ଗଲୱାନ ଘାଟିରେ ସଂଘର୍ଷ ପରେ ସେନା ସତର୍କ । ଚୀନକୁ ମିଳିବ କଡା ଜବାବ, ଉତରାଖଣ୍ଡ, ସିକିମ ସୀମାରେ ଅଧିକ ସେନା ମୁତୟନ : ଚୀନ ବିରୋଧରେ ସରକାରଠୁ ଜନତାଙ୍କ ମଧ୍ୟରେ ବଢୁଛି ଆକ୍ରୋଶ

651

କନକ ବ୍ୟୁରୋ : ଲଦାଖ ନିକଟ ଗଲବାନ ଘାଟିରେ ଭାରତ-ଚୀନ ସେନାର ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହେବାପରେ ଉତେଜନା ବଢିଯାଇଛି । ପୁରା ଦେଶ ଏହି ଘଟଣା ପରେ ଆକ୍ରୋଶରେ ଅଛି । ଆଉ ଏହାର ପ୍ରଭାବ ସରକାରୀ ସ୍ତରରେ ବି ପଡିଛି । ସେନାକୁ କଡା ଆଲର୍ଟରେ ରଖାଯାଇଛି । ଉତରାଖଣ୍ଡ ଓ ସିକିମ ସମେତ ଏଲଏସିରେ ଅଧିକ ସେନା ପଠାଯିବା ସହ ସତର୍କତାକୁ ବଢାଇଦିଆଯାଇଛି । ଅଧିକ ସଂଖ୍ୟକ ସେନାକୁ ସୀମାକୁ ପଠାଯାଇଛି ।

ସୀମାରେ ସଂଘର୍ଷ ପରେ ଲଦ୍ଦାଖରେ ସଡକ ନିର୍ମାଣର କାମକୁ ତ୍ୱରାନ୍ୱିତ କରାଯାଇଛି । ଚୀନ ଏହି ସଡକକୁ ବିରୋଧ କରିଆସୁଛି । କାରଣ , ଏହି ରାସ୍ତା ତିଆରି ହେଲେ ସେନାକୁ ସୀମା ଯାଏଁ ଯିବା ସହଜ ହୋଇଯିବ । କାମକୁ ଆଗକୁ ବଢାଇବା ପାଇଁ ୧୫ ଶହରୁ ଅଧିକ ଶ୍ରମିକ ଲଦାଖ ଯାଇଛନ୍ତି । ୨୦ ଯବାନ ସହିଦ ହେବା ପରେ ଦେଶ ଆକ୍ରୋଶରେ ଅଛି । ଚୀନ ସାମଗ୍ରୀକୁ ବର୍ଜନ ପାଇଁ ଆହ୍ୱାନ ଦିଆଯାଇଛି । ସରକାର ମଧ୍ୟ ଆର୍ଥିକ କ୍ଷେତ୍ରରେ ଚୀନକୁ ପାନେ ଦେବାକୁ ବିଚାର କରିଛନ୍ତି ।