ମିଆଁମାରରେ ସାମରିକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସେନା ମୁଖ୍ୟ । କହିଲେ, ଆଙ୍ଗ ସାନ ସୁଙ୍କ କ୍ଷମତାରେ ହସ୍ତକ୍ଷେପ କରି ସାମରିକ ଶାସନ ଲାଗୁ କରିବା ଥିଲା ଜରୁରୀ

142

କନକ ବ୍ୟୁରୋ : ମିଆଁମାରର ସର୍ବୋଚ୍ଚ ନେତା ଆଙ୍ଗ ସାନ ସୁଙ୍କୁ ଗିରଫ ପରେ ସେଠାରେ ପୁଣି ଥରେ ସାମରିକ ଶାସନ ଆରମ୍ଭ ହୋଇଯାଇଛି । ଏବଂ ସେନା ମୁଖ୍ୟଙ୍କ ହାତରେ ରହିଛି ଦେଶର ଶାସନ । ଏପରି ସ୍ଥିତିରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ସେନା ମୁଖ୍ୟ ମିନ ଆଙ୍ଗ ଲାଇଙ୍ଗ । ସେ କହିଛନ୍ତି, ମିଆଁମାରରେ ଆଙ୍ଗ ସାନ ସୁଙ୍କ କ୍ଷମତାରେ ହସ୍ତକ୍ଷେପ କରି ସାମରିକ ଶାସନ ଲାଗୁ କରିବା ଜରୁରୀ ଥିଲା । ଦେଶରେ ଆଇନ ଅନୁଯାୟୀ ସାମରିକ ଶାସନ ଲାଗୁ କରାଯାଇଛି ।

ନଭେମ୍ବରରେ ହୋଇଥିବା ନିର୍ବାଚନରେ ବ୍ୟାପକ ଅନିୟମିତତା ନେଇ ସରକାର ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ରହିଛନ୍ତି । ତେଣୁ ଏହି ପଦକ୍ଷେପ ନେବା ଜରୁରୀ ଥିଲା । ମିଆଁମାରରେ ସାମରିକ ଶାସନ ଲାଗୁ ହେବା ପରେ ଏହାକୁ ସାମରକି ବିଦ୍ରୋହ ବୋଲି କହିଥିଲା ଆମେରିକା । ଏହା ପରେ ସେନା ମୁଖ୍ୟ ସର୍ବସମ୍ମୁଖରେ ଏହି ପଦକ୍ଷେପକୁ ଜରୁରୀ ବୋଲି କହିଛନ୍ତି ।

ଭାରତର ପଡୋଶୀ ରାଷ୍ଟ୍ର ମିଆଁମାରରେ ସାମରିକ ବିଦ୍ରୋହପରେ ସେନା ପକ୍ଷରୁ ପ୍ରମୁଖ ନେତାମାନଙ୍କୁ ଟାର୍ଗେଟ କରାଯାଉଛି । ଏପରିକି ଅନେକ ନେତାଙ୍କ ନାଁରେ ମିଥ୍ୟା କେସ କରି ତାଙ୍କୁ ଗିରଫ କରାଯାଉଥିବା କୁହାଯାଇଛି । ବେଆଇନ ଭାବେ ଟେଲିକମ ଉପକରଣ ଆମଦାନୀ ଅଭିଯୋଗରେ ମିଆଁମାରର ସର୍ବୋଚ୍ଚ ନେତ୍ରୀ ଆଙ୍ଗ ସାନ ସୁଙ୍କ ନାଁରେ ପୋଲିସ ମାମଲା ରୁୁଜୁ କରିଛି । ତଦନ୍ତ ପାଇଁ ତାଙ୍କୁ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଅଟକ ରଖାଯିବ । ତାଙ୍କ ଘରୁ ବିଦେଶୀ ୱାକିଟକି ମିଳିଥିବା ପୋଲିସ ନିଜ ଏଫଆଇଆରରେ ଉଲ୍ଲେଖ କରିଛି ।

ଗତ ନଭେମ୍ବର ମାସରେ ନିର୍ବାଚନ ଅନୁଷ୍ଠିତ ହେବା ପରେ ସେନା ଓ ସରକାର ଭିତରେ ସମ୍ପର୍କ ଭଲ ନଥିଲା । ଏହି ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଆଙ୍ଗ ସାନ ସୁଙ୍କ ସମେତ ବରିଷ୍ଠ ନେତାଙ୍କୁ ଗିରଫ କରିବା ପରେ ଶାସନ ଡୋର ନିଜ ହାତକୁ ନେଇଛି ସେନା । ଦେଶରେ ଏକ ବର୍ଷ ପାଇଁ ଜରୁରୀକାଳିନ ପରିସ୍ଥିତି ଲାଗୁ କରିଦିଆଯିବା ସହ ସେନାମୁଖ୍ୟ ମିନ ଆଙ୍ଗ ଲାଇଙ୍ଗ ଶାସନ ନିଜ ହାତକୁ ନେଇଛନ୍ତି ।

ଦେଶରେ ଜରୁରୀକାଳିନ ପରିସ୍ଥିତି ଲାଗୁ କରାଯିବା ସହ ଅନ୍ୟ ରାଷ୍ଟ୍ରରୁ ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଛି । ଏବଂ ଟିଭି ଚ୍ୟାନେଲ, ଇଂଟରନେଟ ଓ ଫୋନ ସେବାକୁ ବନ୍ଦ କରି ଦିଆଯାଇଛି ।