କନକ ବ୍ୟୁରୋ: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟକୁ ଘନୀଭୂତ ହେବାକୁ ଆହୁରି ୨୪ ରୁ ୩୬ ଘଣ୍ଟା ଲାଗିପାରେ । ଏମିତି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ପୂର୍ବରୁ ଏହା ରବିବାର ଅର୍ଥାତ ୧୦ ତାରିଖରେ ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରାଯାଇଥିଲା । ଲଘୁଚାପରେ ପରିଣତ ହେବା ପରେ ଏହା ୪ ରୁ ୫ ଦିନ ସମୁଦ୍ର ଭିତରେ ଗତି କରି ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଆଡକୁ ଅଗ୍ରସର ହେବାର ସମ୍ବାବନା ରହିଛି । ତେବେ ଏହା ସାମୁଦ୍ରିକ ଝଡରେ ପରିଣତ ହେବ କି ନାହିଁ ତାହା ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ ବୋଲି କହିଛି ଆଇଏମଡି । କିନ୍ତୁ ଅନ୍ୟ ଏକ ପାଣିପାଗ ଆଳନକାରୀ ସଂସ୍ଥା ସ୍କାଏମେଟର ଆକଳନ ଅନୁସାରେ ଲଘୁଚାପ ସମୁଦ୍ରରେ ବଳ ଗୋଟାଇ ବାତ୍ୟାର ରୂପ ନେବା ନିଶ୍ଚିତ ।
ତେବେ ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇ ଭିଏତନାମ ଉପକୂଳ ଅତିକ୍ରମ କରିଥିବା ଝଡ ଲାୟନ ରକ୍ ଯୋଗୁ ଘୂର୍ଣ୍ଣିବଳୟକୁ ଲଘୁଚାପରେ ରୂପାନ୍ତରିତ ହେବାକୁ ସମୟ ଲାଗୁଥାଇପାରେ ବୋଲି ମଧ୍ୟ କୁହାଯାଉଛି । ଏହାକୁ ଫୁଜିୱାରା ଇଫେକ୍ଟ କୁହାଯାଏ । ଦକ୍ଷିଣ ଚୀନ ସାଗରରେ ପଛକୁ ପଛ ତୁଳନାତ୍ମକ ଭାବରେ ଶକ୍ତିଶାଳୀ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବାରୁ ସେଗୁଡିକ ଅଧିକ ଜଳୀୟବାଷ୍ପ ଟାଣୁଛନ୍ତି । ଯାହା ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟକୁ ଲଘୁଚାପରେ ପରିଣତହେବାରେ ବିଳମ୍ବ କରୁଛି ।
ଏମିତି ମଧ୍ୟ କୁହାଯାଉଛି ଘୂର୍ଣ୍ଣିଝଡ ଲାୟନ ରକର ଅବଶିଷ୍ଟାଂଶ ଭିଏତନାମ ଓ ଥାଇଲ୍ୟାଣ୍ଡ ଅତିକ୍ରମ କରି ଆଣ୍ଡାମାନ ସାଗରକୁ ଗତି କରିବ । ଯାହା ଏଠାରେ ସୃଷ୍ଟି ହୋଇଥିବା ଲଘୁଚାପକୁ ଆହୁରି ବଳ ଯୋଗାଇପାରେ । ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ଆଉ ଦୁଇ ଦିନ ପରେ ହିଁ ଏହାର ଗତିପଥ ଓ ତୀବ୍ରତା ବିଷୟରେ ସ୍ପଷ୍ଟ ଚିତ୍ର ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/28-11.jpg)