ସେନାର ସୋସିଆଲ ମିଡିଆ, ମୋବାଇଲ ଆପ୍ ବ୍ୟବହାର ଉପରେ ଲାଗିଲା କଟକଣା । ୧୫ ଜୁଲାଇ ସୁଦ୍ଧା ଫେସବୁକ, ଇନଷ୍ଟାଗ୍ରାମରୁ ହଟିବେ ଭାରତୀୟ ଯବାନ ଓ ଅଧିକାରୀ

368

କନକ ବ୍ୟୁରୋ : ସୋସିଆଲ ମିଡିଆରୁ ହଟିବେ ଯବାନ । ଫେସବୁକ ଓ ଇନଷ୍ଟାଗ୍ରାମ ଭଲି ଆକାଉଂଟକୁ ବନ୍ଦ କରିବା ସହ ଟିକଟକ ଓ ଟ୍ରୁ କଲର ଭଳି ୮୯ଟି ଆପକୁ ହଟାଇବା ପାଇଁ ମଧ୍ୟ ସେନାକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ ୧୫ ତାରିଖ ସୁଦ୍ଧା ଦେଶର ପ୍ରାୟ ୧୩ ଲକ୍ଷ ସୈନିକଙ୍କୁ ଏସବୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଓହରିବା ସହ ନିର୍ଦ୍ଧାତିର ହୋଇଥିବା ଆପଗୁଡିକୁ ନିଜ ମୋବାଇଲରୁ ହଟାଇ ଦେବାପାଇଁ କୁହାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଓ ସମ୍ବେଦନଶୀଳ ଡାଟା ଚୋରୀ ହେବା ଆଶଙ୍କା ରହିଥିବାରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ଏପରିକି ନିର୍ଦ୍ଦେଶ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ତାଗିଦ କରାଯାଇଛି । ସେନା ପାଇଁ ବ୍ୟାନ ହୋଇଥିବା ୮୯ ଆପ ମଧ୍ୟରେ ପୂର୍ବରୁ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଥିବା ୫୯ ଚାଇନା ଆପ ବି ରହିଛି ।

ପାକିସ୍ତାନ ଓ ଚୀନର ଗୁଇନ୍ଦା ଏଜେନ୍ସି ଗୁଡିକ ଦ୍ୱାରା ଭାରତୀୟ ଯବାନଙ୍କୁ ଟାର୍ଗେଟ କରାଯାଉଥିବାରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ବ୍ୟାନ ହୋଇଥିବା ଆପ୍ଲିକେସନରେ ଟିଣ୍ଡର ଓ କାଉଛ ସର୍ଫିଙ୍ଗ ଭଳି ଡେଟିଂ ଆପ ଓ ଡେଲିହଂଟ ଭଳି ନ୍ୟୁଜ ଆପ୍ଲିକେସନ୍ ମଧ୍ୟ ରହିଛି । ପାକିସ୍ତାନ ଆଇଏସଆଇର ହନିଟ୍ରାପରେ ପଡି ଭାରତୀୟ ଯବାନ ସେନା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ କରିବାର ଅଭିଯୋଗ ପୂର୍ବରୁ ଆସିଛି । ଫେସବୁକ କିମ୍ବା ଇନଷ୍ଟାଗ୍ରାମରେ ନିଜ ରହଣୀସ୍ଥଳର ଫଟୋ ପୋଷ୍ଟ କରି ଅନେକ ଯବାନ କୋର୍ଟ ମାର୍ସାଲ ବି ହୋଇଛନ୍ତି । ତେଣୁ ଜାତୀୟ ନିରାପତା ଦୃଷ୍ଟିରୁ ଏଭଳି ପଦକ୍ଷେପକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

ପୂର୍ବରୁ ସ୍ଥଳସେନାର ଅଧକାରୀମାନେ କୌଣସି ସରକାରୀ ସୂଚନା ଆଦାନ ପ୍ରଦାନ ପାଇଁ ହ୍ୱାଟ୍ସଆପର ବ୍ୟବହାର ଉପରେ କଟକଣା ଲଗାଯାଇଥିଲା । ସେହିପରି ଫେସବୁକର ବ୍ୟବହାର ଉପରେ କେତେକ କଡା କଟକଣା ରହିଥିଲା । ଯେମିତି କି ୟୁନିଫର୍ମରେ ରହି କୌଣସି ଫଟୋ ଅପଲୋଡ କରିପାରିବେ ନାହିଁ । ନିଜ ସ୍ଥାନ ବାବଦରେ ସୋସିଆଲ ମିଡିଆରେ କୌଣସି ସୂଚନା ସାର୍ବଜନିନ କରିପାରିବେ ନାହିଁ । ନୌସେନା କିନ୍ତୁ ଫେସବୁକ୍ୟ ବ୍ୟବହାରକୁ ସଂପୂର୍ଣ୍ଣ ବ୍ୟାନ କରିଥିଲା । ସେନାବେସ କିମ୍ବା ଡକୟାର୍ଡକୁ ସ୍ମାର୍ଟଫୋନ ନେଇ ଯିବା ଉପରେ ପ୍ରତିବନ୍ଧକ ଥିଲା । ଯୁଦ୍ଧ ଯାହାଜରେ ମୁତୟନ ଯବାନ ଆଦୌ ମୋବାଇଲ ଫୋନ ନେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଥିଲା ।