କରୋନା କାଳରେ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି କଳାକାର । ମଞ୍ଚ ନାଟକକୁ ଅନୁମତି ଦେବାକୁ ଦାବି, ଭୁବନେଶ୍ୱରରେ ଧାରଣା

85

କନକ ବ୍ୟୁରୋ : ଦିନ ଥିଲା ସନ୍ଧ୍ୟା ନଈ ରାତି ଆସିଲେ, ଜମୁଥିଲା ଯାତ୍ରାର ଆସର । ବାଘାଜତିନ ଗଣନାଣ୍ୟର ଯେତେବେଳେ ପରଦା ଉଠୁଥିଲା, ପ୍ରଥମେ ସାମ୍ନାକୁ ଆସୁଥିଲେ ସୁବାଷ ଚନ୍ଦ୍ର ଜେନା । ଯାତ୍ରା ଆନାଉଂସର ତଥା ପାଶ୍ୱର୍ ଅଭିନେତା । ଚିରାଚରିତ ଢ଼ଙ୍ଗରେ ମଂଚକୁ ଆସି ଦର୍ଶକଙ୍କୁ ବାନ୍ଧି ରଖିବାକୁ ଉଦ୍ୟମ କରୁଥିଲେ ସୁବାଷ । ହେଲେ, କରୋନା ସବୁ କିଛି ଓଲଟପାଲଟ କରିଦେଇଛି । ବର୍ତମାନ ସେ ମଂଚ ନାହିଁ କି, ସେ ରଙ୍ଗବେରଙ୍ଗର ଲାଇଟ୍ ନାହିଁ । ସକାଳ ହେଲେ ପରିବା ଧରି ବାଲେଶ୍ୱର ବାଗୁଡ଼ି ମାର୍କେଟ୍ରେ ବସି ଯାଉଛନ୍ତି ସୁବାଷ ଜେନା । କରୋନା ଯୋଗୁଁ ଯାତ୍ରା ବନ୍ଦ ଥିବାରୁ ପରିବା ବିକ୍ରି କରି ପରିବାର ଚଳାଉଛନ୍ତି ସୁବାଷ । ତାଙ୍କ ପତ୍ନୀଙ୍କ ରୋଜଗାର ବି ବନ୍ଦ ହୋଇଯାଇଛି, କାରଣ ତାଙ୍କ ପତ୍ନୀ ଯାତ୍ରାରେ ଗାୟିକା ଭାବେ କାମ କରୁଥିଲେ ।

ସମାନ ଘଟଣା କାଳନ୍ଦୀ ସିଂଙ୍କ କ୍ଷେତ୍ରରେ ଘଟିଛି । ବାଲେଶ୍ୱର ସିନ୍ଦୁଆ ଗାଁରେ ଛୋଟିଆ ଦୋକାନଟିଏ କରି ଚଳୁଛନ୍ତି କାଳନ୍ଦୀଙ୍କ ପରିବାର । କାଳନ୍ଦୀ ରାଢ଼ଙ୍ଗ ଗଣନାଟ୍ୟରେ କଳାକାର ଭାବେ କାମ କରୁଥିଲେ ।

ଯେତେବେଳେ କଳାକାରମାନେ ଏଭଳି ଦୟନୀୟ ସ୍ଥିତିରେ ଦିନ କାଟୁଛନ୍ତି, ଠିକ୍ ସେତେବେଳେ ମଂଚ ଖୋଲିବା ସପକ୍ଷରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ସାମ୍ନାରେ ଧାରଣା ଦେଇଛନ୍ତି ଓଡ଼ିଶା ନାଟ୍ୟ ସଂଘର କର୍ମକତା । ମଂଚ ଖୋଲିଲେ କଳାକାର ବଂଚିବେ ଏବଂ କଳାକାରଙ୍କୁ ସହାୟତା ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।