ଅର୍ଚ୍ଚନା ପ୍ରସଙ୍ଗରେ କମ୍ପିବ ବିଧାନସଭା ଶୀତ ଅଧିବେଶନ । ଶାସକ ଦଳକୁ ଘେରିବାକୁ କଂଗ୍ରେସର ପ୍ରସ୍ତୁତି । ବିଜେପି ଉଠାଇବ ଚାଷ ଓ ଚାଷୀ ପ୍ରସଙ୍ଗ

89

କନକ ବ୍ୟୁରୋ: ଓଡିଶା ବିଧାନସଭାକୁ ଉଷ୍ମ କରିବ ଅର୍ଚ୍ଚନା ପ୍ରସଙ୍ଗ । ଆସନ୍ତା ଗୁରୁବାରରୁ ବିଧାନସଭାର ଶୀତ ଅଧିବେଶନ ବସିବାକୁ ଯାଉଥିବାବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ବିରୋଧୀ । ଏଥର କଂଗ୍ରେସର ମୁଖ୍ୟ ମୁଦ୍ଦା ରହିଛି ଅର୍ଚ୍ଚନା ନାଗ ମାମଲା । ସେହିପରି ଚାଷୀ ଓ ଚାଷ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛି ବିରୋଧୀ ବିଜେପି । ଅନ୍ୟପଟେ ଉଭୟ ବିଜେପି ଓ କଂଗ୍ରେସର ରଣନୀତିକୁ କାଉଣ୍ଟର କରିବା ପାଇଁ ଶାସକ ବିଜେଡି ବି ପ୍ରସ୍ତୁତ ଥିବା ଜଣାପଡିଛି ।

ରାଜ୍ୟରେ ଦୁଇଟି ପ୍ରସଙ୍ଗକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଗୋଟିଏ ପଟେ ଅର୍ଚ୍ଚନା ନାଗ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଚାଷୀ ପ୍ରସଙ୍ଗ ବି ରାଜନୀତିରେ ମୁଖ୍ୟ ମୁଦ୍ଦା ପାଲିଟିଛି । ଏହାରି ଭିତରେ ବିଧାନସଭାରେ କେଉଁ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ ସେ ଉପରେ ରହିଛି ସମସ୍ତଙ୍କ ନଜର ।

  • ବିଧାନସଭାରେ କଣ ହେବ ବିରୋଧୀଙ୍କ ପ୍ରସଙ୍ଗ?
  • ଅର୍ଚ୍ଚନାଙ୍କ ନାଗଫାସ ନା ଚାଷୀ ଓ ଚାଷବାସ?

ଗୁରୁବାରଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ଆଉ ଏଥର ଅର୍ଚ୍ଚନା ନାଗ ପ୍ରସଙ୍ଗ ଓ ଚାଷୀ ସମସ୍ୟା ଗୃହରେ ଉଠିବ ବୋଲି ସଙ୍କେତ ଦେଇଛନ୍ତି ବିରୋଧୀ । ଅର୍ଚ୍ଚନା ନାଗ ବିଧାନସଭାରେ ମୁଖ୍ୟ ପ୍ରସଙ୍ଗ ହେବା ଦରକାର ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ଅର୍ଚ୍ଚନାକାଣ୍ଡ ରାଜ୍ୟ ପାଇଁ ଏକ ଲଜ୍ଜାଜନକ ଘଟଣା । କିନ୍ତୁ ଚିଟଫଣ୍ଡ ଭଳି ଏହି ପ୍ରସଙ୍ଗ ଲୁଚିଯିବନିତ ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି । ନରସିଂହ ଆହୁରି କହିଛନ୍ତି, ସମସ୍ତେ ମିଳିମିଶି ଏହାକୁ ଦବେଇବାକୁ ଉଦ୍ୟମ କରୁଛନ୍ତି । ବିଜେଡି-ବିଜେପି ସେଟିଂରେ ଚାଲିଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।

  • ବିଜେପି ଉଠାଇବ ଚାଷୀ ପ୍ରସଙ୍ଗ 
  • ଅର୍ଚ୍ଚନା କାଣ୍ଡକୁ ଏଡାଇଯିବ କି ଦଳ?

ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା କିନ୍ତୁ ସେଭଳି ଗୁରୁତ୍ୱ ଦେଇନାହାନ୍ତି । ଜୟ ନାରାୟଣ ମିଶ୍ର କହିଛନ୍ତି, ଇଡି ତଦନ୍ତରେ ସମସ୍ତେ ସହଯୋଗ କରିବା ଉଚିତ । ବିଧାନସଭାରେ ଚାଷୀ ପ୍ରସଙ୍ଗ ହିଁ ମୁଖ୍ୟ ପ୍ରସଙ୍ଗ ହେବା ଦରକାର । ଏବେ କ୍ଷେତରେ ପାଣି ନାହିଁ । ଧାନବିକ୍ରି ହୋଇନାହିଁ । କଲେକ୍ଟରମାନେ ମନମାନି କରିଛନ୍ତି । ଇନପୁଟ ସବସିଡି ମଳିନାହିଁ । ତେଣୁ ଏହି ପ୍ରସଙ୍ଗ ଗୃହରେ ଉଠିବ ବୋଲି କହିଛନ୍ତି ବିରୋଧୀଦଳ ନେତା । ସେପଟେ ଶାସକ ଦଳ ପକ୍ଷରୁ କୁହାଯାଇଛି ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ।

ବିଧାନସଭା ଅଧିବେଶନ ପାଇଁ ଆଗକୁ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ । ରଣନୀତି ବି ଚୂଡାନ୍ତ ହେବ । କିନ୍ତୁ ଅର୍ଚ୍ଚନା ନାମ ମାମଲାରେ ବଡ ବଡ ନେତା ଓ ଅଫିସରଙ୍କ ନାଁ ଆସୁଛି । ଆଉ ଅନ୍ୟପଟେ ସାଧାରଣ ଚାଷୀର ଜୀବନଜୀବିକାର ପ୍ରଶ୍ନ । ତେଣୁ କେଉଁ ପ୍ରସଙ୍ଗକୁ ବିରୋଧୀ ଗୁରୁତ୍ୱ ଦେଉଛନ୍ତି, ତାକୁ ନେଇ ଚର୍ଚ୍ଚା ଚାଲିଛି ।