କନକ ବ୍ୟୁରୋ : ମାଟ୍ରିକ୍ ପରୀକ୍ଷା ବିଭ୍ରାଟକୁ ବୋର୍ଡ ପ୍ରଧାନ ଶିକ୍ଷକମାନଙ୍କୁ ଦୋଷ ଦେଇ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଧରାପଡିଛି ବୋର୍ଡର ଭୁଲ । ଆଉ ଏହାକୁ ସାମ୍ନାକୁ ଆଣିଛନ୍ତି ରାୟଗଡ଼ା ଜିଲ୍ଲା ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସ୍କୁଲର ଛାତ୍ରୀ ଶିବାନୀ ପାତ୍ର ଦଶମ ଶ୍ରେଣୀର ସମେଟିଭ-୧ ପରୀକ୍ଷା ଦେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତେଣୁ ସ୍କୁଲ କର୍ତୁପକ୍ଷ ତାଙ୍କର ଫର୍ମ ପୁରଣ କରିନଥିଲେ । ହେଲେ ବୋର୍ଡରୁ ମୃତ ଛାତ୍ରୀଙ୍କ ନାଁରେ ଆଡମିଟ କାର୍ଡ ଆସିଥିଲା । ଫର୍ମପୁରଣ କରିନଥିବା ଜଣେ ମୃତ ଛାତ୍ରୀଙ୍କର ଆଡମିଟ୍ କାର୍ଡ କିପରି ଆସିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ ଶିକ୍ଷକ ।
ରାୟଗଡା ଜିଲ୍ଲାରେ ଦଶମ ପରୀକ୍ଷା ପାଇଁ ୧୧ଟି ନୋଡାଲ ସେଣ୍ଟର ହୋଇଥିବା ବେଳେ ୬୦ଟି ପରୀକ୍ଷା ସେଣ୍ଟର କରାଯାଇଥିଲା । ଜିଲ୍ଲାରେ ୧୧,୮୦୬ ଜଣ ପିଲା ଫର୍ମ ପୂରଣ କରିଥିବା ବେଳେ ୧୦,୫୮୬ ଜଣ ପିଲା ପରୀକ୍ଷା ଦେଇଥିଲେ । ୧,୨୨୦ ଜଣ ପରୀକ୍ଷା ଦେଇନଥିଲେ । ତେବେ ଏ ନେଇ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ତଦନ୍ତ ଆରମ୍ଭ ହୋଇଛି ପ୍ରକୃତ ସତ୍ୟାସତ୍ୟ ଜଣାପଡିବ । ଏପଟେ ଭୁଲ ବୋର୍ଡ କର୍ତ୍ତୃପକ୍ଷଙ୍କର ବୋଲି କହିଛନ୍ତି ରାୟଗଡ଼ା ବିଧାୟକ ।
ପୂର୍ବରୁ ପିଲା ମାଟ୍ରିକ ପରିକ୍ଷା ପାଇଁ ଫର୍ମ ପୁରଣ ବେଳେ ନିଜେ ଉପସ୍ଥିତ ରହି ଫର୍ମରେ ଦସ୍ତଖତ କରିବା ସହ ପରିକ୍ଷା ଫି ଦାଖଲ କରୁୁଥିଲେ । ଏଥିପାଇଁ ସ୍କୁଲରେ ଉପସ୍ଥାନ ମଧ୍ୟ ଦେଖାଯାଉଥିଲା । ହେଲେ ବର୍ତ୍ତମାନ ଏସବୁ ନଥିବାରୁ ଏଭଳି ବିଭ୍ରାଟ ହେଉଛି ।