍କୁ ମାରିବା ପରେ ମିଜୋରାମ ସୁରକ୍ଷାବଳ ଯେପରି ଖୁସି ମନାଉଛନ୍ତି ସେହି ଭିଡିଓ ମଧ୍ୟ ସେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମା ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମୃତ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ସେମାନଙ୍କ ପରିବାର ପାଇଁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । କେବଳ ସେତିକି ନୁହେଁ ଡାକ୍ତରଖାନାରେ ଆହତଙ୍କୁ ମଧ୍ୟ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ।