ହଜିଯିବାକୁ ବସିଛି କୌଳିକ ବୃତ୍ତି: ଗାଁ ଗଣ୍ଡାରେ ବିଲୁପ୍ତ ପ୍ରାୟ କମାର ଶାଳ, ମିଳୁନି ଲାଭ

108

କନକ ବ୍ୟୁରୋ: ଗାଁ ଗଣ୍ଡାରେ ବିଲୁପ୍ତ ହେବାରେ ଲାଗିଲାଣି କମାର ଶାଳ । ଚାଷୀ ମାନଙ୍କଠାରୁ ନେଇ ଘରର ନିତିଦିନିଆ ବ୍ୟବହାର ଜିନିଷମାନ ତିଆରି ହେଉଥିବା କମାରଶାଳ ବନ୍ଦ ପଡିଛି । ହେଲେ କୋରାପୁଟ ସେମିଳିଗୁଡା ହାଟଗୁଡା ପଂଚାୟତରେ ନିଜ କୌଳିକ ବୃତି ବଂଚାଇ ରଖିଛନ୍ତି କିଛି କମାର ପରିବାର । ରାତି ପାହିଲେ ଲୁହା ପଜେଇ କାମ କରୁଛନ୍ତି । ହେଲେ ନିଜର ପରିଶ୍ରମ ଅନୁସାରେ ସେମାନଙ୍କୁ ମିଳିପାରୁନି ପାରିଶ୍ରମିକ । ଯାହାକୁ ନେଇ ସଙ୍କଟରେ ପଡିଛି କୌଳିକ ବୃତି ।

ହଜିଯିବାକୁ ବସିଛି କମାରଶାଳ । ଗାଁ ଦାଣ୍ଡରେ ଆଉ ଶୁଣିବାକୁ ମିଳୁନି ଲୁହା ନିହଣର ଶଦ୍ଦ । କମାର ଶାଳରୁ ନିଜର କୌଳିକ ବୃତି ନେଇ ବଂଚୁଥିବା ଲୋକେ ବି ମୁହଁ ଫେରାଇ ନେଲେଣି । ଆଉ କିଛି ସ୍ଥାନରେ ଲୋକେ ବର୍ଷ ବର୍ଷର ଏହି ପାରମ୍ପରିକ ଜୀବୀକା ବଂଚାଇ ରଖିବାକୁ କରୁଛନ୍ତି ପ୍ରୟାସ । କୋରାପୁଟ ଜିିଲ୍ଲା ସେମିଳିଗୁଡା ହାଟଗୁଡା ପଂଚାୟତର କିଛି କମାର ପରିବାର । ରାତି ପାହିଲେ କୌଳିକ ବୃତି ବଂଚାଇ ରଖିବାକୁ କରୁଛନ୍ତି ଉଦ୍ୟମ । ପେଟ ଚାଖଣ୍ଡକ ପାଇଁ ନିଆଁ ପାଖେ ଲୁହା ପଜେଇ ତିଆରି କରୁଛନ୍ତି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମାନ । ଖାସ୍ କରି ଚାଷୀ ମାନଙ୍କ ପାଇଁ ଭଳିକିଭଳି ଜିନିଷ ସବୁ ତିଆରି କରୁଛନ୍ତି । ଲୁହା , କୋଦାଳରୁ ନେଇ ଲଙ୍ଗଳ, ଶଗଡ଼ବଳା, ଟାଙ୍ଗିଆ, ଧାନକଟା ଦା’ ସହ ଘର କରଣା ଜିନିଷ ମାନ ବି ତିଆରି କରୁଛନ୍ତି । ତା ସହିତ ଘରେ ବ୍ୟବହାର ହେଉଥିବା ପନିକି, ଡୁଆ, ଚଟୁ ଆଦି ତିଆରି କରି ବଜାରରେ ବିକ୍ରି କରୁଛନ୍ତି ।

ବଜାରରେ କମାର ମାନଙ୍କ ହାତ ତିଆରି ଜିନିଷ ଅପେକ୍ଷା ଅନ୍ୟ ଜିନିଷ ଲୋକମାନେ ପସନ୍ଦ କରୁଛନ୍ତି । ଦିନକୁ ଦିନ ଏହି ତିଆରି ଜିନିଷରୁ ଲୋକଙ୍କ ଚାହିଦା କମୁଥିବା ବେଳେ ନିଜ କୌଳିକ ବୃତି ବଂଚାଇବା କଷ୍ଟକର ହେଇପଡୁଛି ଏହି କମାର ପରିବାର ପାଇଁ ।

ହଜିଯାଉଥିବା କୌଳିକ ବୃତିକୁ ବଂଚାଇ ରଖିବା ସହ ଏହି କମାର ପରିବାରକୁ ସାହାଯ୍ୟ ସହଯୋଗ କରିପାରିଲେ କମାର ମାନେ ଉପକୃତ ହୋଇପାରିବେ ।