୨୧ରୁ ଜଗା ଦର୍ଶନ ପାଇଁ ନୂଆ ଏସଓପି ଜାରି କଲା ପ୍ରଶାସନ । ବାଧ୍ୟତାମୂଳକ ହେବ ନାହିଁ କୋଭିଡ଼ ନେଗେଟିଭ ରିପୋର୍ଟ 

137

କନକ ବ୍ୟୁରୋ : ଏଣିକି ସହଜ ହୋଇଯିବ ଜଗା ଦର୍ଶନ । ପୁରୀ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଆସନ୍ତା ୨୧ ତାରିଖରୁ ଏସଓପି ଆଧାରରେ ହେବ ଜଗନ୍ନାଥଙ୍କ ଦର୍ଶନ । ବଡ କଥା ହେଲା ଶ୍ରୀମନ୍ଦିର ପ୍ରବେଶ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ନୁହେଁ । ପ୍ରତିଦିନ ୩୦ ହଜାର ଭକ୍ତ ଦର୍ଶନ କରିବା ନେଇ ବ୍ୟବସ୍ଥା ହୋଇଛି । ପୁରୀର ସ୍ଥାନୀୟ ବାସିନ୍ଦା ସକାଳ ୬ଟାରୁ ୭ଟା ମଧ୍ୟରେ ସିଂହଦ୍ୱାରା ଦେଇ ଦର୍ଶନ କରିପାରିବେ । ତେବେ ସେମାନଙ୍କୁ ଲୋକାଲ ଆଡ୍ରେସ ପ୍ରୁଫ ବା ସ୍ଥାନୀୟ ଠିକଣା ପ୍ରମାଣ ପତ୍ର ଦେଖାଇବାକୁ ପଡିବ । ଅନ୍ୟ ଦର୍ଶନାର୍ଥୀ ସକାଳ ୭ଟାରୁ ଦର୍ଶନ କରିପାରିବେ । ବୟସ୍କ ଲୋକଙ୍କ ପାଇଁ ଅଲଗା ଧାଡି଼ର ବ୍ୟବସ୍ଥା ହେବ ।

ତେବେ ଭକ୍ତଙ୍କ ମନ୍ଦିର ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ ହେବା ସହିତ ମାସ୍କ ବ୍ୟବହାର ଓ ସାନିଟାଇଜ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସେପଟେ ୧୮ ତାରିଖ ଅର୍ଥାତ ସୋମବାରଠାରୁ ଖୋଲିବ ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର । କଟକଣା ଭିତରେ ହେବ ମାଙ୍କ ଦର୍ଶନ । କରୋନାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି ।

ସକାଳ ୮ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ସାଢ଼େ ୬ଟା ମଧ୍ୟରେ ସାଧାରଣ ଦର୍ଶନ । ୩ନମ୍ବର ଗେଟ ଦେଇ ଶ୍ରଦ୍ଧାଳୁମାନେ ମନ୍ଦିରକୁ ପ୍ରବେଶ କରିବେ । ଦର୍ଶନ ପରେ ୪ନମ୍ବର ଗେଟ ଦେଇ ବାହାରକୁ ବାହାରିବେ । ଭକ୍ତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସାନିଟାଇଜ ସହ ମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ଏକାଥରେ ୨୫ରୁ ୩୦ ଜଣ ଭକ୍ତଙ୍କୁ ହିଁ ଦର୍ଶନ ସୁବିଧା ମିଳିବ । ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ଆଦି ବାରଣ କରାଯାଇଛି ।

କୋଭିଡ ନେଗେଟିଭ ରିପୋର୍ଟ ନଥିବା କାରଣରୁ ପୂର୍ବରୁ ଅନେକ ଭକ୍ତ କାନ୍ଦି କାନ୍ଦି ଫେରିବାର ନଜିର ରହିଛି । ଏବେ ଆଉ ରିପୋର୍ଟ ଆବଶ୍ୟକ ହେଉନଥିବାରୁ ଆଶା କରାଯାଉଛି ଭକ୍ତଙ୍କ ପାଇଁ ସହଜ ହେବ ଜଗନ୍ନାଥ ଦର୍ଶନ ।