କନକ ବ୍ୟୁରୋ: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାରେ ଦଣ୍ଡିତ କରିବା ସହ ଲକ୍ଷେ ଦଶ ହଜାର ଟଙ୍କା ଜୋରିମାନା କରିଛନ୍ତି ଫୁଲବାଣୀର ପକ୍ସୋ କୋର୍ଟ।୨୦୨୨ ମସିହା ଟିକାବାଲି ଥାନା ଅଂଚଳରେ ଏହି ଦୁଷ୍କର୍ମ ମାମଲା ହୋଇଥିଲା। ସେହି ମାମଲାର ଶୁଣାଣି କରି ଅଭିଯୁକ୍ତ ବନମାଳୀ ପ୍ରଧାନକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ଲକ୍ଷେ ଦଶ ହଜାର ଟଙ୍କା ଜୋରିମାନା କରିଛନ୍ତି କୋର୍ଟ। ଜରିମାନା ନଦେଲେ ଅଧିକ ୧୩ ମାସ କାରାଦଣ୍ଡାଦେଶ ଏବଂ ପୀଡିତା ନାବାଳିକାକୁ ୬ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।ସୂଚନା ଅନୁସାରେ, ପୀଡିତା ନାବାଳୀକା ଜଣକ ଅଷ୍ଟମ ଶ୍ରେଣୀରେ ପଢୂଥିବା ସମୟରେ ଅଭିଯୁକ୍ତର ଭଉଣୀ ସହିତ ମିଶି ଘରେ ପଢାପଢି କରୁଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ସୁଯୋଗ ଦେଖି ପୀଡିତାକୁ ଦୁଷ୍କର୍ମ କରୁଥିଲେ ଏବଂ କାହାକୁ ନକହିବା ପାଇଁ ଡରାଉଥିଲେ। ତେଣୁ ଭୟଭୀତ ହୋଇ ଏବାବଦରେ କାହାକୁ କିଛି କହୁନଥିଲା। ଏଭଳି ଭାବେ ଅଭିଯୁକ୍ତ ଜଣକ ୨୦୧୮ ମସିହାରୁ ପୀଡିତା ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିଆସୁଥିଲେ। ତେବେ ୨୦୨୨ ମସିହା ନଭେମ୍ବର ମାସରେ ନାବାଳିକାର ଶାରୀରିକ ସମସ୍ୟା ଦେଖାଦେଇଥିଲା ଏବଂ ତା ସହିତ ଅଭିଯୁକ୍ତ ବନମାଳୀର ଶାରୀରିକ ସମ୍ପର୍କ ଥିବା ଜଣାପଡିଥିଲା। ପରିବାର ଲୋକ ଏନେଇ ଟିକାବାଲି ଥାନାରେ ମାମଲା ରୁଜୁ କରିଥିଲେ। ପୋଲିସ ଅଭିଯୁକ୍ତ ବନମାଳୀ ପ୍ରଧାନଙ୍କୁ ଗିରଫ କରିଥିଲା। ଏହି ମାମଲାରେ ସମସ୍ତ ସାକ୍ଷ ପ୍ରମାଣ ଏବଂ ଡାକ୍ତରୀ ରିପୋର୍ଟ ଆଧାର ମାନ୍ୟବର ପକ୍ସୋ କୋର୍ଟ ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।