ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି : ପୁଣି ସୁପ୍ରିମକୋର୍ଟରେ ଶୁଣାଣି

65

କନକ ବ୍ୟୁରୋ :  ଆନ୍ଦୋଳନକାରୀ ଚାଷୀ ଓ ସରକାରଙ୍କ ମଧ୍ୟରେ ଆଲୋଚନା ବନ୍ଦ । ବାହାରି ପାରୁନି ସମାଧାନର ବାଟ । ଏପରି ସମୟରେ ସମାଧାନର ବାଟ ବାହାର କରିବାକୁ ହସ୍ତ କ୍ଷେପ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଏହା ଆଗକୁ ବଡ ରାଷ୍ଟ୍ରିୟ ପ୍ରସଙ୍ଗ ହେବ । ତେଣୁ ତୁରନ୍ତ ଏହାର ସମାଧାନ ହେବା ଦରକାର । ଏଥିପାଇଁ କୃଷକ ସଂଗଠନ , ସରକାର ଓ ଅନ୍ୟ ଅଂଶୀଦାରଙ୍କ ମଧ୍ୟରୁ ପ୍ରତିନିଧି ଚୟନ କରି କମିଟି ଗଠନ କରାଯିବ । ଆଜି ସୁପ୍ରିମକୋର୍ଟର୍ ଏନେଇ ଶୁଣାଣି କରିବା ସହ କମିଟିକୁ ନେଇ ଚୂଡାନ୍ତ ନିଷ୍ପତି ମଧ୍ୟ ନେଇପାରନ୍ତି । ସମସ୍ତ ପକ୍ଷର ପ୍ରତିନିଧି ତଥା କୃଷକ ସଂଗଠନ ଏବଂ ସରକାରଙ୍କ ପ୍ରତିନିଧି ଏବଂ ଅନ୍ୟ ସମସ୍ତ ପକ୍ଷଙ୍କୁ ନେଇ ଏହି କମିଟି ଗଠନ ହେବ । ସମସ୍ତଙ୍କ ମତକୁ ଏଥିରେ ଗୁରୁତ୍ୱ ଦେଇ ସମାଧାନ ବାଟ ବାହାର କରାଯିବ । କୋର୍ଟ ଏହି ମାମଲାରେ କେନ୍ଦ୍ର ସରକାର, ଦିଲ୍ଲୀ, ହରିୟାଣା, ପଂଜାବ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଆଜି ସୁଦ୍ଧା ଏହି ମାମଲାରେ ଜବାବ ରଖିବାକୁ ମଧ୍ୟ କୁହାଯାଇଛି ।

ସେପଟେ ଆଜି ୨୨ ଦିନରେ ପ୍ରବେଶ କରିଛି ଦିଲ୍ଲୀରେ ଚାଷୀ ଆନ୍ଦୋଳନ । ଚାଷୀମାନେ ଦିଲ୍ଲୀ ସୀମାରେ ଶୀତ କାକରେ ଡେରା ପକାଇ ପଡି ରହିଛନ୍ତି । କେନ୍ଦ୍ର ସରକାର ନୂଆ କୃଷି ଆଇନ ରଦ୍ଦ ନକଲେ ଆଗକୁ ଏହି ଆନ୍ଦୋଳନ ଲଂବା ଚାଲିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା । ଚାଷୀ ସିଧାସଳଖ କହିଛନ୍ତି ଯେଉଁ ଦିନ କେନ୍ଦ୍ର ସରକାର ୩ଟି ଯାକ କୃଷି ଆଇନ ରଦ୍ଦ କରିଦେବେ, ସେହି ଦିନ ଚାଷୀ ଆନ୍ଦୋଳନ ପ୍ରତ୍ୟାହାର କରିନେବେ । କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପାଂଚ ରାଉଣ୍ଡ କଥା ବାର୍ତା ବିଫଳ ହୋଇସାରିଛି । ଶାହାଙ୍କ ସହିତ କୃଷକ ସଂଗଠନଙ୍କ ଆଲୋଚନା ମଧ୍ୟ ବାଟ ବାହାର କରିପାରିନାହିଁ । ତେଣୁ ଆଜି ସମସ୍ତଙ୍କ ନଜର ରହିଛି ସୁପ୍ରିମକୋର୍ଟଙ୍କ ନିଷ୍ପତି ଉପରେ ।