କନକ ବ୍ୟୁରୋ : ଆସନ୍ତା ସପ୍ତାହରେ ବ୍ରିଟେନରେ ଟିକାକରଣ ଆରମ୍ଭ ହେବାକୁ ଯାଉଥିବାବେଳେ ଭାରତରେ କେବେ ଟିକା ଆସିବ ଓ ପ୍ରଥମେ କାହାକୁ ଟିକା ଦିଆଯିବ ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉକ୍ରଣ୍ଠା ଲାଗି ରହିଛି । ଏଭଳି ସମୟରେ ପ୍ରଥମ ଦଫାରେ ଅଗ୍ରାଧିକାର ଭିତିରେ ଘରୋଇ ଓ ସରକାରୀ ଅନୁଷ୍ଠାନରେ କାମ କରୁଥିବା ପ୍ରାୟ ୧ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯିବ । ତାପରେ ପ୍ରାୟ ୨ କୋଟି କୋଭିଡ ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ କରାଯିବ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । କହିଛନ୍ତି, ପ୍ରଥମେ ୧ କୋଟି ସ୍ୱାସ୍ଥ୍ୟକର୍ମୀ, ନର୍ସଙ୍କୁ ଟିକା ଦିଆଯିବ । ତାପରେ ୨ କୋଟି ପୋଲିସ ଓ ଅନ୍ୟ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ ।

କରୋନା ଟିକାକୁ ନେଇ ସର୍ବଦଳୀୟ ବୈଠକରେ ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି, ଭ୍ୟାକସିନ ବିଶେଷଜ୍ଞଙ୍କ ସବୁଜ ସଙ୍କେତ ମିଳିବା ପରେ ଭାରତରେ କୋଭିଡ ଟିକାକରଣ ଆରମ୍ଭ ହୋଇଯିବ । ତେବେ ସୁରକ୍ଷିତ ଓ ସୁଲଭ ଦରର ଟିକା ପାଇଁ ସାରା ବିଶ୍ୱ ଭାରତ ଉପରେ ନଜର ରଖିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

କୋଭିଡ ଟିକାକୁ ଆସିବାକୁ ନେଇ ସାରା ଦେଶରେ ଉକ୍ରଣ୍ଠା ଲାଗି ରହିଛି । ଏପରି ସମୟରେ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ଲୋକଙ୍କ ମନରେ ଆଶ୍ୱସ୍ତି ଆଣି ଦେଇଛି । ଲୋକଙ୍କ ମନରେ ଉଠୁଥିବା ଏସବୁ ପ୍ରଶ୍ନର ଉତର ସର୍ବଦଳୀୟ ବୈଠକରେ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଟିକାକରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାମ କରୁଛନ୍ତି । ଟିକାର ଦରଦାମ ନେଇ ମଧ୍ୟ ରାଜ୍ୟ ସରକାରଙ୍କ ସହ କଥାବାର୍ତା ଚାଲିଥିବା ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକରେ ବହୁ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଏକ ଡଜନରୁ ଅଧିକ ରାଜନୈତିକ ଦଳର ନେତା ସାମିଲ ହୋଇଥିଲେ । ଏହି ବୈଠକରେ ଓଡିଶା କେମିତି ଆଗ ଟିକା ପାଇବ ତା ଉପରେ ଫୋକସ କରିଛି ବିଜେଡି । ଓଡିଶାକୁ ଅଗ୍ରାଧିକାର ଭିତିରେ ପ୍ରାଥମିକତା ଦେବାକୁ ସର୍ବଦଳୀୟ ବୈଠକରେ ଦାବି କରିଛନ୍ତି ବିଜେଡି ସାଂସଦ ।

ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କରୋନା ଟିକାର ବିକାଶ ପାଇଁ ବୈଜ୍ଞନାକିମାନେ ଦିନ ରାତି ଲାଗିପଡିିଛନ୍ତି । ପ୍ରାୟ ୮ଟି ଟିକାର ପରୀକ୍ଷଣ ଏବେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ରହିଛି । ତଥାପି ସାରା ବିଶ୍ୱ ସର୍ବାଧିକ ସୁରକ୍ଷିତ ଓ ସୁଲଭ ମୂଲ୍ୟର ଟିକା ଭାରତ ଆଣିବ ବୋଲି ଆଶା ବାନ୍ଧିିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ କହିଛନ୍ତି ଭାରତ କୋଭିଡ ଟିକା ନିର୍ମାଣର ନିକଟତର ହୋଇଛି । ଦେଶର ବୈଜ୍ଞାନିକମାନେ ଉତ୍ସାହିତ ଅଛନ୍ତି, ଆଗାମୀ କିଛି ସପ୍ତାହ ମଧ୍ୟରେ ଟିକା ମିଳିଯାଇପାରେ ।