କନକ ବ୍ୟୁରୋ : ଖୋର୍ଦ୍ଧା ସାରୁଅରେ ଓଟିଭି ବିବାଦୀୟ ଜମିରେ ପାଚେରୀ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ । ପୁଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ଭଙ୍ଗାକାମ ଜାରି ରହିଛି । ଗାଁ ଲୋକଙ୍କ ଅଭିଯୋଗ ଆଧାରରେ ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଓଟିଭିର ବିବାଦୀୟ ଜମି ଚାଷଜମି ଓ ପୋଖରୀ ରାସ୍ତାକୁ ଅବରୋଧ କରୁଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକେ ଖୋର୍ଧା ପ୍ରାଶାସନ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବିବାଦୀୟ ଜମିରେ ମାପଚୁପ ବି କରିଥିଲା ପ୍ରଶାସନ ।

Advertisment

ସାରୁଅରେ ଓଟିଭି ଜମି ଜବରଦଖଲ ମାମଲାର ତଦନ୍ତ କରୁଛି କ୍ରାଇମ୍ବ୍ରାଂଚ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆ ଯାଇଛି । ଜମି କିଣା ବିକାରେ ଅନିୟମିତତା ଅଭିଯୋଗ ହୋଇଥିବା ଜିଲ୍ଲାପାଳଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି । ସାରୁଅରେ ବର୍ଷ ବର୍ଷ ଧରି ଜମି ଜବରଦଖଲ କରି ବେନାମୀ ଟଙ୍କା କାରବାର ଚାଲିଥିବା ରିପୋର୍ଟରୁ ଜଣା ପଡିଛି ।

ଆଉ ଏଥିପାଇଁ ଜଣେ ଅନୂସୁଚିତ ଜାତିର ବ୍ୟକ୍ତିଙ୍କୁ ବ୍ୟବହାର କରାଯାଇଥିବା କୁହାଯାଇଛି । ଜମି ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କର ହୋଇଥିବା ବେଳେ ବେନାମୀ ଦେଣନେଣ ଜରିଆରେ ଓଡିଶା ଇନ୍ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ ନାଁରେ ଜମି କିଣାଯାଇଥିଲା । ଅରଟେଲ୍ର ଜଣେ ପୂର୍ବତନ ଡ୍ରାଇଭର ରବୀନ୍ଦ୍ର କୁମାର ସେଠୀଙ୍କ ମାଧ୍ୟମରେ ଏହି ଟଙ୍କା କାରବାର ହୋଇଥିଲା ।

ଗତ ୧୨ ତାରିଖରେ ରାଜସ୍ୱ ବିଭାଗର ପ୍ରମୁଖ ସଚିବଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଏକ ଚିଠି ଲେଖି କାରସାଦି ବିବାଦର ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ରବୀନ୍ଦ୍ର କୁମାର ସେଠୀ, ଯାହାଙ୍କ ଜରିଆରେ ଏହି କାରବାର ହୋଇଥିଲା , ସେ ଆଣିଥିବା ଅଭିଯୋଗ ଆଧାରରେ ତଦନ୍ତ ଆଗକୁ ବଢିଥିଲା । ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଥିଲା ଯେ, ଜମି କିଣାବିକା ଅତି ଚତୁରତା ସହିତ ଗୁପ୍ତ ଓ ବେଆଇନ୍ ଭାବେ କରାଯାଇଥିଲା । ଅପରାଧିକ ଷଡଯନ୍ତ୍ର ଏବଂ ଓଡିଶା ଭୂ-ଆଇନରୁ ବର୍ତିବା ପାଇଁ ରାସ୍ତା ଆପଣାଯାଇଥିଲା । ବର୍ଷ ବର୍ଷ ଧରି ଜଣେ ଅନୁସୂଚିତ ବର୍ଗର ବ୍ୟକ୍ତିଙ୍କୁ ବ୍ୟବହାର କରି ବେନାମୀ ଦେଣନେଣ ଚାଲିଥିଲା।