ଦିନ ଥିଲା ଏୟାରପୋର୍ଟରେ ମାରୁଥିଲେ ଝାଡୁ, ବୁଲି ବୁଲି ବାଣ୍ଟୁଥିଲେ ଖବର କାଗଜ । ହେଲେ ଆଜି ସାଜିଛନ୍ତି ୧୦ କୋଟି ଟଙ୍କାର ମାଲିକ

5,936

କନକ ବ୍ୟୁରୋ : ୩୧ ବର୍ଷିୟ ଅମିର କୁତବ ଏବେ ଅଷ୍ଟ୍ରେଲିଆର ଏକ ଡିଜିଟାଲ ଫାର୍ମର ମାଲିକ । ଯାହାର ବାର୍ଷିକ ବ୍ୟବସାୟ ୧୦ କୋଟି ଟଙ୍କାରୁ ଅଧିକ । ୪ ଟି ଦେଶରେ ରହିଛି ଅମିରଙ୍କ ବ୍ୟବସାୟ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆମେ ଯେଉଁ ଅମିରଙ୍କ କଥା କହୁଛୁ ସେ କିଛିଦିନ ତଳେ ପେଟ ପୋଷିବାକୁ ଏୟାରପୋର୍ଟରେ ଝାଡୁ ମାରୁଥିଲେ । ଆହୁରି ଆଶ୍ଚର୍ଯ୍ୟରୀ କଥା କି ସେ ଏୟାରପୋର୍ଟରେ ଝାଡୁ ମାରିବା କାମ ପାଇବା ପୂର୍ବରୁ ଗଳି ଗଳି ବୁଲି ଖବର କାଗଜ ବାଣ୍ଟୁଥିଲେ । ହେଲେ ନିଜର ବ୍ୟାପାର ବଢାଇବାକୁ ତାଙ୍କର ଏତେ ନିଶାଥିଲା ଯେ କୌଣସି ପ୍ରତିବନ୍ଧକ ତାଙ୍କୁ ରୋକି ପାରି ନଥିଲା । ଆଲିଗଡର ଏକ ମଧ୍ୟବିତ୍ତ ପରିବାରରେ ଅମିରଙ୍କ ଜନ୍ମ । ବାପା ସରକାରୀ ଚାକିରୀ କରୂୁଥିବା ବେଳେ ମା’ ଗୃହିଣୀ ଥିଲେ । ବାପାଙ୍କର ସ୍ୱପ୍ନ ଥିଲା କି ପୁଅ ବଡ ହେଲେ ଡାକ୍ତର କି ଇଂଜିନିୟର ହେବ । ଅମିର ଦ୍ୱାଦଶ ପାସ୍ କରିବା ପରେ ତାଙ୍କୁ ବିଟେକ୍ ର ମେକାନିକାଲ ବ୍ରାଞ୍ଚରେ ଆଡମିଶନ କରାଯାଇଥିଲା ।

ହେଲେ ସେଠାରେ ପଢିବାକୁ ତାଙ୍କ ମନ ନଲାଗିବାରୁ ସେ ଅନ୍ୟ କିଛି କରିବାକୁ ଯୋଜନା କଲେ । ଏନେଇ କଲେଜରେ ସେ ଏକ ସୋସିଆଲ ନେଟୱାର୍କ ଆପ୍ ପ୍ରସ୍ତୃତ କରିଥିଲେ । ସେତେବେଳେ ଫେସବୁକ୍ କି ହ୍ୱାଟସପ୍ ନଥିବାରୁ ସିଧା ଗୁଗୁଲ ସାଇଟରେ ଏହି ଆପ ପ୍ରସ୍ତୁତ କରି ସେଠାରେ କୋଡିଂ କରିବା ଆରମ୍ଭ କରିଦେଇଥିଲେ । ଏହା ପରେ ସାଙ୍ଗ ମାନଙ୍କ ସହ ମିଶି ପୁଣି ଥରେ ଏକ ଉନ୍ନତ ମାନର ସୋସିଆଲ ନେଟୱାକିଂ ଆପ ପ୍ରସ୍ତୁତ କରି ତାକୁ ଉଦଘାଟନ କରିଥିଲେ । ଗୋଟିଏ ସପ୍ତାହ ମଧ୍ୟରେ ଏହି ଆପ୍ ସହିତ ୧୦ ହଜାର ଲୋକ ଯୋଡି ହୋଇଥିଲେ । ଏହା ବି ସଫଳ ହୋଇଥିଲା । ଏହା ପରେ ରାଜନୀତିକୁ ଆସିବାର ଲକ୍ଷ ନେଇ ସେ କଲେଜ ନିର୍ବାଚନରେ ସଂପାଦକ ପଦ ପାଇଁ ଲଢିଥିଲେ ଓ ଜିତିଥିଲେ ବି । ଏଠାରେ ସେ ନେତୃତ୍ୱ ନେବାର କଳା ଶିଖି ଯାଇଥିଲେ ।

ଏହା ପରେ ସେ ଅନେକ ବ୍ୟାପାରରେ ମନ ନିବେଶ କରି ବିଫଳ ହେଲେ । ହେଲେ ମନୋବଳ ଦୁର୍ବଳ ନକରି ସେ ୱେବସାଇଟ୍ ଡିଜାଇନ କାମ ଆରମ୍ଭ କରିଥିଲେ । ଯେଉଁଥିରେ କି ତାଙ୍କୁ ବିଭିନ୍ନ ଦେଶରୁ ଅର୍ଡର ମିଳିଥିଲା । ସେମାନଙ୍କ ମଧ୍ୟରୁ କିଛି ଲୋକ ତାଙ୍କୁ ବିଦେଶ ଯାଇ ଏଭଳି ବ୍ୟାପାର କରିବାକୁ ପରାମର୍ଶ ଦେଇଥିଲେ । ଏହା ପରେ ସେ ଷ୍ଟୁଡେଣ୍ଟ ଭିସାରେ ଅଷ୍ଟ୍ରେଲିଆ ଚାଲିଯାଇଥିଲେ । ସେଠାରେ ସେ ଏକ ଏମବିଏ କଲେଜରେ ବି ତାଙ୍କୁ ଆଡମିଶନ ମିଳିଯାଇଥିଲା । ଏମବିଏ ସରିବା ପରେ ସେ ଚାକିରୀ ପାଇଁ ଅନେକ କମ୍ପାନୀର ଦ୍ୱାରସ୍ଥ ହୋଇଥିଲେ ବି ବିଫଳ ହୋଇଥିଲେ । କାରଣ ଥିଲା କି ସେହି କମ୍ପାନୀ ମାନେ ଭାରତୀୟ ଯୋଗ୍ୟତା ଉପରେ ବିଶ୍ୱାସ କରୁନଥିଲେ । ଏଭଳି ୩ ମାସ କଟିଯିବା ପରେ ତାଙ୍କୁ ଏକ ଏୟାରପୋର୍ଟରେ ଝାଡୁଦାର ଚାକିରୀ ମିଳିଥିଲା । ଯେଉଁଠି କି ତାଙ୍କୁ ପ୍ରତି ଘଂଟା କାମ ପାଇଁ ୨୦ ଡଲାର ମିଳୁଥିଲା । କାର୍ଯ୍ୟ ସମୟ ଦିନରେ ଥିବାରୁ ତାଙ୍କୁ ପାଠ ପଢିବା କି ବ୍ୟାପାରରେ ମନୋନିବେଶ କରିବାକୁ ସମୟ ନଥିଲା । ଏହା ପରେ ସେ ରାତି ପାଇଁ ଚାକିରୀ ଖୋଜିଥିଲେ । ଯେଉଁଥିରେ କି ସେ ରାତି ୩ ରୁ ସକାଳ ୭ ଟା ଯାଏ ଖବର କାଗଜ ବାଣ୍ଟିବାର କାମ ମିଳିଯାଇଥିଲା ।
ବିଟେକ୍ ଓ ଏମବିଏ କରିସାରିବା ପରେ ଏଭଳି କାମ କରିବାକୁ ପରିବାର ଲୋକେ ପସନ୍ଦ କରୁନଥିବା ବେଳେ କିନ୍ତୁ ହାର୍ ମାନିନଥିଲେ ଅମିର । ଏଭଳି ଭାବେ ଏକ ବର୍ଷ ବିତିଗଲା ପରେ ତାଙ୍କ ନିକଟରେ କିଛି ଟଙ୍କା ଠୁଳ ହୋଇଯାଇଥିଲା । ଏହାକୁ ନେଇ ସେ ଆରମ୍ଭ କରିଥିଲେ ନିଜର କମ୍ପାନୀ । ସେଠାରେ ସେ ୱବ୍ ସାଇଟ୍ ଡିଜାଇନ କାମ କରିବା ସହିତ ନିଜ କମ୍ପାନୀକୁ ଅଷ୍ଟ୍ରେଲିଆ ସରକାରଙ୍କ ପାଖରେ ପଞ୍ଜିକୃତ କରାଇଥିଲେ । ହେଲେ କମ୍ପାନୀ ସିନା ତିଆରି ହୋଇଗଲା ଗରାଖ ଆସିବେ କେଉଁଠୁ । ଏଭଳି ପରିସ୍ଥିତିରେ ହଠାତ୍ ଜଣେ ଲୋକ ତାଙ୍କର ଭେଟ ହୋଇଥିଲା । ଯାହାର ଏକ ସଫ୍ଟୱେର କମ୍ପାନୀ ଥିଲା । ଅମିର ତାଙ୍କ ସହିତ କଥା ହୋଇ ବିନା ଦରମାରେ ଗୋଟିଏ ମାସ କାମ କରିଥିଲେ । ଅମୀର କହିବା ମୁତାବକ ତାଙ୍କ କାମ ଏତେ ଭଲ ଥିଲା ଯେ ସେହି ଅପରିଚିତ ଲୋକ ଜଣଙ୍କ ମୋ ପାଇଁ ଗରାଖ ଯୋଗାଡ କରିଦେଇଥିଲେ ।

ଏହାପରେ ଅମିରଙ୍କୁ ଅଷ୍ଟ୍ରଲିଆର ଏକ ସେମି ଗଭରମେଣ୍ଟ ଚାକିରୀ ମିଳିଯାଇଥିଲା । ସେଠାରେ ଦେଢ ବର୍ଷ କାମ କରିବା ପରେ ଅମିରଙ୍କୁ ଜେନେରାଲ ମ୍ୟାନେଜର ପୋଷ୍ଟ ମିଳିଯାଇଥିଲା । ଏଠାରେ କିଛି ଭଲ ଟଙ୍କା ରୋଜଗାର ହେବା ପରେ ଅମିର ସେହି କମ୍ପାନୀ ଛାଡି ଦେଇଥିଲେ । କାହିଁକି ନା ଅମିରଙ୍କର ଗୋଟିଏ ନିଶା ଥିଲା କି ନିଜ କମ୍ପାନୀକୁ ଆଗକୁ ବଢାଇବା । ଏହାପରେ ସେ ଭାରତରେ ୪ ଟି ପିଲାଙ୍କୁ ତାଙ୍କ କମ୍ପାନୀ ସହିତ ଯୋଡିଥିଲା । ଯେଉଁମାନେ କି ଅଷ୍ଟ୍ରେଲିଆରୁ ମିଳୁଥିବା ୱେବ୍ ସାଇଟ୍ କାମ ଏଠାରେ କରି ପାରୁଥିଲେ । ଏହିଭଳି ଭାବେ କମ୍ପାନୀ ଚାଲୁଥିବା ବେଳେ ଅମିର ୫୦ ଲକ୍ଷ ଟଙ୍କାର ଋଣ ଭିତରେ ଫସି ଯାଇଥିଲେ ।  ଏହାକୁ ନେଇ ଅମିର ଚିନ୍ତାରେ ପଡିଯାଇଥିଲେ । ହେଲେ କିଛି ଅର୍ଥନୀତିଜ୍ଞଙ୍କ ପରାମର୍ଶ ପରେ ସେ ଜାଣିବାକୁ ପାଇଲେ ଯେ ସେ ବହୁତ୍ ଶସ୍ତାରେ କାମ କରୁଛନ୍ତି । ଏହା ପରେ ସେ କାମର ଦର ବଢାଇଲେ । ବର୍ତମାନ ତାଙ୍କ କମ୍ପାନୀ ବାର୍ଷିକ ୧୦ କୋଟି ଟଙ୍କାରୁ ଅଧିକ ଟଙ୍କାର ବ୍ୟାପାର କରୁଛି ।