ବିହାର ନିର୍ବାଚନ ଆଗରୁ ଆସିଲା ଏଡ଼ିଆର୍ ରିପୋର୍ଟ : ରାଜନୈତିକ ଦଳଗୁଡ଼ିକର ଅଜଣା ଉତ୍ସରୁ ପାଣ୍ଠିକୁ ନେଇ ଏଡ଼ିଆର୍ ରିପୋର୍ଟରେ ତଥ୍ୟ , ୧୧ ରାଜନୈତିକ ଦଳର ଅଜଣା ପାଣ୍ଠିର ତଥ୍ୟ

285

କନକ ବ୍ୟୁରୋ : ବିହାର ନିର୍ବାଚନ ଆଗରୁ ରାଜନୈତିକ ଦଳ ଗୁଡିକର ପାଣ୍ଠିକୁ ନେଇ ଆସିଲା ଏଡିଆର ରିପୋର୍ଟ । ଏଡିଆର ରିପୋର୍ଟ ଅନୁସାରେ ୨୦୧୪-୧୫ରୁ ୨୦୧୮-୧୯ ମଧ୍ୟରେ ୧୧ଟି ରାଜନୈତିକ ଦଳ ସେମାନଙ୍କ ପାଣ୍ଠି ୨ ହଜାର ୨୨୫ କୋଟି ୬୬ ଲକ୍ଷ ଟଙ୍କା ଆଦାୟ କରିଛନ୍ତି । ରାଜନୈତିକ ଦଳ ଗୁଡିକୁ ବିପୁଳ ପରିମାଣର ଅର୍ଥ ଅଜଣା ଉତ୍ସରୁ ଆସିଥିବା ଏହି ରିପୋର୍ଟରେ କୁହାଯାଇଛି । ଯାହାକି ରାଜନୈତିକ ପାଣ୍ଠିରେ ସ୍ୱଛତା କଥା କେବଳ କାଗଜ ବାଘ , ବାସ୍ତବତା କିଛି ଭିନ୍ନ ବୋଲି ସ୍ପଷ୍ଟ କରୁଛି ।

କେବଳ ୩ଟି ରାଜନୈତିକ ଦଳ ସେମାନଙ୍କର ଦାନ ରିପୋର୍ଟକୁ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଭାରତର ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛନ୍ତି । କଂଗ୍ରେସ, ବହୁଜନ ସମାଜବାଦି ପାର୍ଟି ଏବଂ ନାସନାଲିଷ୍ଟ କଂଗ୍ରେସ ପାର୍ଟି ବା ଏନସିପି , ଦାନର ସବିଶେଷ ତଥ୍ୟ ସାର୍ବଜନୀନ କରିଛନ୍ତି । ୨୦୧୪ -୧୫ ବର୍ଷରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ବିଜେପିକୁ ସବୁଠାରୁ ଅଧିକ ବେନାମୀ ଉତ୍ସରୁ ପାଣ୍ଠି ଆସିଥିବା ଏଡିଆର ରିପୋର୍ଟରୁ ଜଣାପଡିଛି ।

ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବା ବେଳେ ରାଜନୈତିକ ଦଳ ଗୁଡିକର ଆୟ ଓ ବ୍ୟୟର ସ୍ପଷ୍ଟ ରିପୋର୍ଟ ସାର୍ବଜନୀନ ହେବା ସହ ଏଥିରେ ସ୍ୱଛତା ଆସିବା ଆବଶ୍ୟକ ବୋଲି ଏଡିଆର ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ଏଡିଆର ବିଶ୍ଳଷଣରୁ ଜଣାପଡିଛି ଜାତୀୟ ଦଳର ଆୟର ଅତିକମରେ ୭୧ ପ୍ରତିଶତ ଏବଂ ଆଂଚଳିକ ଦଳ ଗୁଡିକର ଆୟର ୫୮ ପ୍ରତିଶତ ଅଜଣା ଉତ୍ସରୁ ଆସିଛି । ୧୧ ବର୍ଷ ପାଇଁ ସମସ୍ତ ରାଜନୈତିକ ଦଳ ପାଇଁ ଆୟ ୧୧ ହଜାର ୩୬୭ କୋଟି ୩୪ ଲକ୍ଷ ଟଙ୍କା ବୋଲି ଏଡିଆର ରିପୋର୍ଟରୁ ଜଣାପଡିଛି ।

ଏହା ମଧ୍ୟରୁ ଜାତୀୟ ଦଳ ଗୁଡିକର ମୋଟ୍ ଆୟର ୯ ହଜାର ୨୭୮ କୋଟି ୩୦ ଲକ୍ଷ ଏବଂ ଆଂଚଳିକ ଦଳ ଗୁଡିକର ଆୟ ୨ ହଜାର ୮୯ କୋଟି ୪ ଲକ୍ଷ ରହିଛି । ଏଡିଆର ରିପୋର୍ଟରେ ଦର୍ଶାଯାଇଛି ୬ଟି ଜାତୀୟ ରାଜନୈତିକ ଦଳ ୧ ହଜାର ୪୦୫ କୋଟି ୧୯ ଲକ୍ଷ ଟଙ୍କା ଜ୍ଞାତ ଉତ୍ସରୁ ଆୟ କରିଥିବା ଦର୍ଶାଇଛନ୍ତି । ୨୦୧୩ ମସିହା ସେପ୍ଟେମ୍ୱର ୧୩ ରେ ସୁପ୍ରିମକୋର୍ଟ ଶୁଣାଣିରେ ସ୍ପଷ୍ଟ କରିଥିଲେ କୌଣସି ରାଜନୈତିକ ଦଳର ପ୍ରାର୍ଥୀ କିଂବା ଦଳର ସତ୍ୟପାଠରେ ୨୦ ହଜାରରୁ ଅଧିକ ଆୟର ସ୍ଥାନ ଖାଲି ଛଡାଯିବ ନାହିଁ ।

ମୁଖ୍ୟ ନିର୍ବାଚନ କମିଶନ ରାଜନୈତିକ ଦଳ ଗୁଡିକର ସବିଶେଷ ଆୟ ତଥ୍ୟକୁ ୱେବସାଇଟରେ ଅପଲୋଡ କରିବା ସହ ଏଥିରେ ଖିଲାପି କରୁଥିବା ଦଳ ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି । ୧୯୫୧ ଜନପ୍ରତିନିଧି ଆଇନର ୨୯ କ ଉପଧାରା ଅନୁସାରେ ସମସ୍ତ ରାଜନୈତିକ ଦଳ ଗୁଡିକ ୨୦ ହଜାରରୁ ଅଧିକ ଟଙ୍କାର ଆୟର ଉତ୍ସକୁ ପ୍ରତ୍ୟକ ବର୍ଷ ସେପ୍ଟେମ୍ୱର ୩୦ ତାରିଖ ସୁଦ୍ଧା ଦେବାକୁ ହେବ ।