ଦୁର୍ଘଟଣା ବନାଇଦେଲା ଦେବଦୂତ । ଟ୍ରକ୍ ଡ୍ରାଇଭର ବଞ୍ଚାଇଲେଣି ଅନେକ ଜୀବନ…

386

କନକ ବ୍ୟୁରୋ: ଦୁର୍ଘଟଣା…କାହାକୁ କହିକି ଆସେନି । କିମ୍ବା ଛୋଟ ବଡ଼, ଧନୀ ଗରିବ, ତାକୁ କାହାର ପରିଚୟ ଦରକାରନାହିଁ । ଆଉ ସେହି ଦୁର୍ଘଟଣା କାହାର ସର୍ବନାଶ କରିଦିଏ ତ କାହାର ଭାଗ୍ୟ ଭବିଷ୍ୟତକୁ ଅନ୍ଧାରୀ ମୂଲକକୁ ଠେଲିଦିଏ । କିନ୍ତୁ ଦୁର୍ଘଟଣା ଯେ ଜଣେ ଟ୍ରକ ଡ୍ରାଇଭରକୁ ଦେବଦୂତ କରିଦେଇଛି ତାହା ଜାଣିଲେ ଆପଣ ବି ଚକିତ ହୋଇଯିବେ । ଏମିତି ଜଣେ ବ୍ୟକ୍ତିଙ୍କ କାହାଣୀ ଆମ କ୍ୟାମେରା ଲେନ୍ସରେ କଏଦ ହୋଇଛି । ଆସନ୍ତୁ ଜଣେ ଦେବଦୂତଙ୍କ ଦୁନିଆ ଭିତରକୁ ଯିବା ତାଙ୍କ ନିଷ୍ଠାପରର କାହାଣୀ ଜାଣିବା…

ନାଁ ପଙ୍କଜ ତରାଇ ଓରଫ୍ ଦିପୁ ଭାଇ… ପାରାଦୀପ ଅଞ୍ଚଳରେ ପରୋପକାରୀ ମଣିଷ ଭାବେ ବେଶ୍ ପରଚିତ । କାରଣ ପାରାଦୀପଠାରୁ କୁଜଙ୍ଗ ରାସ୍ତା ମଝିରେ ୧୫ ବର୍ଷ ଭିତରେ ଯେବେ ଯେବେ ଦୁର୍ଘଟଣା ଘଟିଛି, ସେବେ ସେବେ ଦିପୁ ଭାଇ ଦେବଦୂତ ପାଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚି ଯାଆନ୍ତି । ଗୋଟିଏ ଫୋନ୍ ପାଇବା ପରେ ପାରୁପର୍ଯ୍ୟନ୍ତ ପ୍ରୟାସ କରି ଜୀବନ ବଞ୍ଚାଇବାକୁ ଲାଗିପଡ଼ନ୍ତି ପଙ୍ଗଜ । ଏପରିକି ନିଜ ସ୍ୱଳ୍ପ ଆୟ ଭିତରେ ମଧ୍ୟ ନିଜ ପକେଟରୁ ଖର୍ଚ୍ଚ କରିବାକୁ ତିଳେମାତ୍ର ବିଳମ୍ବ କରନ୍ତିନି ଏହି ବଡ଼ ହୃଦୟ ରଖିଥିବା ଦିପୁ ଭାଇ ।

ତେବେ ପଙ୍କଜଙ୍କ ପରୋପକାରୀ ପଛରେ ରହିଛି ଦୁର୍ଘଟଣାର ଏକ ହୃଦୟସ୍ପର୍ଶୀ କାହାଣୀ । ୧୫ ବର୍ଷ ତଳେ ଗୋଟିଏ ଦୁର୍ଘଟଣା ବଦଳାଇ ଦେଇଥିଲା ତାଙ୍କ ଜୀବନର ଗତିପଥ । ଦିନେ ରାସ୍ତାରେ ଟ୍ରକ୍ ନେଇ ଯାଉଥିବାବେଳେ ହଠାତ୍ ଦୁଇଜଣ ଯୁବକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକ୍ରାର କରୁଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇ ଚିକିତ୍ସା କରାଇଥିଲେ ପଙ୍କଜ । କିନ୍ତୁ ଶତ ଚେଷ୍ଟା ପରେ ବି ଦୁଇଜଣ ଯୁବକ ବଞ୍ଚିପାରିଲେନି । ସେବେଠୁ ଶପଥ କରିଛନ୍ତି ଜଣା ହେଉ କି ଅଜଣା, ଆଖପାଖରେ ଯଦି କେବେ କେହି ଦୁର୍ଘଟଣାର ଶିକାର ହୁଅନ୍ତି । ତେବେ ତାଙ୍କ ଜୀବନ ବଞ୍ଚାଇବାକୁ ଯାହା ବି କରିବାକୁ ପଡ଼ିବ ସେ କରିବେ ସେଥିପାଇଁ ସେ ତିଆରି କରିଛନ୍ତି ‘ଦେବଦୂତ ଗ୍ରୁପ୍’ ।

ଜଣେ ଟ୍ରକ୍ ଡ୍ରାଇଭର କିନ୍ତୁ ଦରମା ଯେତିକି ହେଉ ପଛେ ସେଥିରେ ଅନ୍ୟର ଜୀବନ ବଞ୍ଚାଇବାକୁ ଅନବରତ ଅନେଇ ବସିଛନ୍ତି ପଙ୍କଜ । ସେଥିପାଇଁ ଦୀର୍ଘ ୧୫ ବର୍ଷ ମଧ୍ୟରେ ୩୦୦ରୁ ଅଧିକ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଇ ଚିକିତ୍ସା କଲେଣି । ନିଜ ପ୍ରତିଜ୍ଞାରେ ଅଟଳ ରହି ଦୁର୍ଘଟଣାସ୍ଥଳରୁ ହସ୍ପିଟାଲ ବେଡ୍ ଓ ତାପରେ ସେହି ଲୋକ ଜୀବନ ଫେରିପାଇବା ସତରେ କେତେ ଆତ୍ମସନ୍ତୋଷ ଦେଉଥିବ ତାହା ଶବ୍ଦରେ ବୟାନ କରିହେବନି ବୋଲି କହିଛନ୍ତି ପଙ୍କଜଙ୍କୁ ପାଖରୁ ଜାଣିଥିବା ଅନେକ ବ୍ୟକ୍ତି ।

ନିଶ୍ୱାର୍ଥପର ସେବା, ପରୋପକାରୀ ଦୟାଳୁ ହୃଦୟ ରଖିଥିବା ପଙ୍କଜ ତରାଇଙ୍କୁ ପାରାଦୀପରେ ପ୍ରଶଂସା କରୁଛନ୍ତି । ଜୀବିକା ପାଇଁ ବନିଛନ୍ତି ଟ୍ରକ୍ ଡ୍ରାଇଭର କିନ୍ତୁ ଅନେକଙ୍କ ଜୀବନଦାତା ପାଲଟି ଦୁର୍ଘଟଣାରେ ଆହତଙ୍କ ପାଇଁ ହୋଇଯାଇଛନ୍ତି ଦେବଦୂତ । ଆଜିର ସ୍ୱାର୍ଥପର ସମାଜକୁ ଶିଖାଉଛନ୍ତି ଯେ, ଆକ୍ସିଡେଣ୍ଟକୁ ଦେଖି ଖାଲି ଫଟୋ କି ଭିଡ଼ିଓ କରନ୍ତୁନି । ଆନ୍ତରିକତା ସହ ସେମାନଙ୍କ ଜୀବନ ରକ୍ଷା କରିବାକୁ ଆଜିର ଯୁବପୀଢ଼ିଙ୍କୁ ଅନୁରୋଧ କରିଛନ୍ତି ପଙ୍କଜ ତରାଇ ।