କନକ ବ୍ୟୁରୋ: ଭାଙ୍ଗି ଯିବ କି ଲୋକସଭା? ସଂସଦର ସ୍ୱତନ୍ତ୍ର ଅଧିବେଶନ ଘୋଷଣା ପରେ ଏଭଳି ଆଶଙ୍କା ପ୍ରକାଶ ପାଇଛି । ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି । ସେପଟେ କ୍ରମାଗତ ମୋଦୀ ସରକାରଙ୍କ ଲୋକ ପ୍ରିୟତା କମିବାରେ ଲାଗିଛି । ମୋଦିଙ୍କୁ ଚେକ୍ ଦେବା ପାଇଁ ଇଣ୍ଡିଆ ମେଂଟ ଜରିଆରେ ବିରୋଧୀ ଏକାଠି ହେଉଛନ୍ତି । ଏଭଳି ସ୍ଥିତିରେ ମୋଦି ହୁଏତ ସରକାରକୁ ଭାଙ୍ଗି ଆଗୁଆ ନିର୍ବାଚନକୁ ସାମ୍ନା କରିପାରନ୍ତି ବୋଲି ସନ୍ଦେହ ହେଉଛି ।

Advertisment

ମୋଦୀ ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବା ପରେ ଏହାକୁ ନେଇ ରହସ୍ୟ ବଢିବାରେ ଲାଗିଛି । କାରଣ ନିକଟରେ ଜୁଲାଇ ୨୦ରୁ ଅଗଷ୍ଟ ୧୧ ଯାଏଁ ଚାଲିଥିଲା ସଂସଦର ମୌସୁମୀ ଅଧିବେଶନ । ତେଣୁ ପୁଣି କ’ଣ ଏମିତି ଆବଶ୍ୟକ ପଡିଲା ଯେ, ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ପଡିଲା? ମମତା ବାନାର୍ଜୀ... କିଛିଦିନ ତଳେ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ, ଡିସେମ୍ବରରେ ଲୋକସଭା ନିର୍ବାଚନ କରାଇବାକୁ ଚାହୁଁଛନ୍ତି ମୋଦୀ ସରକାର, ଆଉ ଏଥିପାଇଁ ବିଜେପି ସବୁ ହେଲିକପ୍ଟର ବୁକ୍ କରିସାରିଛି । ପ୍ରହଲ୍ଲାଦ ଯୋଶୀ ଟ୍ୱିଟ୍... ଏବେ ସଂସଦର ସ୍ୱତନ୍ତ୍ର ଅଧିବେଶନ ନେଇ ସଂସଦାୟୀ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଟ୍ୱିଟ୍ ରାଜନୈତିକ ଉଷ୍ମତାକୁ ବଢାଇ ଦେଇଛି ।

ପ୍ରହଲ୍ଲାଦ ଯୋଶୀଙ୍କ ଟୁଇଟ୍
- ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ସଂସଦର ସ୍ୱତନ୍ତ୍ର ଅଧିବେଶନ
- ମୋଟ୍ ୫ଟି କାର୍ଯ୍ୟଦିବସ ରହିବା ନେଇ ଟୁଇଟ୍ କରି ସୂଚନା
- ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଟୁଇଟ୍
- ଅମୃତକାଳକୁ ଦୃଷ୍ଟିରେ ରଖି ହେବ ସକାରାତ୍ମକ ଆଲୋଚନା

ସମ୍ବିଧାନର ଧାରା ୮୫ ଅନୁସାରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକି ପାରିବେ କେନ୍ଦ୍ର ସରକାର । ସଂସଦୀୟ ବ୍ୟାପାର ସଂପର୍କିତ କ୍ୟାବିନେଟ କମିଟିର ଅନୁମୋଦନ ପରେ ରାଷ୍ଟ୍ରପତିଙ୍କ ମୋହର ବାଜିଲେ ବସିପାରିବ ସ୍ୱତନ୍ତ୍ର ଅଧିବେଶନ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ଡକାଯାଇଥାଏ ସ୍ୱତନ୍ତ୍ର ଅଧିବେଶନ ।

ଏବେ କାହିଁକି ଏହି ସ୍ୱତନ୍ତ୍ର ଅଧିବେଶନ ଡକାଗଲା ତାକୁ ନେଇ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା କରାଯାଉଛି ।
ଥିଓରୀ-୧
- ଇଣ୍ଡିଆ ମେଂଟ ଜରିଆରେ ବିରୋଧୀ ବଳ ଗୋଟାଉ ଥିବାରୁ ସରକାରକୁ ଭାଙ୍ଗିଦେଇ ଆଗୁଆ ନିର୍ବାଚନକୁ ଯାଇପାରନ୍ତି ମୋଦୀ ସରକାର
ଥିଓରୀ-୨
- ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ ଆଣି ଭୋଟରଙ୍କୁ ପ୍ରଭାବିତ କରିପାରନ୍ତି କେନ୍ଦ୍ର ସରକାର
ଥିଓରୀ-୩
- ଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ହେବାକୁ ଥିବା ଜି-୨୦ ବୈଠକ ପରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବାଟ ଖୋଲିବାକୁ ପ୍ରୟାସ କରିପାରନ୍ତି

ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଆହୁରି ବଳ ଦେଇଛି ଜାତୀୟ ସ୍ତରର ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ଟୁଇଟ୍ । ଆଦାନୀ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ଆକ୍ରମଣ ଏବଂ ଇଣ୍ଡିଆ ମେଂଟ ଜରିଆରେ ବିରୋଧୀ ଏକାଠି ହୋଇ ମୋଦୀ ବିରୋଧୀ ରଣନୀତି କରିବା ପୂର୍ବରୁ ବିଜେପି ସରକାର ସାନି ନିର୍ବାଚନକୁ ଯାଇପାରନ୍ତି ବୋଲି ସେ ମଧ୍ୟ ଆଶଙ୍କା କରିଛନ୍ତି ।