ବଦଳିଲା ଛତ୍ରବଜାର ହାଟର ଠିକଣା: ଖୋଲିଲା ନୂଆ ସହରାଂଚଳ ହାଟ

473

କନକ ବ୍ୟୁରୋ: ବଦଳି ଯାଇଛି କଟକ ଛତ୍ରବଜାର ପରିବା ମାର୍କେଟର ଠିକଣା । ନୂଆ ଅର୍ବାନ ହାଟକୁ ଘୁଂଚି ଯାଇଛି ଛତ୍ରବଜାର । ଏଠାରେ ବ୍ୟବସାୟୀଙ୍କ ପାଇଁ ସବୁପ୍ରକାରର ସୁବିଧା ରହିଛି । ଆଉ ବାଦାମବାଡି ଭଳି ଜନଗହଳି ଥିବା ଛତ୍ରବଜାର ଏବେ ସ୍ମୃତି ପାଲଟି ଯାଇଛି ।

ଛତ୍ରବଜାର ପରିବା ମାର୍କେଟ୍ର ନୂଆ ଠିକଣା । ନୂଆ ଅର୍ବାନ୍ ହାଟରେ ଖୋଲିଲା ଛତ୍ରବଜାର ପରିବା ହାଟ । ଆଗରୁ ରାସ୍ତା କଡ଼ରେ ବସୁଥିଲେ ଖୁଚୁରା ପରିବା ବ୍ୟବସାୟୀ । ଆଜିଠାରୁ ନବନିର୍ମିତ ସହରାଂଚଳ ହାଟରେ ବସି ବ୍ୟବସାୟ କରିବେ ବ୍ୟବସାୟୀ । ମାଲଗୋଦାମ ନିକଟରେ ନିର୍ମିତ ନୂଆ ଅର୍ବାନ ହାଟରେ ଆରମ୍ଭ ହୋଇଛି ବ୍ୟବସାୟ ।) ୫୪୮ ଜଣ ପୁରୁଣା ବ୍ୟବସାୟୀଙ୍କୁ ଟୋକନ୍ ଅନୁସାରେ ହାଟରେ ପିଣ୍ଡି ବଂଟନ କରାଯାଇଛି । ବ୍ୟବସାୟୀଙ୍କ ପାଇଁ ନୂଆ ହାଟରେ ବିଦ୍ୟୁତ ଏବଂ ପାନୀୟ ଜଳର ସୁବନ୍ଦୋବସ୍ଥ କରାଯାଇଛି । ତେବେ ବାକି କ୍ଷୁଦ୍ର ବ୍ୟବସାୟୀଙ୍କୁ ହାଟ ସମ୍ମୁଖରେ ଥଇଥାନ କରାଯାଇଛି ।

ସେପଟେ ୩୦୦ ବର୍ଷ ଧରି ଯେଉଁ ସ୍ଥାନରେ ବସି ଶତାଧିକ ବ୍ୟବସାୟୀ ପରିବା ବିକ୍ରି କରୁଥିଲେ, ତାହା ଆଜି ଖାଁ ଖାଁ ଲାଗୁଛି । ନା ଅଛନ୍ତି ବ୍ୟବସାୟୀ ନା ଅଛି ଲୋକଙ୍କ ଗହଳି । ଜନଗହଳି ଥିବା ଏହି ହାଟ ଏବେ ସ୍ମୃତି ପାଲଟି ଯାଇଛି । ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ସମୟରେ ଯେଉଁଠି ଖାଦ୍ୟ ପାଇଁ ହାହାକାର ସୃଷ୍ଟି ହୋଇଥିଲା । ସେହି ସମୟରେ ଛତ୍ରବଜାରର କିଛି ବ୍ୟବସାୟୀ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ଅନ୍ନଛତ୍ର ଭଳି ଖାଇବାକୁ ଦେଇଥିଲେ । ପରବର୍ତୀ ସମୟରେ ଏଠାରେ ବ୍ୟବସାୟୀ ଏବଂ ଲୋକଙ୍କ ଭିଡ଼ ବଢ଼ିଥିଲା ଏବଂ ଏହା ଏକ ବଡ଼ ମାର୍କେଟରେ ପରିଣତ ହୋଇଥିଲା । ଦୁର୍ଭିକ୍ଷ ସମୟରେ ଲୋକଙ୍କ ପାଇଁ ଅନ୍ନଛତ୍ର ଖୋଲିଥିବାରୁ ହାଟର ନାଁ ଛତ୍ରବଜାର ରଖାଯାଇଥିଲା ବୋଲି କହିଛନ୍ତି ଛତ୍ରବଜାର ବ୍ୟବସାୟୀ ସଂଘର ପୂର୍ବତନ ସମ୍ପାଦକ ।

ବିଳମ୍ବରେ ହେଉ ପଛେ ନୂଆ ସ୍ଥାନରେ ଅର୍ବାନ୍ ହାଟ ଖୋଲିଛି । ତେବେ ଯେଉଁ ଛୋଟ ବ୍ୟବସାୟୀ ପିଣ୍ଡି ପାଇବାରୁ ବଂଚିତ ହୋଇଛନ୍ତି, ସେମାନଙ୍କ ପାଇଁ ଅନ୍ୟ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି ।