କନକ ବ୍ୟୁରୋ: ଆସନ୍ତା ୧୫ ତାରିଖରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬୬ଟି ବିଧାନସଭା ଏବଂ ୧୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଂଗ୍ରେସ । ଏନେଇ ଆଜି ଦଳର ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ଆଜି ଓଡିଶାର ୧୪୭ ବିଧାନସଭା ଏବଂ ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୂଡାନ୍ତ ହେବ । ପ୍ରତିଟି ବିଧାନସଭା କ୍ଷେତ୍ର ଓ ସଂସଦୀୟ କ୍ଷେତ୍ର ପାଇଁ ୩ ଜଣ ଲେଖାଏଁ ଆଶାୟୀଙ୍କ ନାଁ ଚୂଡାନ୍ତ ହେଇଛି । ସ୍କ୍ରିନିଂ କମିଟି ବୈଠକରେ ଆଶାୟୀଙ୍କ ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀଙ୍କ ବିଷୟରେ ବିଚାର ବିମର୍ଷ ହେଇ ଫାଇନାଲ ଲିଷ୍ଟ ସିଇସି ନିକଟକୁ ଯିବ ବୋଲି କୁହାଯାଇଛି ।

Advertisment

ଅନ୍ୟପଟେ ଦଳକୁ ଫେରିଥିବା କିଛି ନେତାଙ୍କ ପାଇଁ ସିଟ୍ ସଂରକ୍ଷିତ କରି ରଖାଯିବ । ଆଉ ୧୫ ତାରିଖରେ ପ୍ରାର୍ଥୀ ଘୋଷଣା ସହିତ ଦଳ ନିଜର ନିର୍ବାଚନୀ ଇସ୍ତାହାର ମଧ୍ୟ ଘୋଷଣା କରିବ ବୋଲି ପଞ୍ଚାନନ କାନୁନଗୋ ସୂଚନା ଦେଇଛନ୍ତି । କଂଗ୍ରେସ ଏଥର ରାଜ୍ୟରେ ସରକାରକୁ ଆସିଲେ ଓଡିଶାରେ ଗୃହଲକ୍ଷ୍ମୀ ଭତ୍ତା, କୃଷକ ଭତ୍ତା ଓ ବେକାରୀ ଭତ୍ତା ଲାଗୁ କରିବ । ଗୃହଲକ୍ଷ୍ମୀ ଭତ୍ତାରେ ହିତାଧିକାରୀଙ୍କୁ ୨ ହଜାର ଟଙ୍କା, କୃଷକ ଭତ୍ତାରେ ଚାଷୀଙ୍କୁ ୨ ହଜାର ଟଙ୍କା ଏବଂ ବେକାରୀ ଭତ୍ତା ୩ ବର୍ଷ ଯାଏଁ ୩ ହଜାର ଟଙ୍କା ଲେଖାଏଁ ଦେବ କଂଗ୍ରେସ ବୋଲି ପଞ୍ଚାନନ କାନୁନଗୋ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।