ଟାଟା ଫଟିଲାଇଜର ପ୍ରକଳ୍ପ ଆଗରେ ୪ ଦିନ ହେଲା ଚାଲିଛି ଆନ୍ଦୋଳନ । ନିଯୁକ୍ତି ଦାବିରେ ଆନ୍ଦୋଳନ କରୁଛନ୍ତି ଲୋକ ।

125

କନକ ବ୍ୟୁରୋ: ଜମି ଗଲା ହେଲେ ଚାକିରି ମିଳିଲାନି । ଟାଟା ଫଟିଲାଇଜର ପ୍ରକଳ୍ପ ଆଗରେ ୪ ଦିନ ହେଲା ଆନ୍ଦୋଳନ ଚାଲିଛି । ପ୍ରକଳ୍ପ ସ୍ଥାନକୁ ଆସି ଧାରଣାରେ ବସିଛନ୍ତି ଛତ୍ରପୁର ବ୍ଲକ କାଳିପଲ୍ଲୀ ଓ ବାସନପୁଟ ଗାଁର କ୍ଷତିଗ୍ରସ୍ତ ଲୋକ । ପିଲା, ଛୁଆ ସହ ପୁରା ପରିବାର ଆସିଥିବାରୁ ସେଠାରେ ହିଁ ରୋଷେଇ ଚାଲିଛି । ଠିକ୍ ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ଭଳି । ଜମିହରା ଲୋକଙ୍କ ଦାବି, ଜମି ନେବା ସମୟରେ ହୋଇଥିବା ଚୁକ୍ତି ଅନୁସାରେ ତାଙ୍କୁ ନିଯୁକ୍ତି ମିଳୁ ।

ପ୍ରକଳ୍ପ ହେଲେ ଜମିହରାଙ୍କୁ ନିଯୁକ୍ତି ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଏବେ ପ୍ରକଳ୍ପ କାମ, ବାହାର ଲୋକ କରୁଛନ୍ତି, କିନ୍ତୁ ସ୍ଥାନୀୟ ଲୋକଙ୍କ ହାତକୁ କାମ ନାହିଁ । ପ୍ରତିବାଦରେ କାଳିପଲ୍ଲୀ ଓ ବାସନପୁଟ ଗାଁର ଲୋକେ ପ୍ରକଳ୍ପ କାମ ବନ୍ଦ କରିଥିଲେ । ଯାହାକୁ ନେଇ ପୁଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ । କାମ ବନ୍ଦ କରିବାକୁ ୩ ଦିନ ଧରି ପୁଲିସ ସହ ମୁହାଁମୁହିଁ ହେବା ପରେ ଧାରଣାରେ ବସିଛନ୍ତି ଗ୍ରାମବାସୀ । ନିଯୁକ୍ତିି ନମିଳିବା ଯାଏଁ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛନ୍ତି ।

ଛତ୍ରପୁରରେ ଷ୍ଟିଲ ପ୍ଲାଣ୍ଟ ପାଇଁ ୧୯୯୬ ମସିହାରେ ଟାଟା କମ୍ପାନୀ ୩ ହଜାରରୁ ଅଧିକ ଏକର ଜମି ୯୯ ବର୍ଷ ପାଇଁ ଲିଜ୍ ନେଇଥିଲା । ଦୀର୍ଘ ଦିନ ଧରି ଷ୍ଟିଲ ପ୍ଲାଣ୍ଟ ହେଲା ନାହିଁ, ଏବେ ୪୪ ଏକର ଜମିରେ ଫର୍ଟିଲାଇଜର କମ୍ପାନୀ କାମ ଆରମ୍ଭ କରିଛି । ଗତ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ସାର କମ୍ପାନୀର ଭିତ୍ତିପ୍ରସ୍ତ ସ୍ଥାପନ କରିବା ପରେ ବିସ୍ଥାପିତମାନେ ଆନ୍ଦୋଳନ କରିଥିଲେ । ସେତେବେଳେ କୁହାଯାଇଥିଲା, ୩ ମାସ ମଧ୍ୟରେ ଚାକିରି ଦିଆଯିବ ବୋଲି, କିନ୍ତୁ ମିଳିଲା ନାହିଁ । ଏବେ ଟାଟା ପ୍ରକଳ୍ପ ଆଗରେ ଚାକିରୀ ଦାବିରେ ଧାରଣାରେ ବସିଛନ୍ତି ଜମି ଲିଜ୍ ଦେଇଥିବା ପରିବାର ।