ଜମ୍ମୁ-କାଶ୍ମୀରରେ ସେନାକୁ ବଡ ସଫଳତା: ଏନକାଉଣ୍ଟରରେ ନିପାତ ହେଲେ ୩ ଆତଙ୍କୀ

103

କନକ ବ୍ୟୁରୋ: ଜାମ୍ମୁକାଶ୍ମୀରରେ ପୋଲିସର ଆଉ ଏକ ସଫଳତା । ଆତ୍ମଘାତି ଆକ୍ରମଣ ଯୋଜନା କରୁଥିବା ଜଣେ ଆତଙ୍କବାଦୀ କୁ ନିପାତ କରିଛି ପୋଲିସ । ତେବେ ସେ ପୁଲୱାମା ବଷ୍ପୋରଣରେ ସମ୍ପୁକ୍ତ ଅଭିଯୁକ୍ତର ସମ୍ପର୍କୀୟ ବୋଲି ଜଣାପଡିଛି ।

ପୁଲୱାମା ଆତ୍ମଘାତି ବିସ୍ଫୋରଣରେ ସମ୍ପୃକ୍ତ ଥିବା ଜଣେ ଆତଙ୍କୀ ଏବଂ ତାର ଅନ୍ୟଜଣେ ସହଯୋଗୀକୁ ନିପାତ କରିଛି ଜାମ୍ମୁକାଶ୍ମୀର ପୋଲିସ । ଶ୍ରୀନଗରରେ ଗୁରୁବାର ବିଳମ୍ବିତ ରାତିରେ ଆତ୍ମଘାତି ଆକ୍ରମଣର ଷଡଯନ୍ତ୍ର କରୁଥିବା ସମୟରେ ଏନକାଉଂଟର କରି ୨ କୁଖ୍ୟାତ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ପୋଲିସ ଓ ଭାରତୀୟ ସ୍ଥଳସେନା ମିଳିବ ଭାବେ ଆକ୍ରମଣ କରି ଆତଙ୍କୀ ସିରାଜ ମଲବି ଓ ୟବର ଭଟ୍ଟକୁ ମାରିବାରେ ସଫଳ ହୋଇଛି । ସିରାଜ ୨୦୧୬ରୁ ସକ୍ରିଅ ଥିଲା ଆଉ ଅନେକ ସାଧାରଣ ନାଗରିକଙ୍କୁ ହତ୍ୟାରେ ତାର ସମ୍ପୃକ୍ତି ଥିବା ଜଣାପଡିଛି । ଜମ୍ମୁ-କାଶ୍ମୀରରେ ସାଧାରଣ ନାଗରିକଙ୍କ ଉପରେ ବାରମ୍ବାର ଆକ୍ରମଣ ହେବା ପରେ ଆକ୍ସନ ମୋଡକୁ ଚାଲିଆସିଛି ଭାରତୀୟ ସେନା ଓ ଜାମ୍ମୁକାଶ୍ମୀର ପୋଲିସ ।

ଘାଟିରେ ଲଗାତାର ଆତଙ୍କୀ ନିରୋଧି ଅପରେସନ ଜାରିରଖିଛନ୍ତି ଯବାନ । ସେପଟେ ଶ୍ରୀନଗରର ବେମିନା ଅଂଚଳରେ ଆତଙ୍କୀ ଓ ସୁରକ୍ଷାବଳ ମଧ୍ୟରେ ଗୁଳିବିନିମୟ ରେ ଅନ୍ୟ ଏକ ଆତଙ୍କୀ ଆମିର ରିଆଜର ମୃତ୍ୟୁ ହୋଇଥିବା ଜଣାପଡିଛି । କାଶ୍ମୀରର ଆଇଜିପି ବିଜୟ କୁମାର ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି । ଆତଙ୍କୀଙ୍କ ନିକଟରୁ ଏକେ ୪୭ ବନ୍ଧୁକ ସମେତ ବିପୁଳ ପରିମାଣର ଆରଡିଏକ୍ସ ଜବତ ହୋଇଛି ।

ଶ୍ରୀନଗରରେ ଗତ କିଛି ଦିନଧରି ହାଇ ଆଲର୍ଟ ଜାରି କରାଯାଇଛି । ଲଗାତାର ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରି ଗୋଟିଏ ମାସରେ ୧୧ ନିରିହ ଲୋକଙ୍କ ଜୀବନ ନେଇ ସାରିଛନ୍ତି ଆତଙ୍କବାଦୀ ମାନେ । ସେହିପରି ଗତ ସପ୍ତାହରେ ଦୁଇଟି ପୃଥକ ଆକ୍ରମଣରେ ଜଣେ କନେଷ୍ଟବଳ ଓ ଜଣେ ବିକ୍ରେତାଙ୍କ ଜୀବନ ଯାଇଛି । ଯାହାକୁ ନେଇ ଖୋଜି ଖୋଜି ଆତଙ୍କବାଦୀଙ୍କୁ ଘାଟିରୁ ନିପାତ କରୁଛି ଭାରତୀୟ ସେନା ।