ମାହାଙ୍ଗା ଡବଲ ମର୍ଡର: ଅଡୁଆରେ ମନ୍ତ୍ରୀ ପ୍ରତାପ ଜେନା । କୋର୍ଟ କହିଲେ, ପ୍ରୋଟେଷ୍ଟ ପିଟିସନରେ ଆସିଥିବା ଅଭିଯୋଗ ସଂଗୀନ

207

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ମାମଲା ବଢ଼ିଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ । ମନ୍ତ୍ରୀଙ୍କୁ ସାମିଲ କରି ପୁଣିଥରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର କୋର୍ଟ । ଏହି ମାମଲାରେ ଚାର୍ଜସିଟରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ, ମାହାଙ୍ଗା ଆଇଆଇସି କାଟି ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ସାଲେପୁର ଜେଏମଏଫସିରେ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିଥିଲେ ମୃତ କୁଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳ । ପିଟିସନରେ ସାନି ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସେ ନିବେଦନ କରିଥିଲେ । ଏହାର ଶୁଣାଣି କରି କୋର୍ଟ, ଆଜି ଏହି ଘଟଣାରେ ପୁନଃ ତଦନ୍ତ କରିବା ପାଇଁ ମାହାଙ୍ଗା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ପିଟିସନର ରମାକାନ୍ତ ବରାଳଙ୍କ ପକ୍ଷରୁ କୋର୍ଟରେ କଣ ଯୁକ୍ତି ରଖାଯାଇଥିଲା ଓ କୋର୍ଟ କଣ ଅଭିମୂଖ୍ୟ ରଖିଛନ୍ତି । ପିଟିସନର କହିଥିଲେ ମହାଙ୍ଗା ଥାନାରେ ୧୩ ଜଣଙ୍କ ନାଁରେ ଡବଲ ମର୍ଡର ନେଇ ଏଫ୍ଆଇଆର କରାଯାଇଥିଲା । ଯେଉଁଥିରେ ମନ୍ତ୍ରୀ ପ୍ରତାପ ଜେନାଙ୍କର ନାଁ ରହିଥିଲା । ହେଲେ ପରେ ମନ୍ତ୍ରୀଙ୍କର ନାଁ କାଟି ଦିଆଯାଇ ୧୨ ଜଣଙ୍କ ନାଁରେ ଚାର୍ଜସିଟ୍ ଫାଇଲ ହୋଇଥିଲା । ଯେହେତୁ ମନ୍ତ୍ରୀଙ୍କ ନାଁ ଏଫଆଇଆରରେ ରହିଥିଲା, ତଦନ୍ତକାରୀ ଅଧିକାରୀ ସେ ଦିଗକୁ ସମ୍ପୁର୍ଣ୍ଣ ଅଣଦେଖା କରିଥିଲେ ।

ତଦନ୍ତକାରୀ ଅଧିକାରୀ ସାକ୍ଷୀମାନଙ୍କ ବୟାନ ସଠିକ୍ ଭାବରେ ରେକର୍ଡ କରିନଥିଲେ । ତେଣୁ ମନ୍ତ୍ରୀଙ୍କ ନାଁ ଚାର୍ଜସିଟ୍ରେ ସ୍ଥାନ ପାଇନଥିଲା । ଦାଖଲ କରାଯାଇଥିବା ପୋଟେଷ୍ଟ ପିଟିସନରେ କୁହାଯାଇଛି, ଯେଉଁ ସାକ୍ଷୀମାନଙ୍କ ନାଁ ଏଥିରେ ଉଲ୍ଲେଖ ଅଛି ସେମାନଙ୍କୁ ନିରପେକ୍ଷତାର ସହ ତଦନ୍ତରେ ପକ୍ଷଭୁକ୍ତ କରାଯାଉ । ବିନା କୌଣସି ରାଜନୈତିକ ଚାପରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ତଦନ୍ତ ଆଗଉ । ଅନ୍ୟ ଅଭିଯୁକ୍ତଙ୍କ ଭଳି ପ୍ରତାପ ଜେନା ବିଚାର ପ୍ରକ୍ରିୟା ପରିସରକୁ ଆସନ୍ତୁ ବୋଲି ଏଥିରେ କୁହାଯାଇଛି । ତଦନ୍ତକାରୀ ଅଧିକାରୀ ଚାର୍ଜସିଟ୍ରେ ଦର୍ଶାଇଥିଲେ ସମସ୍ତ ଅଭିଯୁକ୍ତଙ୍କ ସିଡିଆର ସେ ଯାଂଚ କରିଥିଲେ । କୌଣସି ବି ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ କଥା ହୋଇଥିବା ତଥ୍ୟ ମିଳି ନ ଥିଲା । ତେଣୁ ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଯଥାର୍ଥ ବୋଲି ସାବସ୍ତ୍ୟ ହୋଇପାରିନଥାନ୍ତା ।

କୌଣସି ଜଣେ ବି ସାକ୍ଷୀ ପ୍ରତାପ ଜେନା ସମ୍ପୃକ୍ତ ଥିବା ନେଇ ହୋଇଥିବା ଏଫ୍ଆଇଆର ସହ ଏକମତ ହୋଇ ନ ଥିଲେ । ଶୁଣାଣି ବେଳେ କୋର୍ଟ କହିଛନ୍ତି ପୋଟେଷ୍ଟ ପିଟିସନରେ ଆବଦେନକାରୀ ତଦନ୍ତ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ସାକ୍ଷୀମାନଙ୍କର ବୟାନ ସଠିକ୍ ଭାବେ ରେକଡ ହୋଇ ନାହିଁ । ତେଣୁ ଆବେଦନକାରୀଙ୍କ ପ୍ରୋଟେଷ୍ଟ ପିଟିସନ ଦାଖଲ ନେଇ ଅଧିକାର ରହିଛି । ଶେଷରେ ସାଲେପୁର ଜେଏମଏଫ୍ସି କୋର୍ଟ କହିଛନ୍ତି ଏହି ମାମାଲରେ ଯଦିଓ ସମନ ଜାରି କରାଯାଇ ପାରିବ ନାହିଁ ତଥାପି ତଦନ୍ତ ସଠିକ୍ ଭାବେ ଆଗେଇବା ଦରକାର ।

ପ୍ରୋଟେଷ୍ଟ ପିଟିସନରେ ଅଭିଯୁକ୍ତ ପ୍ରତାପ ଜେନାଙ୍କ ବିରୋଧରେ ଯେଉଁ ଅଭିଯୋଗମାନ ଆସିଛି ତାର ତଦନ୍ତ ପୃଙ୍ଖାନୁପୃଙ୍ଖ ଭାବେ ହେବା ଦରକାର । ତେଣୁ ମାହାଙ୍ଗା ଆଇଆଇସି ଶୀଘ୍ର ତଦନ୍ତ କରି କୋର୍ଟକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପଂଚାୟତିରାଜ ମନ୍ତ୍ରୀ ଭାବେ ଦାୟୀତ୍ୱ ତୁଲାଉଥିବା ପ୍ରତାପ ଜେନାଙ୍କ ଅଡୁଆ ଏହି ମାମଲାରେ ବଢିପାରେ ବୋଲି ଅନୁମାନ କରଯାଉଛି ।