ମୃତ୍ୟୁ ପରେ ବି ମିଳୁଛି ଭତା ?୨୦୧୯ ମସହାରୁ ମୃତ୍ୟୁ ହେଲାଣି କିନ୍ତୁ ୨୦୨୦ ଜାନୁଆରୀ ପର୍ଯ୍ୟନ୍ତ ତାଙ୍କ ନାଁରେ ଉଠିଛି ଭତା ଟଙ୍କା

360

କନକ ବ୍ୟୁରୋ : ଭୂତ ଖାଉଛି ଭତା ଟଙ୍କା । ମଲା ଲୋକଙ୍କୁ ମିଳୁଛି ପେନସନ୍ ରାଶି । ଏକଥା ଆମେ କହୁନୁ । ଏପରି ଅଭିଯୋଗ ଆସିଛି ପୁରୀ ଜିଲ୍ଲାର ପିପିଲି ଅଂଚଳରୁ । ସରକାରୀ ଯୋଜନାର ହରିଲୁଟର ଏହି ଘଟଣାର ଗୁମର ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଧରା ପଡିଛି । ପୁରୀ ଜିଲ୍ଲା ପିପିଲି ବ୍ଲକର ସରସ୍ୱତୀପୁର ପଂଚାୟତରେ ମୃତ ବ୍ୟକ୍ତିଙ୍କ ନାଁରେ ମାସ ମାସ ଧରି ଭତା ଉଠାଯାଉଛି । ପଂଚାୟତର କୁନି ପ୍ରଧାନ, ଭିକାରୀ ଗୁରୁ ଓ ଭୋଳା ବେହେରା ନାମକ ବ୍ୟକ୍ତିଙ୍କର ୨୦୧୯ ମସିହାରୁ ଦେହାନ୍ତ ହୋଇଗଲାଣି । ତାଙ୍କ ନାଁରେ ମାସ ମାସ ଧରି ଉଠାଚାଲିଛି ମଧୁବାବୁ ପେନସନ ଯୋଜନାରେ ଟଙ୍କା ।

କୁନି ପ୍ରଧାନଙ୍କ ମୃତ୍ୟୁ ୨୦୧୯ ସେପ୍ଟେମ୍ୱର ୪ରେ ହୋଇଥିଲା । ତାଙ୍କ ନାଁରେ ୨୦୨୦ ଜାନୁଆରୀ ଯାଏଁ ଉଠିଛି ପେନସନ୍ ଟଙ୍କା । ଭୋଳା ବେହେରା ୨୦୧୯ ସେପ୍ଟେମ୍ୱର ୪ରେ ଆଖି ବୁଜିଥିଲେ । ତାଙ୍କ ନାଁରେ ୨୦୨୦ ଜାନୁଆରୀ ଯାଏଁ ଟଙ୍କା ଉଠିଛି । ସେହିପରି ଭିକାରୀ ଗୁରୁଙ୍କ ମୃତ୍ୟୁ ୨୦୧୯ ଜୁନ୍ ମାସରେ ହୋଇଥିଲା । ତାଙ୍କ ନାଁରେ ଅଗଷ୍ଟ ମାସ ଯାଏଁ ଟଙ୍କା ଉଠିଛି ।

ସେପଟେ ଏପରି କିଛି ଟଙ୍କା ଉଠାଯାଉଥିବା କଥା ଜାଣିନଥିବା କହିଛନ୍ତି ମୃତକଙ୍କ ପରିବାର ଲୋକେ । ଏପରିକି ସେମାନଙ୍କ ନିକଟରେ ପେନସନ୍ ବହିନଥିବାରୁ ଟଙ୍କା କିଏ ଉଠାଉଛି ସେମାନେ ଜାଣିନଥିବା କହିଛନ୍ତି । ସରପଂଚଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଏଠାରେ ପ୍ରଶ୍ନ ଉଠୁଛି, ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠାଇ ଖାଉଛି କିଏ । ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ଖାଉଥିବା ଲୋକଙ୍କ ବିରୁଧରେ କଡା ପଦକ୍ଷେପ ଦାବି କରିଛନ୍ତି ଅଂଚଳବାସୀ ।