ଲଦ୍ଦାଖର ଏଲଏସିର ଆଗୁଆ ଘାଟିରେ ସ୍ଥିତି ଅନୁଧ୍ୟାନ କଲେ ସ୍ଥଳସେନାମୁଖ୍ୟ : କହିଲେ ସୀମାରେ ସ୍ଥିତି ଉତେଜନାପୂର୍ଣ୍ଣ, ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ; ସେପଟେ ଚୁସୁଲର ଅପରପାଶ୍ୱର୍ରେ ଯୁଦ୍ଧାସ୍ତ୍ର ଓ ସେନା ସଂଖ୍ୟା ବଢାଉଛି ଚୀନ

232

କନକ ବ୍ୟୁରୋ : ଏଲଏସିରେ ଉତେଜନା ଚାଲିଥିବା ବେଳେ ଲଦ୍ଦାଖ ଗସ୍ତରେ ଅଛନ୍ତି ସ୍ଥଳ ସେନାମୁଖ୍ୟ ଏମଏମ ନରୱଣେ । ସୀମାର ଆଗୁଆ ପୋଷ୍ଟ ଗୁଡିକ ଉଚ୍ଚସେନା ଅଧିକାରୀଙ୍କ ସହ ଯାଇ ସ୍ଥିତି ପରଖିବା ସହ ସୀମା ସୁରକ୍ଷାର ସମୀକ୍ଷା କରିଛନ୍ତି । ଏହି ଅବସରରେ ସେନାଧ୍ୟକ୍ଷ କହିଛନ୍ତି ଭାରତୀୟ ଯବାନଙ୍କ ମନୋବଳ ଖୁବ ଉଚ୍ଚରେ ରହିଛି । ଆଉ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସୀମାରେ ସେନା ପ୍ରସ୍ତୁତ ହୋଇ ରହିଛନ୍ତି । ଲଦାଖ ସୀମାରେ ସ୍ଥିତି ଉତେଜନାପୂର୍ଣ୍ଣ ରହିଛି, ତେଣୁ ସୁରକ୍ଷା ଓ ସାର୍ବଭୈାମତ୍ୱ ଦୃଷ୍ଟିରୁ ସେନା ସତର୍କ ରହିଛନ୍ତି ।
ସୀମାରେ
ସେପଟେ , ପୂର୍ବ ଲଦାଖର ଚୁସୁଲ ସେକ୍ଟର ଅପର ପକ୍ଷରେ ସଂଖ୍ୟାଧିକ ସେନା ଠୁଳ କରୁଛି ଚୀନ । ଏଲଏସିର ପୂର୍ବ ଲଦାଖ ଅଂଚଳର ଥାକୁଙ୍ଗ ଠାରୁ ଲେକିଙ୍ଗ-ଲା ଯାଏଁ ଉଚ୍ଚ ପାର୍ବତ୍ୟ ଅଂଚଳ ତଥା ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଘାଟିଗୁଡିକରେ ଭାରତୀୟ ସେନାଙ୍କ କବଜା ପରେ ଚୀନ ବିଚଳିତ ହୋଇଛି । ଚୀନର ସେନାର ମନ୍ଦ ଉଦ୍ଦେଶ୍ୟକୁ ଠଉରାଇ ଭାରତୀୟ ଯବାନ ଆଗୁଆ ଘାଟିଗୁଡିକରେ ଉପସ୍ଥିତ ଥିବାରୁ ଡ୍ରାଗନର ଉଦ୍ଦେଶ୍ୟ ପୂରଣ ହୋଇପାରି ନାହିଁ । ସାମରିକ ରଣନୀତି ଦୃଷ୍ଟିକୋଣରୁ ଭାରତର ପଲା ଭାରି ପଡୁଥିବା ଦେଖି ବେଜିଂ ଏବେ ଚୁସୁଲ ସେକ୍ଟରର ଅପର ପାଶ୍ୱର୍ରେ ସଂଖ୍ୟାଧିକ ସଶସ୍ତ୍ର ସେନା ଠୁଳ କରି ଶକ୍ତି ବଢାଉଛି । ଏଲଏସିର ଦୁଇ ପଟେ ଦୁଇ ଦେଶର ବିପୁଳ ସେନା ମୁତୟନ ଯୋଗୁଁ ଉତେଜନା ମଧ୍ୟ ବଢିଛି । ଆଉ ଏପରି ସମୟରେ ସେନା ମୁଖ୍ୟ ଏମଏମ ନରବଣେ ଚୁସୁଲ ସେକ୍ଟର ଗସ୍ତ କରି ସୀମାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଲଦାଖଠୁ ଅରୁଣାଚଳପ୍ରଦେଶ ଯାଏଁ ଲମ୍ବିଥିବା ୩ ହଜାର ୪୪୮ କିମି ଚୀନ ସୀମା ବା ଏଲଏସିରେ ଏବେ ଉତେଜନା ଚରମ ସୀମାକୁ ଛୁଇଁଛି । ସେପଟେ ଏୟାର ଚିଫ ମାର୍ଶଲ ଆର କେ ଏସ ଭଦୋରିଆ ଇଷ୍ଟର୍ଣ୍ଣ ସେକ୍ଟରର ହାସିମାରାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସାମରିକ ପ୍ରସ୍ତୁତି ନେଇ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଏୟାର ଚିଫ ମାର୍ଶଲ । ଏଲଏସିରେ ଉତେଜନା ବଢିଥିବା ବେଳେ ଉତେଜନା କମାଇବା ପାଇଁ ଉଭୟ ଭାରତ ଓ ଚୀନ ମଧ୍ୟରେ ଆଲୋଚନା କରାଯାଉଛି ।